ଓଡ଼ିଶୀ ନୃତ୍ୟ ମହାକୁମ୍ଭରେ ମୁକ୍ତେଶ୍ୱର ନୃତ୍ୟୋତ୍ସବ,ଶୁଭ ଉଦଘାଟନ

0
  • ଭୁବନେଶ୍ୱର//TATKAL ODISHA//

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆଜିଠାରୁ ତିନିଦିନ ଧରି ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‌ଘାଟିତ ହୋଇଥିଲା ।

ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ଏହି

ଉତ୍ସବର ମୁଖ୍ୟ ଉଦେ୍ଶ୍ୟ ହେଉଛି ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦ୍ୱୈତ୍ୟ ଓ ଦଳଗତ ନୃତ୍ୟକୁ ଗୋଟିଏ ମଞ୍ଚରେ ଦେଶ ତଥା ଦେଶ ବାହାରୁ ଆସୁଥିବା ନୃତ୍ୟଶିଳ୍ପୀଙ୍କୁ ଉପସ୍ଥାପନ କରାଇବା ସହିତ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା ।

ଉଦ୍‌ଘାଟନୀ ସନ୍ଧ୍ୟାର ଅତିଥିମାନେ ଥିଲେ ଭିନ୍ନକ୍ଷମ, ସାମାଜିକ ସୁରକ୍ଷା, ସଶକ୍ତିକରଣ, ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା; ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା – ଶ୍ରୀ ରୂଦ୍ରାଷ୍ଟକମ୍‌ ଯାହାକୁ ପରିବେଷଣ କରିଥିଲେ ପ୍ରଦୀପ କୁମାର ଦାସ ଓ ସାଥୀ । ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ନୂଆଦିଲ୍ଲୀରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ କବିତା ଦ୍ୱିବେଦୀଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ । ତାଙ୍କର ପରିବେଷଣରେ ଥିଲା ଅଭିଶପ୍ତା କେତକୀ ଯାହାର ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପାଲିତ୍‌ ଓ ନୃତ୍ୟ ସଂରଚନା ନିଜେ କବିତା ଦ୍ୱିବେଦୀ କରିଥିଲେ ।

ପରେ ପରେ ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଆସିଥିବା ଶୋଭା ବିସିତ୍‌ ଓ ଦୀପିକା ବିସିତ୍‌ଙ୍କ ଦ୍ୱାରା ପ୍ରଥମେ ଶିବଙ୍କ ଉପରେ ନିବଦ୍ଧ ନଟରାଜ ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ମାଧବୀ ମୁଦ୍‌ଗଲ୍‌ ପରେ ପରେ କାଳୀଦାସଙ୍କ ରଚିତ ଅଭିନୟ ବସନ୍ତ ପରିବେଷଣ କରିଥିଲେ । ତାଙ୍କର ଅନ୍ତିମ ଅର୍ଘରେ ଥିଲା ପଲ୍ଲବୀ ଯାହା ରାଗ ଗୁଣ୍ଡକେମର ଓ ତାଳ ତ୍ରୀପଟା ଉପରେ ନିବଦ୍ଧ ଥିଲା ।

ଶେଷ କାର୍ଯ୍ୟକ୍ରମ ଥିଲା ବାଙ୍ଗାଲୋରରୁ ଆସିଥିବା ମଧୁଲିତା ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ନୃତ୍ୟାନ୍ତର ଅନୁଷ୍ଠାନର ଶିଲ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ । ସେମାନେ ପ୍ରଥମେ ଇଶ୍ୱରୀ ଓ ପରେ ପରେ ମହ୍ଲାର ପଲ୍ଲବୀ ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ମଧୁଲିତା ମହାପାତ୍ର ଯାହାକୁ ଦର୍ଶକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ଉପଭୋଗ କରିଥିଲେ ।

କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ୍‌ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ନୃତ୍ୟ ଉତ୍ସବର ସିଧା ପ୍ରସାରଣ ଦୂରଦର୍ଶନର କେନ୍ଦ୍ରର ଡ଼ି ଡ଼ି ଭାରତୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସୋସିଆଲ ମିଡ଼ିଆ ପାଲ୍ଟଫର୍ମରେ କରାଯାଉଅଛି ।

Leave A Reply

Your email address will not be published.