ଜହ୍ନି ଫୁଲ ଠୋ ଠା, କାକୁଡି ଫୁଲ ଠୋ ଠା

0

🙏 କୁମାରପୂର୍ଣ୍ଣିମା 🙏

ଓଡିଶାର ସଂସ୍କୃତି ବହୁ ପ୍ରାଚୀନ |ଏହି ପ୍ରାଚୀନ ସଂସ୍କୃତିରେ ନାନା ପ୍ରଥା -ନାନା ପରମ୍ପରା ପ୍ରଚଳିତ ହୋଇ ଆସିଛି | ବାର ମାସରେ ତେର ପର୍ବ ” ଉତ୍କଳୀୟ ସଂସ୍କୃତିର ବୈଶିଷ୍ଟ୍ୟ | ଅନେକ ପର୍ବ ପର୍ବାଣି ଓ ଉତ୍ସବମଧ୍ୟରେ କୁମାରୋତ୍ସବ ଅନ୍ୟତମ ଲୋକପ୍ରିୟ ଉତ୍ସବ | ଏହି ଶାରଦୀୟ ଉତ୍ସବ କୁମାରପୂର୍ଣ୍ଣିମା ଭାବେ ଓଡ଼ିଆ ଜନଜୀବନରେ ପରିଚୟ ଲାଭ କରିଛି |

ଆଶ୍ୱିନ ମାସ ପୂର୍ଣ୍ଣିମାରେ ଏହାପାଳିତ ହୁଏ | ଏହା ରୂପଶ୍ରେଷ୍ଠ କୁମାର କାର୍ତ୍ତିକେୟଙ୍କ ଜନ୍ମଦିନ |କୁମାର କାର୍ତ୍ତିକ ଥିଲେ ସୌନ୍ଦର୍ଯ୍ୟ ଓ ବୀରତ୍ୱର ପ୍ରତୀକ | ସେ ଦେବତାଙ୍କ ସେନାପତି ଭାବେ ଦୁର୍ଦ୍ଦଷ ରାକ୍ଷସ ତାରକାସୁରକୁ ବଧ କରିଥିଲେ | ଏଣୁ ଆଶ୍ୱିନ ମାସ ସାରା କୁମାରୀ କନ୍ୟା ମାନେ ବ୍ରତ ରଖି ଚଉରା ମୂଳେ ସନ୍ଧ୍ୟାରେ ଜହ୍ନି ଓଷା କରନ୍ତି ଓ ମାସର ଶେଷଦିନରେ କୁମାର ପୂର୍ଣ୍ଣିମା ବ୍ରତ ପାଳନ କରନ୍ତି |

ଚଉରା ମୂଳେ ତାଳଗଜା, ଖଇ, ମଣ୍ଡା ଆଦି ଭୋଗକରି ସେଦିନ ପଲ୍ଲୀବାଳା ଶିବପୁତ୍ର କୁମାର କାର୍ତ୍ତିକେୟଙ୍କ ପରି ବୀର ଓ ସୁନ୍ଦର ସ୍ୱାମୀ ପାଇବା ପାଇଁ ତାଙ୍କ ପୂଜା କରି ନିଜର ମନୋବାଞ୍ଛା ପ୍ରକାଶ କରିଥାନ୍ତି |


ପୂଜା ପରେ ଚଉରା ପରିକ୍ରମା କରି ଜହ୍ନି ଫୁଲ ଗୀତ ଗାଇ ଆଞ୍ଜୁଳିରେ ଜହ୍ନି ଫୁଲ ଚଉରା ଉପରେ ପକାଇ ଥାନ୍ତି |ଅତ୍ୟନ୍ତ ରସାଳ ଏ ଗୀତ |

