ଓଡ଼ିଶାରୁ ୯.୯୧ ଲକ୍ଷ ମେଟ୍ରିକ ଟନ୍‌ ମାଛ ଉତ୍ପାଦନ, ଦେଶରେ ଚତୁର୍ଥ

0
  • କେଜ କଲଚର ପଦ୍ଧତିରେ ଅତିରିକ୍ତ ୧.୨୫ ଲକ୍ଷ ମେଟି୍ରକ୍‌ ଟନ୍‌ ଉତ୍ପାଦନ କରିବାର ସୁଯୋଗ

ଭୁବନେଶ୍ୱର,//TATKAL ODISHA //


ମାଛଚାଷରେ ବିବିଧିକରଣ କରି ବିଭିନ୍ନ ପ୍ରଜାତିର ମାଛଚାଷ ସହିତ ସର୍ବୋତ୍ତମ ପରିଚାଳନା ବ୍ୟବସ୍ଥାକୁ ଆପଣାଇ ମାଛ ଉତ୍ପାଦନ ବୃଦ୍ଧି ଓ ରପ୍ତାନୀ ସହିତ ପରିବେଶ ଅନୁକୂଳ ଓ ପୋଷଣୀୟ ମାଛଚାଷ ଉପରେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ସୋମବାର କୃଷି ଭବନଠାରେ ଭାରତ ସରକାରଙ୍କ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସୁବର୍ଣ୍ଣ ଜୟନ୍ତୀ ଏବଂ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରର ରୌପ୍ୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସହଯୋଗରେ ଆୟୋଜିତ ‘ଜଳକୃଷିର ବିବିଧିକରଣରେ ଗିଫ୍‌ଟ ଟିିଲାପିଆକୁ ସ୍ୱତନ୍ତ୍ର ଗୁରୁତ୍ୱ’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଗତବର୍ଷ ଓଡ଼ିଶା ମୋଟ ୯.୯୧ ଲକ୍ଷ ମେଟି୍ରକ୍‌ ଟନ୍‌ ମାଛ ଉତ୍ପାଦନ କରି ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ରେକର୍ଡ ୪୫୬୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରିଥିଲା ।

ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ବିଭିନ୍ନ ପ୍ରକାରର ମାଛଚାଷ କରି ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ପାଣିପାଗର ପରିବର୍ତ୍ତନ ଏବଂ ବଜାର ଦରକୁ ଦୃଷ୍ଟିରେ ରଖି ମାଛଚାଷରେ ବିବିଧିକରଣ ମତ୍ସ୍ୟଚାଷୀଙ୍କୁ ବିକଳ୍ପ ଯୋଗାଇଦେବ । ଏଥି ସହିତ ଖାଉଟିମାନଙ୍କ ନିମନ୍ତେ ବଜାରରେ ବିଭିନ୍ନ ପ୍ରଜାତିର ମାଛ ଉପଲବ୍ଧ ହୋଇପାରିବ । ମାଛଚାଷରେ ବିବିଧିକରଣ ଆଣିବା ଦିଗରେ ସାମୁଦି୍ରକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ର ସହିତ ରାଜ୍ୟ ସରକାର ଗୋପାଳପୁରର ଓଡ଼ିଶା ଚିଙ୍ଗୁଡ଼ି ଜାଆଁଳ ଉତ୍ପାଦନ, ଯୋଗାଣ ଓ ଗବେଷଣା କେନ୍ଦ୍ର (ଓଏସ୍‌ଏସ୍‌ପିଏଆର୍‌ସି)ର ଉନ୍ନତି ଓ ନବୀକରଣ ସହିତ ଭେକ୍‌ଟୀ ଏବଂ ଟାଇଗର ଚିଙ୍ଗୁଡ଼ି (ପି. ମନୋଡନ୍‌) ପ୍ରଜାତିର ଜାଆଁଳ ଉତ୍ପାଦନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବାବେଳେ ଓଡ଼ିଶାରେ ଏହିପରି ଅଧିକ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଉଛି । ମାଛଚାଷ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଭିତ୍ତିଭୂମିର ଉନ୍ନତି ଓ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ

