ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର

0

🙏ଗୁରୁ ପୂର୍ଣ୍ଣିମା 🙏

//TATKAL ODISHA//

  • ଶ୍ରୀକାନ୍ତ ଦାଶ


ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନକୁ ଗୁରୁପୂର୍ଣ୍ଣିମା ଭାବେ ହିନ୍ଦୁମାନେ ପାଳନ କରିଥାନ୍ତି | ମହାତ୍ମା ବ୍ୟାସ ଥିଲେ ଅଷ୍ଟାଦଶ ପୁରାଣର ସ୍ରଷ୍ଟା, ସମସ୍ତ ଜ୍ଞାନର ଭଣ୍ଡାର|ଭାରତୀୟ ଧର୍ମ, ସଂସ୍କୃତି, ସାହିତ୍ୟ ରୀତି, ନୀତିର ସେ ଥିଲେ ପ୍ରବର୍ତ୍ତକ |

ଆଷାଢ଼ ମାସ ପୂର୍ଣ୍ଣିମାରେ ଏହି ଦିବସକୁ ପାଳନ କରାଯାଏ |
ଗୁରୁ ବିଦ୍ୟାଦାନ ଦେଇ ଶିଷ୍ୟର ଜୀବନରେ ମଧୁରତା ଭରିଦିଅନ୍ତି | ଶିକ୍ଷା ବିନା ଜୀବନ ପଶୁର ଜୀବନ ସହିତ ସମାନ |
ସେ ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନର ବଳିତା ଜାଳି ମଣିଷ ଜୀବନକୁ ସାର୍ଥକ କରନ୍ତି |କୁହାଯାଏ :”ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା, ଚକ୍ଷୁ ଉନ୍ମିଳିତ°ଯେନ ତସ୍ମେୟୀ ଶ୍ରୀ ଗୁରବେ ନମଃ “ସେଥିପାଇଁ ଗୁରୁ ଆମର ନମସ୍ୟ |
ବୌଦ୍ଧ ଓ ଜୈନ ମାନେ ମଧ୍ୟ ଗୁରୁପୂର୍ଣ୍ଣିମା ପାଳନ କରନ୍ତି |ଏହାର ଅନ୍ୟ ନାମ ବୁଦ୍ଧ ପୂର୍ଣ୍ଣିମା ଓ ବ୍ୟାସ ପୁର୍ଣିମା |


