ଜନସେବା ପାଇଁ ଉତ୍ସର୍ଗ କପିଳେଶ୍ବର ଚାରିଟେବଲ୍ ହସ୍ପିଟାଲ

0

  • ସୁବର୍ଣ୍ଣପୁର, ଭୁବନେଶ୍ୱର //TATKAL ODISHA//:


ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ ନିର୍ମିତ କପିଳେଶ୍ବର ଚାରିଟେବୁଲ୍ ହସପିଟାଲ ଖୁବ୍ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ।

ଅଂଚଳବାସୀଙ୍କ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏକ ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଦଳ ସମର୍ପିତ ସେବା ଯୋଗାଇବାର ସମୂହ ପ୍ରତିବଦ୍ଧତା ନେଇଛନ୍ତି । ଡା.ଲକ୍ଷ୍ମୀକାନ୍ତ ମହାପାତ୍ର,ଡା.ବେଣୁଧର ପାଣ୍ଡେ,ଡା.ପ୍ରକାଶ ଦଣ୍ଡସେନା,ଡା.ସ୍ବପ୍ନେଶ୍ବର ବେହେରା,ଡା.ରବୀନ୍ଦ୍ର ପ୍ରଧାନ ଓ ଡା. ରବୀନାରାୟଣ ତ୍ରିପାଠୀଙ୍କ ପରି ଅଭିଜ୍ଞ ଡାକ୍ତରଙ୍କୁ ନେଇ ଉଭୟ ଚିକିତ୍ସା ଓ ସ୍ବାସ୍ଥ୍ୟ ସଂପର୍କିତ ପରାମର୍ଶ ଯୋଗାଇ ଦିଆଯିବ । କାଳଜୟୀ ସୃଷ୍ଟି “ଶଲାବୁଢା”ର ଲେଖକ ଓ ସମାଜସେବୀ କପିଳେଶ୍ବର ମହାପାତ୍ରଙ୍କ ସ୍ବପ୍ନର ଚିକିତ୍ସାଳୟ ପ୍ରସ୍ତୁତ ହୋଇସାରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଏହି ହସପିଟାଲରେ ସାଧାରଣ ଲାପ୍ରୋସ୍କୋପି ସହ ଶଲ୍ୟ,ସ୍ତ୍ରୀରୋଗ ଓ ପ୍ରସୂତି, ଭେଷଜ,ଅସ୍ଥିଶଲ୍ୟ ଓ ପାଥୋଲୋଜି ପରି ବିଭାଗରେ ଅଭିଜ୍ଞ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ସେବା ଉପଲବ୍ଧର ଚୂଡାନ୍ତ ପ୍ରକ୍ରିୟା ସରିସାରିଛି ।

ପ୍ରାଥମିକ ସ୍ତରରେ ୧୦ଟି ସ୍ବତନ୍ତ୍ର ଶଯ୍ୟା ରହିଥିବାବେଳେ ଗୋଟିଏ ଅତ୍ୟାଧୁନିକ ଅସ୍ତ୍ରୋପଚାର କକ୍ଷ ଓ ସମସ୍ତ ନିଦାନ ପାଇଁ ଏକ ବୃହତ ପରୀକ୍ଷାଗାର ରହିଛି । ଆଜିର ଦିନରେ ଲାଭାର୍ଥୀଙ୍କୁ ଉନ୍ନତ ଚିକିତ୍ସା ସେବା ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ କରାଯିବ ବୋଲି ଚେତନା ଟ୍ରଷ୍ଟ ମ୍ୟାନେଜମେଣ୍ଟର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ପ୍ରକାଶ କରିଛନ୍ତି ।

ଚଳିତ ଡିସେମ୍ବର ୨୭ ତାରିଖରେ ଲୋକାର୍ପିତ ହେବାକୁଥିବା ଏହି ହସପିଟାଲରେ ଚିକିତ୍ସାସେବା ନେବାକୁ ଚେତନା ଟ୍ରଷ୍ଟ ମ୍ୟାନେଜମେଣ୍ଟର ପ୍ରମୁଖ ସଦସ୍ୟ ସୁଶାନ୍ତ ମହାପାତ୍ର ଓ କପିଳେଶ୍ବର ଚାରିଟେବୁଲ୍ ହସପିଟାଲର ପରିଚାଳନା ନିର୍ଦ୍ଦେଶକ ମଣ୍ଟୁ ମହାପାତ୍ର ଅଂଚଳବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.