ଗାଳ୍ପିକ ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ସ୍ୱପ୍ନର ଇଗଲ’

0

+++++++++++++++++++++++++++++++++

ଗଳ୍ପ

         ସ୍ୱପ୍ନର ଇଗଲ 

     ମନୋଜ କୁମାର ମହାପାତ୍ର 
++++++++++++++++++++++++++++++++++


  ବାଙ୍ଗୁରୁ-ମା ବାଙ୍ଗୁରୁ-ମା ଡାକି ଘର ପରାସ୍ତକୁ ସଅଳ ପାଦରେ ପଶି ଆସି ହୀରାଲାଲ କହି ଉଠିଲେ - ହଇଏ ଶୁଣୁଛ - ଆମ ବାଙ୍ଗୁରୁ ଚିଠି ଦେଇଛି l 
    ପିଣ୍ଡରେ ପ୍ରାଣ ପଶିଲା ଭଳି ଏକ ଖୁସି ଭାବାବେଗରେ ଆଚ୍ଛନ୍ନ ହେଇ ବାଙ୍ଗୁରୁ ବୋଉ କହିଲା - ଆମ ବାଙ୍ଗୁରୁ ଭଲରେ ଅଛି ତ ?
       ଯାହା ହେଉ ଆମ ବାଙ୍ଗୁରୁକୁ  ଚାକିରୀଟିଏ ମିଳି ଯାଇଛି l ଦିନକୁ ମଜୁରୀ ତିନିଶହ ଟଙ୍କା l ଖାଦାନର ଖଲାସୀ l ବଡ଼ ବଡ଼ ଲୁହାପଥରକୁ ହାତୁଡ଼ିରେ ଭାଙ୍ଗି ଛୋଟ ଛୋଟ କରିବ l ଖାଦାନ କେଂଟିନରେ ମାଗଣା ଖାଇବ l ଖଣି ଭିତର ଅସ୍ଥାୟୀ ଟିଣ ଘରେ ରହିବ l 
     ବାଙ୍ଗୁରୁ ମା କାନ୍ଦି ପକାଇଲା, ସକ ସକ ହେଇ କହିଲା - ସେ ଆମର ଗୋଟେ ବୋଲି ପୁଅ l ଖରା ତରାରେ ଝାଳ ନାଳ ହେଇ ଏମିତି କଷ୍ଟିଆ ଚାକିରୀ କରିବା କଣ ଦରକାର ? ଏଠି ତ ମୂଲ ଲାଗି ଦିନକୁ ଦେଢ଼ଶହ ଭଳି ଟଙ୍କା ନିତି କମଉଥିଲା, ତାବାଦେ ଆମର ଯେଉଁ ଦଶଗୁଣ୍ଠ ଜମି ଅଛି ସେଥିରୁ ଆମ ତିନି ପ୍ରାଣୀଙ୍କର ବର୍ଷକର ଖାଇବା ମେଣ୍ଟି ଯାଉଥିଲା l ତାକୁ କୁହ ସେ ଯେମିତି ଚାକିରୀ ବାକିରି ଛାଡି ଘରକୁ ପଳାଇ ଆସିବ l
        ସ୍ତ୍ରୀର କଥାଟା ହୀରାଲାଲର ମନକୁ ପାଇଲା l ପିଲାଟା କାହିଁକି ଖରା ତରାରେ ହାଡ଼ଭଙ୍ଗା ପରିଶ୍ରମ କରିବ ବରଂ ଗାଁକୁ ଫେରିଆସିବା ଭଲ l ବାଙ୍ଗୁରୁକୁ ତୁରନ୍ତ ଫେରି ଆସିବାକୁ ଚିଠି ଲେଖିଲା l 
    ବାଙ୍ଗୁରୁର ଜନ୍ମ ବୃତାନ୍ତ ଅତି ରହସ୍ୟମୟ l ହୀରାଲାଲ ଏଇ ରହସ୍ୟକୁ ବର୍ଷ ବର୍ଷ ଧରି ଭେଦ କରିବାକୁ ଯେତେ ଚେଷ୍ଟା କଲେ ଵି ଅଡୁଆ ସୂତା ବଂଡଲ ଭିତରକୁ ପଶିଗଲା ଭଳି ତାକୁ ଲାଗେ, ମୂଳ କେଉଁଠି କି ଅଗ କେଉଁଠି ଠାବ କରିବା ବଡ଼ ଦୁଷ୍କର l
       ଦୀର୍ଘବର୍ଷ ଧରି ପତି-ପତ୍ନୀ ଦୁହେଁ ଅବଶ୍ୟ ନିଃସନ୍ତାନ ଥିଲେ,କିନ୍ତୁ କୋଳକୁ ପିଲାଟିଏ ଆସିବାର ବାଟ ଚାହିଁ ଚାହିଁ ସମୟ କେମିତି କଟୁଥିଲା,ତାହା କେବଳ ଅନୁଭବୀ ବୁଝେ l କେତେଯେ କଳ୍ପନା ଓ ଆଶା-ଆଶଙ୍କା ,କେତେଯେ ଅସଂଖ୍ୟ ଚାହିଁ ବସିବାର ମୁହୂର୍ତ୍ତ ହୀରାଲାଲ ଓ ତାର ସ୍ତ୍ରୀକୁ ହନ୍ତସନ୍ତ ନ କରିଛି ସତେ ! 