ଗୁରୁଙ୍କୁ ଭକ୍ତି ଓ ସମ୍ମାନ କରିବା ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଫଳ ଜୀବନ ଯାପନ କରିବା ପାଇଁ ଏ ଦିବସ ଆମକୁ ଶିକ୍ଷା ଦିଏ |
ସେଥିପାଇଁ କୁହାଯାଏ :-
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପର°ବ୍ରହ୍ମ ତସ୍ମେଇ ଶ୍ରୀ ଗୁରବେ ନମଃ |
ଓଡ଼ିଆ ଭାଗବତର ବାଣୀ :-ନମାମି ନମାମି ନମାମି, ନମସ୍ତେ ଗୁରୁଦେବ ସ୍ୱାମୀ |
ଆଉ ମଧ୍ୟ :-
ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର |
ଆଜିର ସଂସାରରେ ଯେତେ ପ୍ରକାର ଅନ୍ୟାୟ ଅନୀତି ଘଟି ସୁନ୍ଦର ବସୁଧାକୁ ଅସୁନ୍ଦର, ବିଷ କୁମ୍ଭରେ ପରିଣତ କରିଛି, ତାର କାରଣ ଗୁରୁ ଗୁରୁଜନଙ୍କ ପ୍ରତି ହେୟ ଭାବ |ଗୁରୁ ସମ ଈଶ୍ୱରଙ୍କ ଆଶୀର୍ବାଦ ଥିଲେ ଏ ସଂସାର ପୁଣି ଦିବ୍ୟତାରେ ଭରିଯିବ |
ଗୁରୁ ଆମର ପୂଜ୍ୟ ଓ ନମସ୍ୟ |ତାଙ୍କରି ଆଶୀର୍ବାଦରେ ବ୍ୟକ୍ତି ବଡ଼ ହୋଇପାରେ ଓ ଅଶାନ୍ତିରେ ପତନ ମୁଖକୁ ଟାଣି ହୋଇଯାଏ | ତାର ଉଦାହରଣ ମହାଭାରତ ମହାପୁରାଣରୁ ମିଳିଥାଏ |ମହା ଭାରତର ମହାନ ବୀର କର୍ଣ୍ଣ ଗୁରୁ ଭଗବାନ ପର୍ଶୁରାମଙ୍କ ପାଖରେ ରହି ସମସ୍ତ ବିଦ୍ୟା ଲାଭକରିଥିଲେ | ମାତ୍ର ବିଦ୍ୟା ଆରମ୍ଭ ପୂର୍ବରୁ ଗୁରୁଙ୍କୁ ତାଙ୍କ ଜନ୍ମ ବିଷୟରେ ସଠିକ ତଥ୍ୟ ଦେଇ ନ ଥିବାରୁ ଗୁରୁ ଅପ୍ରସନ୍ନ ହୋଇ ଅଭିଶାପ ଦେଇଥିଲେ ଓ ଜୀବନର ନିର୍ଣ୍ଣାୟକ ଯୁଦ୍ଧରେ ଅସ୍ତ୍ର ବିଷୟରେ ଭୁଲି ଅର୍ଜୁନଙ୍କ ହାତରେ ନିହତ ହୋଇଥିଲେ | ଆଉ ଏକଲବ୍ୟ ଗୁରୁ ଦ୍ରୋଣଙ୍କ ଠାରୁ ବିଦ୍ୟା ଚୋରି କରି ଥିବା ହେତୁ ଗୁରୁଙ୍କ ଆଦେଶରେ ଦକ୍ଷିଣା ସ୍ୱରୂପ ନିଜ ଦକ୍ଷିଣ ହସ୍ତର ବୁଢ଼ା ଆଙ୍ଗୁଳି ଦେଇ ଦଣ୍ଡ ସ୍ୱୀକାର କରିଥିଲେ | ଏମିତି ରାଶି ରାଶି ଉଦାହରଣ ଆମର ପୁରାଣ ଶାସ୍ତ୍ର, କାହାଣୀ କବିତା, ଲୋକ ଗୀତରେ ରହିଛି | ଶ୍ରୀମଦ ଭଗବତ ଗୀତା କହନ୍ତି “ତଦ୍ ବିଦ୍ଧି ପ୍ରଣୀପାତେନ ପରି ପ୍ରଶ୍ନେନ ସେବୟା,
ଉପଦେକ୍ଷନ୍ତି ତେ ଜ୍ଞାନ° ଜ୍ଞାନୀନ ସ୍ତତ୍ତ୍ୱ ଦର୍ଶୀନଃ |(ଗୀତା 4/34 ) ଅର୍ଥ :
