କୌଶଲ୍ୟାଗଙ୍ଗ ସରକାରୀ ମାଛଫାର୍ମରେ ପ୍ରଥମ ଗିଫ୍ଟ ହ୍ୟାଚେରୀ

0
  • ଲୋକର୍ପଣ କଲେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର//TATKAL ODISHA//

କୌଶଲ୍ୟାଗଙ୍ଗ ସରକାରୀ ମାଛଫାର୍ମରେ ଗିଫ୍ଟ ହ୍ୟାଚେରୀ ପ୍ରତିଷ୍ଠା
ଓଡ଼ିଶା ରାଜ୍ୟରେ ମତ୍ସ୍ୟ ଚାଷୀଙ୍କର ଆବଶ୍ୟକତା ଓ ଆଗ୍ରହକୁ ଦେଖି କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛ ଫାର୍ମ ମଧ୍ୟରେ ରାଜ୍ୟର ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ବା ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାଦ୍ଵାରା ଆମ ରାଜ୍ୟର ଚାଷୀଙ୍କର ଆବଶ୍ୟକତା ପୁରଣ ସହିତ ଏହି ଅଧିକ ଅମଳ କ୍ଷମ ପ୍ରଜାତିର ଯାଆଁଳ ପଡୋଶୀ ରାଜ୍ୟକୁ ମଧ୍ୟ ପଠା ଯାଇପାରିବ।

ଗିଫ୍ଟ ହ୍ୟାଚେରୀ

କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛଫାର୍ମ ରାଜ୍ୟର ଏକ ଅଗ୍ରଣୀ ମାଛଫାର୍ମ । ଏଠାରେ କାର୍ପ ମାଛ ସହିତ ଅନ୍ୟ କେତେକ ଉନ୍ନତ ପ୍ରଜାତିର ମାଛଯାଆଁଳ ଉତ୍ପାଦନ ବ୍ୟତିତ ଗବେଷଣା ଓ ଚାଷୀ ଙ୍କୁ ଜ୍ଞାନକୌଶଳ ପ୍ରଦାନ କରାଯାଉଛି। ଚଳିତ ବର୍ଷ ଏହି ସରକାରୀ ଫାର୍ମରେ ୩୫ କୋଟି ଉନ୍ନତ ଗୁଣ୍ଡ ଯାଆଁଳ ଉତ୍ପାଦନ ସହିତ ୧୦୬ ଲକ୍ଷ ଫ୍ରାଏ ଚାଷୀ ମାନଙ୍କୁ ଯୋଗାଇ ଦିଆ ଯାଇଛି ।


ଏକ ଉନ୍ନତ ପ୍ରଜାତି ତଥା ଅଧିକ ଅମଳକ୍ଷମ ଗିଫ୍ଟ ଟିଲାପିଆ ମାଛ ଗତ ତିନି ବର୍ଷ ଧରି ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଥିଲା। ଏହି ମାଛ ସାତମାସ ଚାଷ ଅବଧିରେ ଏକର ପ୍ରତି ଗୋଟିଏ ଚାଷରେ ୩-୪ ମେଟ୍ରିକ ଟନ ଉତ୍ପାଦନ ଯୋଗୁଁ ଅନେକ ଚାଷୀ ଏହି ପ୍ରଜାତିର ମାଛ ଚାଷନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଚାଷରେ ଭାରତ ସରକାରଙ୍କ ଅନୁଶ୍ରୁତ ନୀତି ଅନୁଯାୟୀ ଉନ୍ନତ ଜୈବ ସୁରକ୍ଷା ପଦ୍ଧତି ଅବଲମ୍ବନ କରାଯାଇଥାଏ।