    ଠିକ ପଚିଶବର୍ଷ ତଳେ ଯେଉଁ ଦିନ ବାଙ୍ଗୁର-ମା ନିଜ ଛାତିରେ ନାଲି ଗୁଲୁ ଗୁଲୁ କୁନି ପୁଅଟିଏ ଚାପି ଧରି ଘଡିଏ ରାତିରେ ଘରେ ପହଂଚି ଥିଲା, ସେହି ମୁହୁର୍ତରେ ସବୁତକ ପ୍ରତୀକ୍ଷାର ଅନ୍ତ ଘଟିଥିଲା l 
     ହୀରାଲାଲ ବିସ୍ମୟାଭିଭୂତ ଅନୁଚ ସ୍ୱର ନିଭୃତ ମାଟିଘରକୁ ଚହଲେଇ ଦେଲା - ତୁମେ ତ ବାପଘରକୁ ଯାଇଥିଲ, ୟାକୁ କେଉଁଠୁ ଆଣିଲ ?
      ମୋ ବାପଘରୁ ବାହାରୁ ବାହାରୁ ରାତି ହେଇଗଲା l ମୁଁ ଜାଣିନି    ଅମାବାସ୍ୟା ପୁଣି ଶନିବାର ଆଜି ଥିଲା l ଇଟାଗଡି ପାଖ ଗେଙ୍ଗୁଟିଆ ନଇଁ ପାଖ ଚିରୁଗୁଣି ବାଙ୍କ ଶ୍ମଶାନ ପାଖରେ ଯେମିତି ହେଇଛି ମୋ ଦେହଟା ଭୟରେ ଶିତେଇ ଉଠିଲା l ଦେଖିଲି ଗୋଟେ ଛୁଆଟେ କୁଆଁ କୁଆଁ କାନ୍ଦୁଛି l ଧପ କିନା ଠିଆ ହେଇଗଲି ସିନା ଶ୍ମଶାନ ପାଖ ବିଶାଳ ବରଗଛର ଡାଳ ପତ୍ର ସବୁ ଭାଙ୍ଗିଗଲା ଭଳି ଶବ୍ଦରେ କମ୍ପି ଉଠିଲା l ସେହି ଘନ ଅନ୍ଧାରରେ ଲମ୍ବା ଛାଈଟିଏ ବାରମ୍ବାର ଗଛରୁ ଓହ୍ଲାଇ ପୁଣି ଗଛ ଉପରକୁ ଚଢ଼ୁଥିବାର ଦେଖି ମୋ ହଲଖ ଶୁଖିଗଲା l କେବଳ ଗ୍ରାମଦେବତୀ ମା କ୍ଷେତ୍ରପାଳଙ୍କୁ ସ୍ମରୁଥାଏ l 
       ପିଲାଦିନୁ ଶୁଣିଥିଲି ପେତିନିଟିଏ ବରଗଛରେ ବସା ବାନ୍ଧିଛି ବୋଲି, ଯିଏ ମିଞ୍ଜି ମିଞ୍ଜି ଜ୍ୱଳନ୍ତ ଜୁଇ ପାଖରେ ଗୋଡ଼ ଲମ୍ବେଇ ବସି ତାର ସଦ୍ୟଜାତ ପୁଅକୁ ସେକୁଥାଏ l ମୋ ସ୍ମୃତିର କବାଟ ଖୋଲିଗଲା l ସତରେ କଣ ସେଇ ପେତିନି ଇଏ ? 
