ଉତ୍କଳମାତାର ଯୋଗ୍ୟତମ ସୁତ
(ପଠାଣି ସାମନ୍ତଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି )
ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ପୁଣ୍ୟ ଜନ୍ମଦିବସରେ ତାଙ୍କ ସ୍ମୃତି ଚାରଣ ନ କଲେ ତାଙ୍କର ଅମର୍ଯ୍ୟାଦା ହେବ | ସେ ସାଧାରଣ ଭାବେ ପଠାଣି ସାମନ୍ତ ଭାବେ ପରିଚିତ |
1835 ମସିହା ପୂର୍ଣ୍ଣିମାନ୍ତ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ସେ ଖଣ୍ଡପଡାରେ ଜନ୍ମ ଗ୍ରହଣ କରିଥିଲେ |ତାଙ୍କ ମାତାଙ୍କ ନାମ ଥିଲା ବିଷ୍ଣୁମାଳି ଦେବୀ, ଓ ପିତାଙ୍କ ନାମ ଥିଲା ଶ୍ୟାମବନ୍ଧୁ ସିଂହସାମନ୍ତ |ତାଙ୍କ ଜନ୍ମ ବିଷୟରେ ଏକ ଲୋକକଥା ରହିଛି |ତାଙ୍କ ପିତା ମାତାଙ୍କର ଅନେକ ସନ୍ତାନ ନଷ୍ଟ ହୋଇ ଯାଇଥିଲେ |ଏକ ସୁସ୍ଥ ଓ ସୁନ୍ଦର ସନ୍ତାନ ପାଇଁ ସେମାନେ ସର୍ବଦା ଚିନ୍ତାରେ ଥିଲେ |ପଠାଣି ସାମନ୍ତଙ୍କ ଜନ୍ମ ପରେ ପରେ ସେମାନେ ତାଙ୍କୁ ଜଣେ ପଠାଣଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିବାକୁ ଅନୁରୋଧ କଲେ |ଏହା କଲେ ତାଙ୍କ ଶିଶୁପୁତ୍ର ଉପରୁ ଦୁଷ୍ଟ ଛାଇ ଦୁରେଇ ଯିବ ଓ ସେ ସୁସ୍ଥ ଓ ଦୀର୍ଘାୟୁ ହେବ |ଏଣୁ ପଠାଣ ଘରେ ପୋଷ୍ୟ ପୁତ୍ର ହୋଇ ଥିବାରୁ ତାଙ୍କ ନାମ ସହିତ ‘ପଠାଣି’ ଶବ୍ଦ ଯୋଡିହୋଇ ରହିଲା |
ପିଲାଦିନରୁ ସେ ଖୁଵ ଜିଜ୍ଞାସୁ ଥିଲେ |
ରାତି ଆକାଶରେ ତାରକାମାନଙ୍କୁ ଦେଖି ସେ ଖୁଵ ଭାବୁକ ହୋଇ ପଡୁଥିଲେ | ରାତ୍ରି ଆକାଶରେ ଗ୍ରହ, ନକ୍ଷତ୍ରଙ୍କ ଗତିକୁ ଲକ୍ଷ୍ୟ କରୁଥିଲେ |ଚାଟଶାଳୀରେ ଅବଧାନଙ୍କ ପାଖରେ ଓଡ଼ିଆ ପାଠ ସାରି ସଂସ୍କୃତକାବ୍ୟ, ନାଟକ,ଗଣିତ ପୁରାଣ, ଜ୍ୟୋତିଷ,ବେଦ ଆଦି ପୋଥି ପଢି ଜ୍ଞାନ ଆହରଣ କରିଥିଲେ | ପନ୍ଦର ବର୍ଷ ବୟସ ବେଳକୁ ସେ ଜ୍ୟୋତିଷ ଶାସ୍ତ୍ରରେ ବ୍ୟୁତ୍ପତ୍ତି ହାସଲ କରିଥିଲେ | ସେ ଭାରତୀୟ ଜ୍ୟୋତିର୍ବିଦ ଆର୍ଯ୍ୟଭଟ୍ଟ, ବରାହ ମିହିର,ଭାସ୍କର ଓ ବ୍ରହ୍ମଗୁପ୍ତ ଆଦିଙ୍କ ରଚିତ ଶାସ୍ତ୍ର ପଢିଥିଲେ ଓ ଗବେଷଣା କରିଥିଲେ |ସେ ପୃଥିବୀରେ ପ୍ରଥମ ଜ୍ୟୋତିଷ ଯିଏ କି ବାଉଁଶ ନଳୀ ସାହାଯ୍ୟରେ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ମାପ କରିପାରିଥିଲେ | ଏମିତି କି ସେ ବ୍ରିଟିଶ ଅଧିକାରୀଙ୍କ ସମ୍ମୁଖରେ ଦୂର ପାହାଡ଼ର ଉଚ୍ଚତା ସଠିକ ମାପ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ |ତାଙ୍କ ଜ୍ୟୋତିଷ ଓ ଗଣିତ ଜ୍ଞାନରେ ମୁଗ୍ଧ ହୋଇ ବ୍ରିଟିଶ ସରକାର ତାଙ୍କୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିଥିଲେ |ସେ ମଧ୍ୟ ପୁରୀ ଗଜପତି ମହାରାଜଙ୍କ ଠାରୁ “ହରିଚନ୍ଦନ ମହାପାତ୍ର”ଉପାଧି ପ୍ରାପ୍ତ ହୋଇଥିଲେ | ସେ କେବେ ଦୂର ବିକ୍ଷଣ ଯନ୍ତ୍ର ବ୍ୟବହାର କରି ନ ଥିଲେ | ବାଉଁଶ ଓ ତାଳପତ୍ର ବ୍ୟବହାର କରି ନିଜସ୍ୱ ଉପକରଣ ତିଆରି କରିଥିଲେ |ତାଙ୍କ ତିଆରି ଉପକରଣ ହେଲା”ଗୋଲଯନ୍ତ୍ର’ ସୂର୍ଯ୍ୟଘଡି’, ‘ଶଙ୍କୁଦଣ୍ଡ,’ଉଲମ୍ବୀ ଚକ୍ର,’ଓ ମାନଯନ୍ତ୍ର |
ଗ୍ରହ ନକ୍ଷତ୍ରଙ୍କ ଗତିବିଧି ଉପରେ ଗବେଷଣା କରି ସେ ରଚନା କରି ଯାଇଛନ୍ତି “ସିଦ୍ଧାନ୍ତ ଦର୍ପଣ ” | ତାଙ୍କର ଦୀର୍ଘ କୋଡିଏ ବର୍ଷ ତପସ୍ୟା ଓ ଗବେଷଣାର ଫଳ ହେଉଛି ଏହି ଗ୍ରନ୍ଥ |ଏହା 1899ରେ ପ୍ରକାଶପାଇଥିଲା | ପ୍ରଚଳିତ ଓଡ଼ିଆ ପାଞ୍ଜିରେ ଥିବା ଭୁଲ ସବୁକୁ ସଂଶୋଧନ କରି ସେ ନିର୍ଭୁଲ ଓଡ଼ିଆ ପାଞ୍ଜି ପ୍ରଚଳନ କରିଥିଲେ |କବିବର ରାଧାନାଥ ରାୟ ତାଙ୍କ ପ୍ରତିଭାକୁ ଲକ୍ଷ୍ୟକରି ଲେଖିଥିଲେ,
“ଉତ୍କଳମାତାର ଯୋଗ୍ୟତମ ସୁତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୁତ |
ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ,
ନର ଦେହେ ଥିବ ଯାବତ ହୃଦୟ |
ଏଭଳି ଜଣେ ପ୍ରଚଣ୍ଡ ପ୍ରତିଭାଦୀପ୍ତ ଗଣିତଜ୍ଞ ଓ ଜ୍ୟୋତିର୍ବିଦଙ୍କର ଦେହାନ୍ତ ହୋଇଥିଲା 1904 ମସିହା ଜୁନ 11 ତାରିଖରେ |
ଏହି ମହାପୁରୁଷଙ୍କ ଜୟନ୍ତୀରେ ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି |🙏🙏
- ଶ୍ରୀକାନ୍ତ ଦାଶ, ସଭାପତି “ଅବି”ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ,
Email srikantadash. bpc@gmail.com