ଏଥି ପୂର୍ବରୁ ଏହି ପ୍ରଜାତିର ଉନ୍ନତ ଯାଆଁଳ ଆନ୍ଧ୍ରପ୍ରଦେଶ ର ବିଜୟୱାଡା ନିକଟସ୍ଥ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଉଥିଲା। ଅଧିକ ଆବଶ୍ୟକତା ହେତୁ କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୂଲ୍ୟରେ ତଥା ୱାର୍ଲ୍ଡ ଫିସ ସଂଗଠନର ବୈଷୟିକ ପରାମର୍ଶରେ ରାଜ୍ୟର ଏହି ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ପ୍ରତିଷ୍ଠା କରାଯାଇଛି। ଏଥିରେ ଗିଫ୍ଟ ବା ଉନ୍ନତ ଆନୁବଂଶିକ ପ୍ରଜାତିର କେବଳ ପୁରୁଷ ଲିଂଗ ବିଶିଷ୍ଟ ଯାଆଁଳ ହରମୋନ ପ୍ରୟୋଗ ଦ୍ଵାରା ଉତ୍ପାଦନ କରାଯାଉଛି। ଏହାଦ୍ଵାରା ଅନାବଶ୍ୟକ ପ୍ରଜନନ କୁ ରୋକାଯାଇପାରିବ। ଏହି ମାଛ ଏକ ଆକର୍ଷଣୀୟ ଆକୃତି ,କେବଳ ମଝି କଣ୍ଟା, ସ୍ଵାଦ ଓ ପୁଷ୍ଟିଯୁକ୍ତ ହେତୁ ଅଧିକ ଲୋକପ୍ରିୟ ହୋଇପଡ଼ିଛି। ମିଳିତ ଜାତିସଂଘ ର ଖାଦ୍ୟ ଓ କୃଷି ସଂଗଠନର ଆକଳନ ଅନୁଯାୟୀ ଏହା ବିଶ୍ୱରେ ସ୍ୱଳ୍ପ ଚାଷ ଅବଧିରେ ଅଧିକ ଉତ୍ପାଦନ ହେତୁ ସମଗ୍ର ଜଳକୃଷି ଉତ୍ପାଦନର ୬୦ % ସ୍ଥାନ ଅଧିକାର କରିବା ଆଶା କରାଯାଏ। ପ୍ରକାଶ ଯୋଗ୍ୟ ଯେ ଟିଲାପିଆ ପ୍ରଜାତି ଏକବିଂଶ ଶତାଦ୍ଧି ର ମୁଖ୍ୟ ଚାଷ ଉପଯୋଗୀ ପ୍ରଜାତି ରୂପେ ପରିଗଣିତ ହେବ। ଏହି ମାଛ ପ୍ରଜାତି ପୋଖରୀ, କେଜ ବା ପଞ୍ଜୁରି ଚାଷ ବ୍ୟତିତ ବାୟୋଫ୍ଲକ ଚାଷ ପଦ୍ଧତି ପାଇଁ ସର୍ବୋକୃଷ୍ଟ ଅଟେ I


ବାର୍ଷିକ ୫୦ ଲକ୍ଷ ଯାଆଁଳ ଉତ୍ପାଦନ କ୍ଷମତା ସମ୍ପନ୍ନ ଏହି ନୂତନ ଭାବେ ଉଦଘାଟିତ ହ୍ୟାଚେରୀ ନିମନ୍ତେ ଦୁଇ କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ଏହା ୪୭୦୦ ବର୍ଗ ଫୁଟ ଅଞ୍ଚଳରେ ଅବସ୍ଥିତ। ଏଥିସହିତ ଜୈବ ସୁରକ୍ଷା ଯୁକ୍ତ ୪ ଏକର ପରିମିତ ପୋଖରୀ , ବିଜ୍ଞାନାଗାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ସଂଯୋଗ କରାଯାଇଛି। ଏଥିରେ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇଥିବା ରୋଗମୁକ୍ତ ବୃଡଷ୍ଟକର ଉପଯୁକ୍ତ ଲାଳନ ପାଳନ କରି ପ୍ରଜନନ କାର୍ଯ୍ୟରେ ଲଗାଯାଉଥିବା ହେତୁ ଉନ୍ନତ ଯାଆଁଳ ଚାଷୀଙ୍କୁ ଯୋଗାଇ ଦିଆଯାଇପାରୁଛି।

ଗତବର୍ଷ ଏକ ଅସ୍ଥାୟୀ ହ୍ୟାଚେରୀ ରେ ପରୀକ୍ଷା ମୂଳକ ଭାବେ ୪ ଲକ୍ଷ ଗିଫ୍ଟ ଯାଆଁଳ ସଫଳତାର ସହ ଉତ୍ପାଦନ କରାଯାଇଥିଲା। ଚଳିତ ବର୍ଷ ଅଦ୍ୟାବଧି ୯ ଲକ୍ଷ ଉନ୍ନତ ଗିଫ୍ଟ ଯାଆଁଳ ଉତ୍ପାଦନ କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଅଯାଇଛି। ଏହି ନୂତନ ହ୍ୟାଚେରୀ ସମ୍ପୂର୍ଣ କାର୍ଯ୍ୟକାରୀ ହେବା ଦ୍ଵାରା ଚାଷୀମାନଙ୍କର ଆବଶ୍ୟକତା ପୁରଣ ହୋଇପାରିବ। ରାଜ୍ୟରେ ଗିଫ୍ଟ ଯାଆଁଳ ର ଅଧିକ ଆବଶ୍ୟକତାକୁ ଆଖି ଆଗରେ ରଖି ଘରୋଇ ଉଦ୍ୟୋଗ ରେ ୪ ଗୋଟି ଗିଫ୍ଟ ଯାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି। ଏହି କେନ୍ଦ୍ରରେ ଉନ୍ନତ ଯାଆଁଳ ଯୋଗାଣ ସହ ଚାଷୀ ମାନଙ୍କୁ ଗିଫ୍ଟ ଚାଷ ନିମନ୍ତେ ଉପଯୁକ୍ତ ତାଲିମ ଓ ବୈଷୟିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଉଛି।


ଏହି ନୂତନ ଗିଫ୍ଟ ହ୍ୟାଚେରୀକୁ ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଲୋକର୍ପଣ କରିଛନ୍ତି। ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର ରଘୁ ପ୍ରସାଦ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଉପସ୍ଥିତ ଅଛନ୍ତି। ମତ୍ସ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ଏବଂ ହ୍ୟାଚେରୀ ପରିଚାଳକ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ହ୍ୟାଚେରୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Leave A Reply

Your email address will not be published.