     ମା ସିନା ଜୀବନରେ ହେଇନି କିନ୍ତୁ ଶିଶୁର ରାହାଛାଡ଼ ରାବ ମୋ ଭିତରେ ମା'ର ଭାବ ଜଗେଇ ଦେଲା ଏମିତି ଯେ ଡର ଫର କୁଆଡେ ଉଭାନ l ଏକା ନିଶ୍ୱାସେ ଶିଶୁକୁ ଛାତିରେ ଚାପି ପଳାଇ ଆସିଛି l 
     ହୀରାଲାଲର ଶିକ୍ଷାଗତ ଯୋଗ୍ୟତା ନଥାଇପାରେ କିନ୍ତୁ ସେ ଜଣେ ବାସ୍ତବବାଦୀ ମଣିଷ l ଭୂତପ୍ରେତ ଭଳି ଅନ୍ଧବିଶ୍ୱାସ ତା ପାଖ ମାଡ଼େନି l ସ୍ତ୍ରୀର ବର୍ଣ୍ଣନାକୁ ସେ ଗ୍ରହଣ ନକରି ଭାବିନେଲା ଯେ ଆଜିକାଲି ତ ଭୃଣହତ୍ୟା ବା ସଦ୍ୟଜାତ ଶିଶୁକୁ ନିଭୃତ ସ୍ଥାନରେ ଫୋପାଡିବା ଏବର ସମାଜରେ ନିତିଦିନର ଘଟଣା l ଏଇ ଘଟଣାଟି ସେମିତି ହେଇପାରେ ବୋଲି ନିଜ ମନରେ ଭାବି ନେଲା l କିନ୍ତୁ ସ୍ତ୍ରୀକୁ ନିଜ ମନର କଥା କହିଲାନି ବରଂ ପୁଅଟିଜୁ ନିଜର ପୁଅ ଭାବି ପିତାର ଦାୟିତ୍ୱରେ ଅବହେଳା କଲାନି l ତଥାପି ପିଲାଟିର ପ୍ରକୃତ ପରିଚୟ ଜାଣିବାର ଉତ୍କଣ୍ଠା ଜହ୍ନର କଳାଦାଗ ଭଳି ମସ୍ତିଷ୍କର ସ୍ନାୟୁ କେନ୍ଦ୍ରରେ ଅଟକିଗଲା ଯେ ଅଟଜିଗଲା l 
     ବାଙ୍ଗୁରୁ କିଛି ମାସ ଧରି ବାପାର ଚିଠିର ଉତ୍ତର ଦେଲାନି l ହୀରାଲାଲ ଚିଠି ଲେଖି ଲେଖି ଥକିଗଲା l ବାଙ୍ଗୁର-ମା ପୁଅକୁ ଝୁରି ଝୁରି କଣ୍ଟା ହେଲେଣି l ଅଶୁଭ ଚିନ୍ତା କବଳରେ ପଡ଼ି ସେ କେବଳ ମନ୍ଦ ଆଶଙ୍କାର ସୁଅରେ ଭାସୁଥାଏ l କିନ୍ତୁ ପ୍ରତିମାସ ବାଙ୍ଗୁରୁ ପାଖରୁ ମନିଅର୍ଡର  ଆସୁଥିଲା l 
   ପ୍ରାୟ ଛଅମାସ ପରେ ହୀରାଲାଲ ହଠାତ ଚିଠିଟିଏ ପାଇଲେ l ବାଙ୍ଗୁରୁ ଲେଖିଛି - ଆମ ମାଲିକଙ୍କର  ଜିପ ଦୁର୍ଘଟଣାଗ୍ରସ୍ତ ହେଇଥିଲା l ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା l ଡାକ୍ତଖାନାରେ ଗୋଡ଼ ଅପରେସନ ହେଲା l ମୁଁ ତାଙ୍କୁ ଦୁଇଥର ରକ୍ତ ଦେଲି l ମୋର ସେବା ଦେଖି ସେ ମୋତେ ପାଖରୁ ଆଉ ଛାଡିଲେନି l ଏବେ ସେ ଭଲ ହେଇ ନିଜ ବଙ୍ଗଳାରେ ରହୁଛନ୍ତି l ମୋତେ କିନ୍ତୁ ଗୋଟେ ମିନିଟ ପାଖରୁ ଅନ୍ତର କରୁନାହାନ୍ତି l ସେ ମୋତେ ନାତିଆ ଟୋକା ବୋଲି ଡାକୁଛନ୍ତି l 
     ବାଙ୍ଗୁରୁ-ମା ଛାତିରେ ପ୍ରାଣ ପଶିଲା l ଖୁସିରେ ଆତ୍ମହରା ହେଇ କହିଲା - ମୁଁ ଜାଣେ ପରା ମୋ ପୁଅ ଯେଉଁଠି ରହିବ ଲୋକେ ତାକୁ ଭଲ ପାଇବେ l 
    ମାଇନ୍ସ ଓନର ଷାଠିଏ ବର୍ଷୀୟ ବିପତ୍ନୀକ ବିଷ୍ଣୁ ସାମନ୍ତରାୟଙ୍କ ଦୃଷ୍ଟିରେ ବାଙ୍ଗୁରୁ ଅଶାର ଇଗଲ ପାଲଟିଲେଣି l ଦର୍ପଣରେ ପ୍ରତିବିମ୍ବିତ ନିଜ ରୁପକୁ ଦେଖିବା ଭଳି ସେ ବାଙ୍ଗୁରୁ ଭିତରେ ନିଜ ପ୍ରତିଛବି ଦେଝୁଛନ୍ତି l ମୋର ରକ୍ତ ଏ ପ୍ଲସ, ବାଙ୍ଗୁରର ଵି ଏ ପ୍ଲସ l ମୁଁ ବ୍ରାହ୍ମଣ ସେ ଓଡ଼ଚଷା l ମୁଁ ତୋଫା ଗୋରା, ସେ ଵି ତୋଫା ଗୋରା l ମୁଁ ଡେଙ୍ଗା ସେ ଵି ଡେଙ୍ଗା l ଗେଙ୍ଗୁଟି ନଈ ଏପଟେ ଆମ ଗାଁ, ସେ ପଟେ ତାଙ୍କ ଗାଁ l କିଏ ଇଏ ? 
     ବିଷ୍ଣୁ ସାମନ୍ତରାୟ ନିଜ ସହିତ ବାଙ୍ଗୁରୁକୁ ଯେତେ ତୁଳନା କରୁଥାନ୍ତି , ସେତେ ସାମଞ୍ଜସ୍ୟ ଜାଲରେ ପଡ଼ି ଛଟପଟ ହୁଅନ୍ତି l କିନ୍ତୁ ଏଇ ଛଟପଟ ଭିତରେ ଅନୁଭବ କରନ୍ତି ଏକ ପ୍ରକାର ଶାନ୍ତି ଇଗଲର ଉଡାଣ, ସତେକି ବାଙ୍ଗୁରୁ ତାଙ୍କୁ ବହୁ ଦୂରଜୁ ନେଇଯିବ l 
    ବୋହୂ ରେବତୀର ଶେଷ କଥାର ସତର୍କ ଘଣ୍ଟି ପୁଣି ନିଜ କାନରେ ଗୁଞ୍ଜରିତ ହେଲା - ବାପା ଦେଖୁଛ ତ ପୁଅର ଜନ୍ମ ମାତ୍ର ସପ୍ତାହେ ବିତିଛି l ଏ ଅବସ୍ଥାରେ ପେଟେ ମଦ ପିଇ, ଚରସ ଖାଇ ସେ କେମିତି ମୋତେ ଗୋରୁ ଗାଈ ଭଳି ଗୋଇଁଠା ଚାପୋଡ଼ା ମାରି ଲହୁ ଲୁହାଣ କରୁଛନ୍ତି l ଆଉ ସମ୍ଭାଳି ପାରୁନି l ଏମିତି ନିଶାଡି ପୁଅକୁ କାହିଁକି ମୋ ସହିତ ବାହା କରାଉଥିଲ ? 
