ଆଠ ଶହ ବର୍ଷର ‘ଓଡ଼ିଶାରେ ଦୋଳ ଯାତ୍ରା’

0

ଓଡ଼ିଆ ଜନ ଜୀବନର ପର୍ବ ଦୋଳ ଓ ହୋଲି


  • ଶ୍ରୀକାନ୍ତ ଦାଶ

ଓଡିଶାରେ ପାଳିତ ହେଉଥିବା ପର୍ବ ମଧ୍ୟରେ ଦୋଳ ଓ ହୋଲି ପର୍ବ ସ୍ୱତନ୍ତ୍ର ଓ ଅନନ୍ୟ |ଏହା ଫଗୁ ଦଶମୀରୁ ଆରମ୍ଭ ହୋଇଯାଏ |ଏହା ସ୍ନେହ,ସଦିଚ୍ଛା, ପାରମ୍ପରିକ ସୌହାର୍ଦ୍ଦ୍ୟ ଓ ଭାଇଚାରାର ପ୍ରତୀକ | ପୃଥିବୀରେ ଋତୁରାଜ ବସନ୍ତକୁ ସ୍ୱାଗତ କରିବାକୁ ଏହି ସୁନ୍ଦର ପର୍ବର ସୃଜନ ବୋଲି କଳ୍ପନା କରାଯାଏ |

ଦ୍ୱାଦଶ ଶତାବ୍ଦୀର ଓଡିଆ ଜ୍ୟୋତିଷ ଶତାନନ୍ଦଙ୍କ ରଚିତ “ଶତାନନ୍ଦ ସଂଗ୍ରହ”ରେ ଦୋଳ ଯାତ୍ରା ସମ୍ପର୍କରେ ଉଲ୍ଲେଖ ରହିଛି | ଏଥିରୁ ଜଣାଯାଏ ପ୍ରାୟ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳ ଯାତ୍ରା ପାଳିତ ହୋଇ ଆସୁଛି |

ପୌରାଣିକ ମତ
ଦୋଳ ସହିତ ବିଭିନ୍ନ ପୁରାଣ ଆଖ୍ୟାନ ଯୋଡି ହୋଇ ରହିଛି |ଗୋଟିଏ ପଟେ ରାଧା -କୃଷ୍ଣ ପ୍ରେମ ଗାