ଗୋଲୋକ ଧଳ, ବ୍ରଜ ଧଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

0
  • ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ

ଢେଙ୍କାନାଳ,//TATKAL ODISHA//

ବିଶିଷ୍ଟ ଭାଷା ବିଜ୍ଞାନୀ, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଧ୍ୱନିତତ୍ତ୍ଵବିଦ, ପ୍ରଥିତଯଶା ପ୍ରାଧ୍ୟାପକ, ସୁସାହିତ୍ୟିକ, ସଫଳ ଅନୁବାଦକ ସ୍ବର୍ଗତ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ଜନ୍ମ ଶତବାର୍ଷିକୀ ପାଳନ ହୋଇଯାଇଛି I ଏହି ଅବସରରେ ତାଙ୍କର ଏବଂ ତାଙ୍କ ମୁଖ୍ୟ ପ୍ରେରଣା ଓ ମାର୍ଗଦର୍ଶକ ବଡ଼ଭାଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ ପ୍ରଜାମଣ୍ଡଳ ନେତା ସ୍ବର୍ଗତ ବ୍ରଜକିଶୋର ଧଳଙ୍କ ଦୁଇଟି ଆବକ୍ଷ ପ୍ରତିମୂର୍ତ୍ତି ତାଙ୍କ ପିତାଙ୍କ ନାମରେ ନାମିତ ଭୋଳେଶ୍ବର ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ, ଛଦେଶ, ଭାପୁର ଠାରେ ପ୍ରତିଷ୍ଠା ହୋଇଯାଇଛି ।

ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସୁପୁତ୍ରୀ ବିଶିଷ୍ଟ ସମାଜସେବିକା, ଗାନ୍ଧୀ ସ୍ମାରକ ନିଧି ଓ ବାଜିରାଉତ ଛାତ୍ରାବାସର ସଭାପତି କୃଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରତିମୂର୍ତ୍ତି ଦୁଇଟି ଉନ୍ମୋଚନ କରିଥିଲେ ।

ପ୍ରତିମୂର୍ତ୍ତି ଉନ୍ମୋଚନ କରି ସେ ମତବ୍ୟକ୍ତ କରିଥିଲେ ଯେ, ବ୍ରଜବାବୁ ଜଣେ ସାଲିସ ବିହୀନ ବିରଳ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତାଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଆନ୍ଦୋଳନ ଜାତୀୟ ସ୍ତରରେ ଗଭୀର ପ୍ରଭାବ ପକାଇଥିଲା ।

ସେହିପରି ଗୋଲୋକ ବିହାରୀ ଧଳ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାଷା ଓ ଧ୍ୱନିତତ୍ତ୍ଵବିଦ ଥିଲେ ବୋଲି ମଧ୍ୟ ସେ କହିଥିଲେ ।
ଏହିପରି ପ୍ରତିଭାପୂଜା ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟିକରେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଗୋଲୋକ ବିହାରୀ ଧଳ ସ୍ମୃତି ସଂସଦ ସଭାପତି ଅପର୍ତ୍ତି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ କାନାଡ଼ାରେ ଅବସ୍ଥାପିତ ବିଶ୍ବ ଓଡ଼ିଶା ଆନ୍ତର୍ଜାତିକ ପରିଷଦର ସଦସ୍ୟ ପ୍ରଫେସର ଡ. ତନ୍ମୟ ପଣ୍ଡା, ବିଶିଷ୍ଟ ଅତିଥି ଭାବରେ ବିଦ୍ୟା ପବ୍ଲିଶିଙ୍ଗ, କାନାଡ଼ାର ପରିଚାଳନା ନିର୍ଦ୍ଦେଶିକା ଡ. ସୁନନ୍ଦା ମିଶ୍ର ପଣ୍ଡା ଯୋଗଦେଇ ଧଳ ପରିବାର ସହିତ ଥିବା ଦୀର୍ଘଦିନର ପାରିବାରିକ ସମ୍ପର୍କ ଅବତାରଣା କରିବା ସଙ୍ଗେ ସଙ୍ଗେ କାନାଡ଼ାରେ ଓଡ଼ିଆ ଭାଷା ସଂସ୍କୃତି ର କରୁଥିବା ପ୍ରଚାର ପ୍ରସାର ପ୍ରସଙ୍ଗରେ ବିବରଣୀ ରଖିଥିଲେ ।

ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ପ୍ରଧାନ ଶିକ୍ଷକ ଗଗନ ସେନାପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଭୟ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ଦୁଇଟି ସ୍ମରଣିକା ‘ଗୋଲୋକ ଶତାବ୍ଦୀ’ ଓ ‘ବ୍ରଜ ବିଶେଷ’ ଉନ୍ମୋଚନ ହୋଇଥିଲା । ସମ୍ପାଦକ ମନୋଜ କୁମାର ସାହୁ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିବା ବେଳେ ଧନଞ୍ଜୟ ଧଳ, ପ୍ରଶାନ୍ତ ଧଳ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ନ୍ୟାସୀ ପ୍ରଭାତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ଆବାହକ ରଙ୍ଗାଧର ଧଳ, ଜୟରୂପ ଧଳ, ନୀଳମଣି ମହାରଣା, ପ୍ରଫୁଲ୍ଲ କୁମାର ପଣ୍ଡା, ଗୀତାଞ୍ଜଳି ନାୟକ, ବୈକୁଣ୍ଠ ବାରିକିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ବ୍ରଜ ଧଳଙ୍କ କନିଷ୍ଠା କନ୍ୟା ବୀଣାପାଣି, ଅକାରଣ ଧଳଙ୍କ କନିଷ୍ଠା କନ୍ୟା ଆରତୀ ଧଳପରିବାର ଵଂଶଳତା ଉପରେ କବିତା ଆବୃତ୍ତି କରିଥିଲେ ।

ଶିକ୍ଷକ ସତ୍ୟବ୍ରତ ପଣ୍ଡା, ଫକୀର ମୋହନ ସାହୁ, ସ୍ବଦେଶ ରଞ୍ଜନ ଧଳ, ମଧୁସୂଦନ ଶତପଥୀ, ବିଷ୍ଣୁ ଲେଙ୍କା, ପ୍ରାଣବନ୍ଧୁ ନାୟକ, ରମେଶ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପ୍ରାରମ୍ଭରେ ଅତିଥି କୃଷ୍ଣା ମହାନ୍ତି, ଡ. ତନ୍ମୟ ପଣ୍ଡା, ଡ. ସୁନନ୍ଦା ମିଶ୍ର ପଣ୍ଡା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଏକ ଶିକ୍ଷାଭିତ୍ତିକ ଭାବ ବିନିମୟ କାର୍ଯ୍ୟକ୍ରମ କରିଥିଲେ । ଏହାକୁ ଶିକ୍ଷକ ସତ୍ୟବ୍ରତ ପଣ୍ଡା ଓ ମନୋଜ କୁମାର ସାହୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.