      ମାତ୍ର ଦୁଇ ଦିନ ବିତିଛି କି ନାହିଁ ସକାଳୁ ସକାଳୁ ହୀରାଲାଲ ଯାହା ଦେଖିଲେ ତାଙ୍କର ଛାତିର ସ୍ପନ୍ଦନ କିଛି କ୍ଷଣ ଅଟକିଗଲା l ସେ ଅର୍ଦ୍ଧବାହ୍ୟ ଜ୍ଞାନ ହରାଇ ଦେଖୁଛନ୍ତି - ବୋହୂ ଗ୍ୟାସ ସିଲିଣ୍ଡର ଖୋଲି କଳା କାଠଟିଏ ହେଇ ରୋଷେଇ ଘର ଚଟାଣରେ ଚିର ନିଦରେ ଶୋଇପଡିଛି l ଇତ୍ୟାବସରେ ମଦ୍ୟପି ପୁଅ ନିଦରୁ ଉଠି ରଢ଼ି ଛାଡୁଥିଲା - ବାପା ପୁଅ ନାହିଁ l
         ଆଗରୁ ତ ପତ୍ନୀ ଅସାଧ୍ୟ କେନ୍ସରରେ ପୀଡିତ ହେଇ ଆର ପାରିକୁ ଚାଲି ଯାଇଥିଲେ,ଏବେ ବୋହୂ ସେଇ ପଥରେ ବାଟୋଇ ହେଇଗଲା l କିଂ କର୍ତ୍ତବ୍ୟ ବିମୂଢ଼ ବିଷ୍ଣୁ  ସାମନ୍ତରାୟ ସଦ୍ୟଜାତ ନାତିର ଆକସ୍ମିକ ଅନ୍ତର୍ଦ୍ଧାନ ଫଳରେ ଖୁବ ଭାଙ୍ଗି ପଡିଲେ, ଚାରିଆଡେ ଖୋଜାଖୋଜି କଲେ ସତ କିନ୍ତୁ କିଛି ଵି ସୁରାକ ପାଇଲେନି l ଶେଷରେ ଏକମାତ୍ର ମଦ୍ୟପ ପୁଅକୁ ସାଙ୍ଗରେ ନେଇ ଚାଲି ଆସିଲେ ନିଜ ମାଇନ୍ସକୁ l ଆଉ ସେ ଫେରି ନାହାନ୍ତି ନିଜର ଜନ୍ମମାଟି ଗାଁକୁ l 
       ଛୋଟ ମାଇନ୍ସର ଲିଜ ପିରିୟଡ଼ ସରିବାକୁ ଆହୁରି ବାକି ଅଛି କୋଡିଏ ବର୍ଷ l ଖଣି ମାଲିକ ହେବାର ଗର୍ବ ଆଉ ନାହିଁ, ଯେନତେନ ପ୍ରକାରଣେ ମାଇନ୍ସକୁ ଚଳାଇବାକୁ ହେବ l କିନ୍ତୁ ମଦ୍ୟପ ପୁଅର ଅସହ୍ୟ କାଣ୍ଡକାରଖାନା ତାଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦେଲାନି l ମାଇନ୍ସ ଭିତରେ ଥିବା ଏକ ପରିତ୍ୟକ୍ତ ଜଳାଶୟରେ ଡୁବି ମଦ୍ୟପ ପୁତ୍ରର ମଧ୍ୟ କିଛି ବର୍ଷ ତଳେ ମୃତ୍ୟୁ ହେଇଥିଲା l 
      ଏବେ ବାଙ୍ଗୁର ତାଙ୍କର ଆଶାବାଡି l ସ୍ନେହରେ ତାକୁ ଡାକନ୍ତି ନିତାଇ ବୋଲି l ଏହି ନିତାଇକୁ ସବୁ ସମ୍ପତ୍ତିର ଜୀବନ୍ତ ଯଖ କରିବାକୁ ମନସ୍ତ କଲେଣି l ଶୁଭସ୍ୟ ଶୀଘ୍ରମ l ଏତକ ଭାବି ନିଜ କାରରେ ବାଙ୍ଗୁରୁକୁ ବସାଇ ଗାଁକୁ ଚାଲିଲେ ବିଷ୍ଣୁ ସାମନ୍ତରାୟ l ନିଜର ମନର କଥା ବାଙ୍ଗୁର ବାପା ମା'କୁ କହିବେ, ତାକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିବା ପାଇଁ l 
