କିଶୋର ଦ୍ୱିବେଦୀ ବିଶ୍ୱ ଓଡ଼ିଶା ସମାଜର ନୂଆ ଅଧ୍ୟକ୍ଷ
୨୦ ଜଣିଆ କାର୍ଯ୍ୟକାରୀ କମିଟି ଗଠିତ
ୱାଶିଂଟନ୍ / ଟରୋଣ୍ଟୋ / ଲଣ୍ଡନ / କାନ୍ବେରା / ଆବୁଧାବୀ / ଜାକର୍ତ୍ତା / ଦୁବାଇ / ନୂଆଦିଲ୍ଲୀ / ଚେନ୍ନାଇ / ବେଙ୍ଗାଲୁରୁ / କଲକାତା / ମୁମ୍ବଇ / ଭୁବନେଶ୍ୱର
ବରିଷ୍ଠ ସାମ୍ବାଦିକ ଏବଂ ବନ୍ଦେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ନବଗଠିତ ବିଶ୍ୱ ଓଡ଼ିଶା ସମାଜର ପ୍ରଥମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଅନ୍ଲାଇନ୍ଦ୍ୱାରା ଅନୁଷ୍ଠିତ ନିର୍ବାଚନରେ ଶ୍ରୀ ଦ୍ୱିବେଦୀ ବିପୁଳ ଭୋଟ୍ରେ ଜୟଯୁକ୍ତ ହୋଇଥିବା ଜଣାଯାଇଛି । ଦୀର୍ଘଦିନର ସାମ୍ବାଦିକତା ଅଭିଜ୍ଞତା ଥିବା ଶ୍ରୀ ଦ୍ୱିବେଦୀ ‘ପ୍ରଜାତନ୍ତ୍ର’, ‘ସମ୍ବାଦ’ ଓ ‘ସମାଜ’ ଆଦି ସମ୍ବାଦପତ୍ରର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଭାବେ ବହୁ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ୫ଥର ପାଇଁ ସେ ଲୋକସଭାର ପ୍ରେସ୍ ପରାମର୍ଶଦାତା କମିଟି ସଦସ୍ୟ ଭାବରେ ବାଚସ୍ପତିଙ୍କଦ୍ୱାରା ମନୋନିତ ହୋଇଛନ୍ତି । ଏବେ ସେ ‘ଓଁ ମିଡିଆ ନେଟ୍ୱାର୍କ’ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀ ଦ୍ୱିବେଦୀ ‘ବିଓସ’ର ଅଧ୍ୟକ୍ଷ ଭାବେ ଦୁଇ ବର୍ଷ ପାଇଁ ଦାୟିତ୍ୱ ତୁଲାଇବେ । ଶ୍ରୀ ଦ୍ୱିବେଦୀଙ୍କ ସହିତ ଏକ ୨୦ଜଣିଆ କାର୍ଯ୍ୟକାରୀ କମିଟି ପାଇଁ ସଦସ୍ୟମାନେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ପବିତ୍ର ମହାରଥା, ଭାରତ, ପ୍ରଦୀପ ରଥ, ଆବୁଧାବୀ, ଦେବେନ୍ଦ୍ର ମାଝୀ, ଭାରତ, ଆଶୁତୋଷ ଦାଶ, ଭାରତ, ଡକ୍ଟର ତନ୍ମୟ ପଣ୍ଡା, କାନାଡ଼ା, ମନୋଜ ନାୟକ, ଭାରତ, ସନ୍ତୋଷ ମିଶ୍ର, ରୁଷିଆ, ଡକ୍ଟର ନଳିନୀ ପତି, ଅଷ୍ଟ୍ରେଲିଆ, ଅମିୟ ମିଶ୍ର, ୟୁ.ଏ.ଇ, ଶାଶ୍ୱତ ପାଢ଼ୀ, ନେଦରଲାଣ୍ଡ, ଡକ୍ଟର ପ୍ରତାପ ପାଣି, ଭାରତ, ଡକ୍ଟର ସୁନନ୍ଦା ମିଶ୍ର ପଣ୍ଡା, କାନାଡ଼ା, ସିଦ୍ଧାର୍ଥ ଦାସ, ୟୁଏଇ, ଦେବର୍ଶୀ ମଲ୍ଲିକ, ଇଣ୍ଡୋନେସିଆ, ପ୍ରୀତିଶ ଦାଶ, ୟୁଏଇ, ଶିବରଞ୍ଜନ ବିଶ୍ୱାଳ, ୟୁକେ, ସମ୍ବିତ ମିଶ୍ର, ଶିଙ୍ଗାପୁର, କୁନା ଦାଶ, ଜାପାନ, ପୀତାମ୍ବର ବାରିକ, ଭାରତ, ଡକ୍ଟର ଭାଗ୍ୟଶ୍ରୀ ସିଂ, ୟୁକେ ।