  • ଗୀତଟି ଏହିପରି, “ଜହ୍ନି ଫୁଲ ଠୋ ଠା, କାକୁଡି ଫୁଲ ଠୋ ଠା, ଦେନ ଦେବ ତା’ପିଲାର ନାକ ଖଣ୍ଡିଆ ଟା |ବାଡିଆଡେ ବଗ, ଦାଣ୍ଡ ଆଡେ ବଗ ଡୁଙ୍ଗେଇ ମୂଷା କହି ଯାଇଛି ଚାଉଳ ମୁଠେ ହେବ ଜହ୍ନି ଲୋ ଜହ୍ନି, ଜହ୍ନି ଆଞ୍ଜୁଳି ନିତି ପୂଜା କଲି ତିନି ଆଞ୍ଜୁଳି|ମୋହରି ବୋହୁ ଲୋ ମୋ କୋଳେ ବସ, ନାତୁଣୀ ବୋହୁ ଲୋ ରାନ୍ଧି ପରଶ | ଖଟେ ଯାଇ ଖଟେ ଆସ |ମଝି ପିଢା ଖଣ୍ଡି ମାଡି ବସ |ତୁଳସୀ ମୂଳେ ଲୋ ଦେଲି ଜାଗର, ତୁଳସୀ ବୋଇଲେ ମାଗ ଲୋ ବର |କାନକୁ ସୁନା, ପେଡି କି କନା |ବାର ବରଷର ଧାନ ପୁରୁଣା |କାଖେ ପୁଅ, ପଣତେ ଶୁଅ |ଜିଇ ଥିବା ଯାଏ ଅହ୍ୟରେ ରୁହ |ମରିଗଲେ ବୈକୁଣ୍ଠକୁ ଯାଅ… ଇତ୍ୟାଦି |ଚଉରା ଚାରିପଟେ ଝିଅ ମାନେ “ଫୁଲ ବଉଳ ବେଣି “ଗୀତଗାଇ ନାଚି ଥାନ୍ତି |ପୂର୍ବରୁ କୁମାରୀ କନ୍ୟା ମାନେ ପ୍ରତ୍ୟୁଷରୁ ଆଞ୍ଜୁଳି ଟେକା ଵିଧି ପାଳନ କରିଥାନ୍ତି | ସଞ୍ଜ ଗଡ଼ିଗଲା ପରେ ଘରେ ଘରେ ଚାନ୍ଦ ପୂଜା କରାଯାଏ | ଲିଆ, ଛେନା, ଗୁଡ଼ ଚକଟାଯାଇ ଅର୍ଦ୍ଧଚନ୍ଦ୍ର ଆକାରରେ ଥାଳିରେ ସଜାଇ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ | ଏହି ପ୍ରସାଦ ଖାଇ ବ୍ରତଧାରୀ କୁମାରୀଏ ବ୍ରତ ଉପବାସ ଭାଙ୍ଗିଥା’ନ୍ତି | ଏହି ଦିନ ମଧ୍ୟ ଧନ, ଧାନ୍ୟର ଦେବି ମା’ଲକ୍ଷ୍ମୀଙ୍କର ଆବିର୍ଭାବ ଦିବସ | ଏଣୁ ସର୍ବତ୍ର ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୁଏ | ଗଜଲକ୍ଷ୍ମୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ, ନୂତନ ବସ୍ତ୍ର ପରିଧାନ, ପିଠାପଣା, ତଥା ଅନ୍ୟାନ୍ୟ ଆମୋଦ ପ୍ରମୋଦରେ ଦିନଟି କଟିଯାଏ |ପୁରୁଷ ମାନେ ପଶା, ତାସ, ଆଦି ଖେଳି ଦିନଟିକୁ ଉପଭୋଗ କରନ୍ତି |

ପ୍ରସଙ୍ଗକ୍ରମେ ପଣ୍ଡିତ ନୀଳକଣ୍ଠ ଦାସଙ୍କର କୁମାରପୂର୍ଣ୍ଣିମା ଉପରେ ଲିଖିତ କବିତା “ରାମଚଣ୍ଡୀରେ ସନ୍ଧ୍ୟା”ରୁ କେତୋଟି ପଦ ଉଲ୍ଲେଖ କରୁଛି :-ଆଜି ଯେ କୁଆଁର ପୁନିଅ , କେତେ ସୁଖ ଶରଧା,
ମା ଭଉଣୀଙ୍କ ଆଦର, ନବ ବସନ ପିନ୍ଧା |
****-
ଲୁଗାରେ ହଳଦୀ ଲଗାଇ, ଚାହିଁ ଥିବେ ଜନନୀ,
ପିଠା ପଣା ଖାଉ ନ ଥିବ
ସୁଖେ ଆଜି ଭଗିନୀ |


ପୁନିଅ ଜୁଆର ପୁଲକେ
ଭରା ତଟିନୀ ମୁଖ, ମୃଦୁଳ-ଲହରୀ ହିଲୋଳେ
ଚାରୁ ଚାନ୍ଦ ମୟୁଖ| |
ରହ ରହ ବା ବତାସି
ରହ ବରଷା ଧାରା,
କୁଆଁର ପୁନିଅ ହେଉରେ
ଆଜି ରଜନୀ ସାରା |