ଶ୍ରୀକୃଷ୍ଣ ମାନବ ଜାତିର ପ୍ରତିନିଧି ଅର୍ଜୁନଙ୍କୁ ଉପଦେଶ ଦେଇ କହୁଛନ୍ତି, “ତୁମ୍ଭେ ଏକ ତତ୍ତ୍ୱଦର୍ଶୀ ଗୁରୁଙ୍କ ପାଖକୁ ଯାଇ, ତାଙ୍କଠାରୁ ଦୀକ୍ଷା ଗ୍ରହଣ କରି, ତାଙ୍କୁ ବିନମ୍ର ଭାବରେ ପ୍ରଣାମ କରି,, ଅତି ସାବଧାନତାର ସହିତ ପ୍ରଶ୍ନ କଲେ ସେ ତୁମକୁ ସଦଜ୍ଞାନ ଦେଵେ ଓ ତୁମ୍ଭେ ଗୁରୁଙ୍କ ସେବା କରି ତାଙ୍କୁ ସନ୍ତୁଷ୍ଟ କଲେ ସେ ତୁମକୁ ତତ୍ତ୍ୱ କଥା କହି ତତ୍ତ୍ୱଜ୍ଞାନୀ କରିଦେବେ |ଏଥିରେ ଗୁରୁ ସେବା ଦ୍ୱାରା ଜୀବନ ସାର୍ଥକ କରିବାପାଇଁ ଉପଦେଶ ଦିଆ ଯାଇଛି |
ଗୁରୁ ଗୁରୁଜନଙ୍କ ଅଶାନ୍ତିରୁ ଯେଉଁ ଅସୁବିଧା ହୁଏ ତାହା ଆମେ ସମାଜରେ ଦେଖୁଥିଲେ ମଧ୍ୟ ସଚେତନ ହେଉନାହେଁ | ଏହା ହିଁ ବିଡମ୍ବନା | ମହାଭାରତ ତଥା ଅଷ୍ଟାଦଶ ପୁରାଣର ସ୍ରଷ୍ଟା ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନକୁ ଆମ ସଂସ୍କୃତିରେ ଗୁରୁ ପୂର୍ଣ୍ଣିମା /ବ୍ୟାସ ପୂର୍ଣ୍ଣିମା ଭାବେ ପାଳନ କରାଯାଉଛି |ଅର୍ଥାତ ଆମ ସଂସ୍କୃତିରେ ଗୁରୁ ପୂଜା ପରମ୍ପରା ବୈଦିକ ଯୁଗରୁ ଚାଲି ଆସିଛି |
ତେଵେ ଆଜିର ଏ ଗୁରୁଦିବସ ପାଳନ କ’ଣ ପାଇଁ?
ଆଧୁନିକ ଭାରତର ଅନ୍ୟତମ ମହାନ ଗୁରୁ, ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଦାର୍ଶନିକ, ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କର ଜନ୍ମଦିନକୁ ଆମେ ଗୁରୁଦିବସ ଭାବେ ପାଳନକରୁଛେ |ସେ ଥିଲେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି | ସେ ଅନୁଭବ କରିଥିଲେ ଗୁରୁ ଗୁରୁଜନଙ୍କ ଅବମାନନା ତଥା ତାଙ୍କ ପ୍ରତି ଅବହେଳା ଭାରତର ଉନ୍ନତି ପାଇଁ ଚରମ ବାଧକ ହେବ |ଭାରତୀୟ ଯୁବକମାନେ ପ୍ରାଚୀନ ଗୁରୁକୁଳ ପରମ୍ପରାକୁ ବଜାୟ ରଖି ନିଜକୁ ସୁନାଗରିକ ଭାବେ ଗଢିଲେ ଦେଶ ପୃଥିବୀରେ ଏକ ଅନନ୍ୟ ଦେଶର ମର୍ଯ୍ୟାଦା ଲାଭ କରିବ | ସେ ଆହୁରି ଅନୁଭବ କରିଥିଲେ ଯେ ବୈଦିକ ଯୁଗରେ ପବିତ୍ର ପରିବେଶରେ ଗୁରୁକୁଳ ଆଶ୍ରମ ଗଢି ଉଠିଥିଲା | ଶିଷ୍ୟ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହି ବିଦ୍ୟାଲାଭ କରୁଥିଲେ | ଆତ୍ମ ଜ୍ଞାନ ସହିତ ଉଦାର ବିଶ୍ୱ ଜ୍ଞାନରେ ଶିଷ୍ୟ ଭୂଷିତ ହେଉଥିଲା | ଶିଷ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଗୁରୁ ଥିଲେ ସର୍ବେସର୍ବା |ଶିଷ୍ୟର ସେବା, ଭକ୍ତି, ଓ କର୍ତ୍ତବ୍ୟ ନିଷ୍ଠାରେ ମୁଗ୍ଧ ହୋଇ ସେ ନିଜର ଜ୍ଞାନକୁ ନିଷ୍କପଟ ହୃଦୟରେ ବିତରଣ କରୁଥିଲେ | ପୁତ୍ରସମ ଶିଷ୍ୟ ଠାରୁ ସେ ଭୌତିକ ଧନ ଇଚ୍ଛା କରୁ ନ ଥିଲେ |