ଚାର୍ଟାଡ୍ ଆକାଉଣ୍ଟାଣ୍ଟ ସୁଧୀର ଦାଶ ଖୁବ୍ ସ୍ୱଚ୍ଛତା ଓ ଦକ୍ଷତାର ସହ ଇ-ନିର୍ବାଚନକୁ ପରିଚାଳନା କରିଥିଲେ । ନିର୍ବାଚିତ ହେବା ପରେ ‘ବିଓସ’ର ଅଧ୍ୟକ୍ଷ ଶ୍ରୀ ଦ୍ୱିବେଦୀ ସାରା ବିଶ୍ୱର ଓଡ଼ିଆମାନେ ଏକ୍ଜୁଟ୍ ହୋଇ ଶକ୍ତ ଭାବରେ ଛିଡ଼ା ହେବାକୁ ଆହ୍ୱାନ ଜଣାଇଥିଲେ । ସମଗ୍ର ଜଗତର ଓଡ଼ିଆ ସମାଜ ଏକ ମନ, ଏକ ପ୍ରାଣ ଓ ଏକ ଧ୍ୟାନ ଦେଇ କାର୍ଯ୍ୟ କଲେ ଆମର ମାତୃପ୍ରଦେଶ ଓଡ଼ିଶା ନିଶ୍ଚିତ ଭାବରେ ଶ୍ରେଷ୍ଠତ୍ୱ ହାସଲ କରିବ ବୋଲି ଶ୍ରୀ ଦ୍ୱିବେଦୀ ଦମ୍ଭ ପ୍ରକାଶ କରିଥିଲେ ।
ଏହି ଭିଡିଓ କନ୍ଫରେନ୍ସିଂ ବୈଠକରେ ପୃଥିବୀର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତା, ବିଶିଷ୍ଟ ପ୍ରବାସୀ ଓଡ଼ିଆ ବ୍ୟକ୍ତିବିଶେଷ ଏବଂ ଓଡ଼ିଶାକେନ୍ଦ୍ରୀକ, ସାମାଜିକ, ସାଂସ୍କୃତିକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇଥିଲେ । ଡିଜିଟାଲ ବୈଠକକୁ ସମ୍ବୋଧନ କରି ‘ବିଓସ’ର ପ୍ରତିଷ୍ଠାତା ଏବଂ ଶୋଭନୀୟ ଆନ୍ଦୋଳନର ନିର୍ଦେଶିକା ଗୁୁରୁ ମା’ ଡକ୍ଟର ଅରୁନ୍ଧତି ଦେବୀ ନିଜର ମାତୃଭୂମୀ, ମାତୃଭାଷା ଏବଂ ଜଗନ୍ନାଥ ସଂସ୍କୃତିର ମହନୀୟତା ଓ ମହାନତାକୁ ପ୍ରଚାର ପ୍ରସାର କରିବା ପାଇଁ ନିବେଦନ ଜଣାଇଥିଲେ । ଆମର ଉତ୍କୃଷ୍ଟ ପ୍ରଦେଶ ଉତ୍କଳ ପାଇଁ ଆମେ ଗର୍ବିତ, ସମର୍ପିତ ଓ ଆମର ଶିରୋନ୍ନତ୍ତ ବୋଲି ଦର୍ଶାଇ ବିଶ୍ୱ ଓଡ଼ିଶା ସମାଜ ଏହାର ଶ୍ରେଷ୍ଠତ୍ୱକୁ ଦେଶ ବିଦେଶରେ ପରିଚିତ ଓ ପ୍ରତିପାଦିତ କରିବ ବୋଲି ଆଶା, ଆକାଙକ୍ଷା, ଆକୁଳତା ଓ ବ୍ୟାକୁଳତା ପ୍ରକାଶ କରିଥିଲେ ।
ଭର୍ଚ୍ଚୁଆଲ୍ ସଭାରେ ‘ବିଓସ’ର ସଂସ୍ଥାପକ ସଦସ୍ୟ ଓ ନେଦରଲାଣ୍ଡ ଓଡ଼ିଆ ସମାଜର ସଭାପତି ଶାଶ୍ୱତ ପାଢ଼ୀ ‘ବିଓସ’ର ମୂଳ ଲକ୍ଷ୍ୟ, ଭବିଷ୍ୟତ ଦୃଷ୍ଟିକୋଣ ଏବଂ ସ୍ଥିରିକୃତ ଗନ୍ତବ୍ୟପଥ ସମ୍ପର୍କରେ ଏକ ପାୱାରପେଏଣ୍ଟ ଜରିଆରେ ଉପସ୍ଥାପନ କରିଥିଲେ । ୟୁ.ଏ.ଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର ଲାଇଭଷ୍ଟ୍ରିମିଂ ସମାବେଶରେ ଅଧ୍ୟକ୍ଷତା କରିଥିଲେ । ରୁଷ୍ ଓଡ଼ିଶା ସମାଜର ସଭାପତି ସନ୍ତୋଷ ମିଶ୍ର ନୂତନ ସଂଗଠନକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡକ୍ଟର ନଳିନୀ ପତି ଏବଂ ଟରୋଣ୍ଟୋରୁ ସୁନନ୍ଦା ମିଶ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପୁଷ୍ପାଞ୍ଜଳି ବାରିକ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।