ମୁଷଳ ଧାରାରେ ଝଟିକା
ଦିଏ କଚାଡି କେବେ,
ଶୋଇ ପଡ଼ିଛ ତ ବାପା ହେ
ଜାଣୁ ନ ଥିବ ଲବେ |


ମୁହିଁ ଦିନେ ଶିଶୁ ଥିଲଇଁ
ମନେ ପଡୁଛି ମୋର,
ବସି ଶିଶୁମେଳେ ଦେଖନ୍ତି,
ଏ ବିଭବ ରୁଚିର |
ବଉଳବେଣି ଗୀତର ମହତ୍ତ୍ୱ
କୁମାରପୂର୍ଣ୍ଣିମା ରାତିରେ କୁମାରୀମାନେ ଏକାଠି ହୋଇ ବଉଳବେଣି ଗୀତ ଗାଇଥାନ୍ତି |ଏହି ଗୀତ ଉତ୍କଳୀୟ ଲୋକଗୀତ ପରମ୍ପରାର ଏକ ପ୍ରମୁଖ ଅଙ୍ଗ | ଏ ସବୁ ଗୀତର ଗୀତିକାର ହେଉଛନ୍ତି କୁମାରୀମାନେ |ଯୁଗଯୁଗ ଧରି ପିଢ଼ି ପରେ ପିଢ଼ିକୁ ଏହା ପ୍ରସାରିତ ହୋଇ ଚାଲିଛି | ଆଉ ସମୟ ସହିତ ତାଳଦେଇ ନୂଆ ନୂଆ ପଦ ମାନ ଏଥିରେ ସଂଯୋଜିତ ହୋଇଛି | ଏହି ଗୀତରେ ଛନ୍ଦୋକ୍ତି ଓ ବକ୍ରଉକ୍ତିରେ ଗ୍ରାମ୍ୟ ଜୀବନର କଥା ଉପକଥା ବର୍ଣ୍ଣିତ ହୋଇଥାଏ |ଏହା ଆନନ୍ଦ ଦାୟକ | କେବଳ ଏକ ଚଟୁଳ ଓ ମଧୁର ଆବେଗକୁ ନେଇ ଏହା ଗାନ କରାଯାଏ | କେତୋଟି ପଦ -.. କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣି,
କୁଆଁରୀ ମାନେ ଯେ ପୁଚି ଖେଳୁଛନ୍ତି ଝୁଣ୍ଟିଆ ଶବଦ ଶୁଣଗୋ ଫୁଲବଉଳ ବେଣି |
କଇଁଆ ଗଛର ଛାଇ ଗୋ ଫୁଲ…
କୃଷ୍ଣ ଯେତେବେଳେ ଜନମ ହୋଇଲେ କୁଆଁକୁଆଁ ରାବ ଦେଇ ଗୋ ଫୁଲ..
ଯଶୋଦା ଦୁଃଖ ସଙ୍ଖାଳି ଗୋ ଫୁଲ…
କେତେ କଉତୁକ ଗୋପ କଟକରେ କରୁଛନ୍ତି ବନମାଳୀ ଗୋ ଫୁଲ..
କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ,
ଆଡ ରୁଷା ଦେଇ ବସିଛି ବଉଳ, ଆଖିରୁ ବହୁଛି ପାଣି ଗୋ ଫୁଲ…

କୁଆଁରପୂର୍ଣ୍ଣିମାକୁ ନେଇ ଓଡ଼ିଆ ଲୋକ ସାହିତ୍ୟ ଜୀବନ୍ତ ଓ ରସାଳ | ତେବେ ଆଧୁନିକତାର ଚାକଚକ୍ୟରେ ମଗ୍ନ ଯୁବପିଢ଼ି ପୁରାତନ ସଂସ୍କୃତିରୁ ମୁହଁ ଫେରେଇ ନେବା ଦୁଃଖ ଦାୟକ | କୁମାରପୁର୍ଣିମାର ସାଂସ୍କୃତିକ ବିଭବକୁ ସୁରକ୍ଷା ଦେଇ ସମାଜରେ ଭାତୃଭାବ ପ୍ରତିଷ୍ଠା କରିବାକୁ ହେବ | କୁମାରୋତ୍ସବ ସଂଗଠନ ଗଠନ କରାଯାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଉଛି ସତ ମାତ୍ର ଲୋକଗୀତ ସବୁର ଅଧିକ ପ୍ରଚାର ଓ ପ୍ରସାର ଆବଶ୍ୟକତା ରହିଛି |🙏🙏

  • ଶ୍ରୀକାନ୍ତ ଦାଶ,ସଭାପତି,’ଅବି ‘ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
    ଦୂରଭାଷ :9238304919

Leave A Reply

Your email address will not be published.