     ହାତୀ ପୁଅ ଉପରେ ସୁନା କଳସୀ ଢ଼ାଳିବା ପ୍ରସ୍ତାବଟି ଆଦୌ ହୀରାଲାଲକୁ ଭଲ ଲାଗିଲାନି ବରଂ ବାଙ୍ଗୁରୁ ମା ଖୁସିରେ ଚହଲି ଉଠିଲା l     ବାପ ଘର ଗାଁର ଲୋକ ବିଷ୍ଣୁ ସାମନ୍ତରାୟ, ତାଙ୍କ ସ୍ତ୍ରୀ ସହିତ ସେ ସଙ୍ଗାତ ବସିଥିଲା l ବୋହୂ ରେବତୀ ଵି ତାକୁ ବେଶ ମାନ୍ୟ କରୁଥିଲା l 
     ହୀରାଲାଲ ଏମନ୍ତ ପ୍ରସ୍ତାବରେ ଉଁ କି ଚୁଁ କହିଲେନି l ବିଷ୍ଣୁ ସାମନ୍ତରାୟଙ୍କର ନାଁ ଶୁଣିଥିଲା କିନ୍ତୁ କେବେ ଦେଖି ନଥିଲା l ସେ ମନେ ମନେ ଭାବୁଥିଲା - ଶଃ..... ଇୟେ ଗୋଟେ ବଅଁଶ ବୁଡ଼ା ଢ଼ାଉକ l ନିଜ ବୋହୂକୁ ଗ୍ୟାସରେ ପୋଡି ମାରିଛି, ମଦୁଆ ପୁଅକୁ ମଦ ପିଆଇ ପିଆଇ ମାରିଛି l ୟାକୁ ପୁଣି ମୋର ଏକମାତ୍ର ପୁଅ ବାଙ୍ଗୁରୁକୁ ଦେବି ? ଝଲକାଏ ତାତି ହାୱା ମାଡି ଆସିଲା ପରି ସେ ଭୁସ କିନା କହି ଉଠିଲା - ନା କେବେ ନୁହେଁ l ହଁ ସେ ଆପଣଙ୍କ ମାଇନ୍ସରେ କାମ କରିବ କିନ୍ତୁ ପୋଷ୍ୟପୁତ୍ର ଭାବେ ନୁହେଁ l
      ବିଷ୍ଣୁ ସାମନ୍ତରାୟଙ୍କ ମୁହଁ ଝାଉଁଳି ପଡିଲା l ସତେଜି ସ୍ୱପ୍ନର ଇଗଲଟା ଅନନ୍ତ ଆକାଶରେ କେଉଁଠି ଲୁଚିଗଲା !! ଜୀବନ୍ତ ଯଖଟା   ରବି ଠାକୁରଙ୍କର ଗପରେ ନିତାଇ ପାଳିତ ସତ ଯଖ ପାଲଟିଗଲା ?
        ଧାର ଧାର ବୋହିଯାଉଥିବା ଲୁହକୁ ପୋଛି ବିଷ୍ଣୁ ସାମନ୍ତରାୟ ଚାଲି ଯିବାକୁ ଉଦ୍ୟତ ହେବା କ୍ଷଣି ବାଙ୍ଗୁର-ମା ତାଙ୍କ ହାତ ଧରି ତଳେ ବିଛା ଯାଇଥିବା ମସିଣାରେ ବସାଇ କହି ଉଠିଲା - ମୋତେ ତୁମେ ତୁମ ଗାଁ ଘରେ ଅନେକ ଥର ଦେଖିଛ କିନ୍ତୁ ମୋତେ ଚିହ୍ନି ନାହଁ l ମୁଁ ତୁମ ଗାଁର ଭାଲୁ ପଧାନ ଝିଅ l 
      ବିଷ୍ଣୁ ସାମନ୍ତରାୟଙ୍କ ଓଠରେ ହସ ଉକୁଟି ଉଠିଲା - ଓହୋଃ ଏବେ ଜାଣିଲି, ତୁମେ ମୋ ସ୍ତ୍ରୀ କନକର ସଙ୍ଗାତୁଣୀ ନା ? 