ଅତୀତର ସେ ଗୁରୁକୁଳ ଆଶ୍ରମ ଶିକ୍ଷା ଓ ଗୁରୁ-ଶିଷ୍ୟ ସମ୍ବନ୍ଧ କାଳକ୍ରମେ ଦେଶରୁ ବିଦାୟ ନେଇଛି |ବହୁ ବୈଦେଶିକଙ୍କର ବାସଭୂମି ଓ ଶାସନ କ୍ଷେତ୍ର ହେଲାପରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି |ଗୁରୁମାନେ ବେତନ ଭୋଗୀ ହେଲେ |ସମ ଯୋଗ୍ୟତା ସମ୍ପନ୍ନ ଅନ୍ୟ କର୍ମଚାରୀଙ୍କ ଠାରୁ ସେମାନେ କମ ବେତନ ଓ ସମ୍ମାନର ଅଧିକାରୀ ହେଲେ |ସମାଜରେ ଗୁରୁ ବର୍ଗ ଯଥାର୍ଥ ସମ୍ମାନରୁ ବଞ୍ଚିତ ହେଲେ |ମୋ ମତରେ
ସ୍ୱଧିନତା ଲାଭ ପରେ ଶିକ୍ଷାପ୍ରତି ସରକାର ଧ୍ୟାନ ଦେଲେ ସତ ମାତ୍ର ଶିକ୍ଷକଶ୍ରେଣୀ ଯଥା ଯୋଗ୍ୟ ସମ୍ମାନ ପାଇଲେନି |ଏଣୁ ଅଳ୍ପଧି ବ୍ୟକ୍ତି ଶିକ୍ଷକ ହେଲେ ଓ ଏହା ଅଧମ ଉଦ୍ଧାରଣ ପନ୍ଥା ବୋଲି ଅନେକ ଧରିନେଲେ | ଶିକ୍ଷା ବ୍ୟବସ୍ଥାର ଉନ୍ନତି ନ ହେଲେ ଦେଶର ଉନ୍ନତି ଅସମ୍ଭବ ବୋଲି ରାଧାକୃଷ୍ଣନ୍ ଅନୁଭବ କରିଥିଲେ |
ପ୍ରାଚୀନ ଶିକ୍ଷା ବ୍ୟବସ୍ଥାର ପୁନଃ ଉଦ୍ଧାର ପାଇଁ ସେ ଚିନ୍ତା କରୁଥିବା ବେଳେ, ତାଙ୍କର କେତେକ ଛାତ୍ର ତାଙ୍କ ଜନ୍ମଦିନ ପାଳନ ପାଇଁ ତାଙ୍କ ମତ ପଚାରିବାରୁ ତାଙ୍କ ଜନ୍ମ ଦିବସ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯିବାକୁ ଇଚ୍ଛା ପ୍ରକାଶ କରିଥିଲେ |
ତେଵେ ଆଜି ବି ଶିକ୍ଷା ବ୍ୟବସ୍ଥା ପରୀକ୍ଷା ନୀରିକ୍ଷା ଭିତରେ ଗତି କରୁଛି |
ନୂତନ ଶିକ୍ଷାନିତି ଭ୍ରମାତ୍ମକ ସ୍ଥିତି ସୃଷ୍ଟି କରିଛି |
ମାତୃ ଭାଷାରେ ଶିକ୍ଷାକୁ ସମ୍ବିଧାନ ସ୍ୱୀକୃତି ଦେଇ ଥିଲେ ବି ନୂତନ ଶିକ୍ଷା ନିତିରେ ପ୍ରତି ରାଜ୍ୟର ମାତୃଭାଷା ସଙ୍କଟଜନକ ସ୍ଥିତିରେ ଓ ସନ୍ଦେହ ଭିତରେ ଅଛନ୍ତି | ଆମ ଭାଷା ଓଡ଼ିଆ ଏବେ ମଧ୍ୟ ପ୍ରଶାସନିକ ଭାଷା ହୋଇ ପାରିନି | ସରକାର ମାତୃଭାଷାର ମୁଳୋତ୍ପାଟନ ପାଇଁ ସତତ ଚେଷ୍ଟିତ | କେବଳ ଗତାନୁଗତିକ ଧାରାରେ ଆମେ ଗୁରୁ ଦିବସ ପାଳନ କରୁଛେ | କିଛି ଲବ୍ଧ ପ୍ରତିଷ୍ଠ ଗୁରୁଙ୍କୁ ରାଜ୍ୟ ଓ କେନ୍ଦ୍ର ସ୍ତରରେ ସମ୍ମାନିତ କରି ଆତ୍ମ ସନ୍ତୋଷ ପାଉଛୁ | ଗୁରୁଙ୍କୁ ପ୍ରକୃତ ସମ୍ମାନ ଦେବା ଆମର ଉଚିତ କର୍ତ୍ତବ୍ୟ ହେଉ |ଜୟ ଗୁରୁଦେବ 🙏🙏
ଶ୍ରୀକାନ୍ତ ଦାଶ,
ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ,
ଦୂରଭାଷ :9238304919

Leave A Reply

Your email address will not be published.