  • ସାମୁଦ୍ରିକ ଉତ୍ପାଦ ରପ୍ତାନୀ କର୍ତ୍ତୃପକ୍ଷର ସୁବର୍ଣ୍ଣ ଜୟନ୍ତୀ ଓ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରର ରୌପ୍ୟ ଜୟନ୍ତୀ ଉପଲକ୍ଷେ କର୍ମଶାଳାର ଆୟୋଜନ
  • ରେକର୍ଡ ୪୫୬୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଥିଲେ ଯେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବଢ଼ିଥିଲେ ମଧ୍ୟ ମାଛଚାଷ ଗବେଷଣାରେ ଅଧିକ ପୁଂଜି ନିବେଶ କରିବା ସହିତ ମାଛ ଉତ୍ପାଦନରେ ବୃଦ୍ଧି ଆଣିି ଘରୋଇ ଚାହିଦା ମେଣ୍ଟାଇବା ସହିତ ରପ୍ତାନୀ ଉପରେ ଗୁରୁତ୍ୱ ଦିଆଯାଉଛି । ମାଛଚାଷରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରି ମହିଳା ସଶକ୍ତିକରଣ ଓ ଆୟ ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି । ସାମୁଦି୍ରକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରର ବୈଷୟିକ ସହାୟତାରେ ସମ୍ବଲପୁର ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ଗିଫଫ ଟିଲାପିଆର ଜାଆଁଳ ଉତ୍ପାଦନ କେନ୍ଦ୍ର ଓ କେଜ କଲଚରର ପ୍ରଦର୍ଶନ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ । ଏଥି ସହିତ ପରିବେଶ ସୁରକ୍ଷା ଦୃଷ୍ଟିରୁ ମାଛ ଉତ୍ପାଦନ କ୍ଷେତ୍ରରେ ପ୍ଲାଷ୍ଟିକ୍‌ର ନୁ୍ୟନତମ ଉପଯୋଗ ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

କର୍ମଶାଳାରେ ଉଦ୍‌ବୋଧନ ଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ସଚିବ ଆର୍‌. ରଘୁପ୍ରସାଦ କହିଲେ ଯେ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ନିମନ୍ତେ ବିଭାଗ ପକ୍ଷରୁ ଅନେକ ପ୍ରକାର ରିହାତି ଓ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ହିତାଧିକାରୀଙ୍କ ସୁବିଧା ନିମନ୍ତେ ଗୋ-ସୁଗମ ପୋର୍ଟାଲ ପ୍ରଚଳନ କରାଯାଇଛି ।

ସାମୁଦ୍ରିକ ଉତ୍ପାଦନ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ତଥା ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରର ସଭାପତି ଡ. କେ. ଏନ୍‌. ରାଘବନ୍‌ କର୍ମଶାଳାରେ ଅଧ୍ୟକ୍ଷତା କରି ମାଛଚାଷ କ୍ଷେତ୍ରରେ ଓ ମାଛଚାଷରେ ବିବିଧିକରଣ ଆଣିବା ଦିଗରେ କର୍ତ୍ତୃପକ୍ଷ ଓ ଜଳକୃଷି କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।

ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ କହିଲେ ଯେ ହୀରାକୁଦ ଜଳଭଣ୍ଡାର ସମେତ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ଅତିରିକ୍ତ ୧.୨୫ ଲକ୍ଷ ମେଟି୍ରକ୍‌ ଟନ୍‌ ଉତ୍ପାଦନ କରିବାର ସୁଯୋଗ ରହିଛି ।

କର୍ମଶାଳାରେ କର୍ତ୍ତୃପକ୍ଷର ନିର୍ଦ୍ଦେଶକ ଡ. ଏମ୍‌. କାର୍ତ୍ତିକେୟନ୍‌ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମାଛଚାଷ ବିବିଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଟି.ଜି. ମନୋଜକୁମାର, ଡ. ଅନୁପ ମଣ୍ଡଳଙ୍କ ସମେତ ଶିବାଶିଷ ମହାନ୍ତି ପ୍ରମୁଖ ଗିଫଫ୍‌ ତିିଲାପିଆ ମାଛଚାଷର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ଅଗ୍ରଣୀ ମତ୍ସ୍ୟ ରପ୍ତାନୀକାରୀ ଓ ମତ୍ସ୍ୟଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କର୍ତ୍ତୃପକ୍ଷର ଉପନିର୍ଦ୍ଦେଶକ ଶ୍ରୀ ରାଜା କୁମାର ଏମ୍‌. ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

କର୍ମଶାଳାରେ ବିଭାଗୀୟ ଅଧିକାରୀଙ୍କ ସମେତ ନେଟ୍‌ଫିସ୍‌, ୱାର୍ଲଡ୍‌ଫିସ୍‌, ଏନ୍‌ସିଏସ୍‌ଏ ଅନୁଷ୍ଠାନର କର୍ମକର୍ତ୍ତା, ମତ୍ସ୍ୟଚାଷୀ, ଜାଆଁଳ ଉତ୍ପାଦକ, ମତ୍ସ୍ୟ ପ୍ରକି୍ରୟାକରଣ, ରପ୍ତାନୀକାରୀମାନେ ଯୋଗଦେଇଥିଲେ । 

Leave A Reply

Your email address will not be published.