      ହଁ ହଁ ଠିକ ଚିହ୍ନିଛ l ତୁମେ ଆମ ବାଙ୍ଗୁରୁକୁ ପୋଷ୍ୟ ନାତି ଭାବେ ଗ୍ରହଣ କଲେ କିଛି ଆମର ଅସୁବିଧା ନାହିଁ l ହାତୀ ବନସ୍ତରେ ବୁଲିଲେ ଵି ରଜାଙ୍କର l 
     ବିଷ୍ଣୁ ସାମନ୍ତରାୟ ଚାଲିଗଲା ପରେ ହୀରାଲାଲ ଉତକ୍ଷିପ୍ତ ହେଇ ଡିମା ଡିମା ଆଖିରେ କହିଲେ - ତୁ କଣ ଶେଷରେ ବାଙ୍ଗୁରୁକୁ ଗୋଟେ ଖୁନି ଆସାମୀ ହାତରେ ଟେକିଦେଲୁ ? 
    ହେଇଟି ଦେଖ l କୁଷ୍ଣ ଗୋପରେ ବଢିଲେ ଵି ସେ ମଥୁରାର l ଯାହାର ନାତି ତା ପାଖକୁ ଗଲା l 
    ମାନେ ?
     ଶୁଣ ମୋ କଥା l ମୋତେ ମଶାଣିର ପେତିନି କୁନିପୁଅ ବାଙ୍ଗୁରୁକୁ ଦେଇନଥିଲା l ବିଷ୍ଣୁ ରାଉତରାୟ ବୋହୂ ରେବତୀ ଖୋଦ ମୋ ହାତରେ ସମସ୍ତଙ୍କ ଅଜାଣତରେ ପୁଅକୁ ଟେକି ଦେଇ କହିଥିଲା - ମାଉସୀ, ଦେଖୁଛ ତ ମୋ ନୃଶଂସ ସ୍ୱାମୀ ଏ ଅବସ୍ଥାରେ ମୋତେ ମାରପିଟ କରି ମୋ ମୁହଁ ଓ ହାତକୁ ରକ୍ତାକ୍ତ କରିଦେଇଛି l ପୁଣି ଛଅଦିନର ପୁଅର ତଣ୍ଟି ଚିପି ମାରି ଦେବାକୁ କହୁଛି l ମୋ ପୁଅର କେତେବେଳେ କଣ ହେଇଯିବ ମୋତେ ଜଣା ନାହିଁ l ତୁମେ ୟାକୁ ନେଇ ଯାଅ, ପରେ ଦେଖିବା କଣ କରିବାକୁ ହେବ l 
 ପୁଅକୁ ନେଇ ଆସିବାର ରାତିଟି ପାହିବା ପରେ ସକାଳୁ ସକାଳୁ ରେବତୀ ଗ୍ୟାସରେ ପୋଡି ମରିବାର ଖବର ପହଁଚିଲା l 
 ହୀରାଲାଲଙ୍କର ହସ ଉଛୁଳି ପଡିଲା l ସେ ଖୁସିରେ ଗଦ ଗଦ ହେଇ କହି ଉଠିଲା - ସତରେ ହାତୀ ବନସ୍ତରେ ବୁଲିଲେ ଵି ରଜାଙ୍କର l ଯାହାହେଉ ଆମ ବାଙ୍ଗୁରୁ ଏବେ ନିତାଇ ସାମନ୍ତରାୟ l 

———–000000————
© ମନୋଜ କୁମାର ମହାପାତ୍ର

Leave A Reply

Your email address will not be published.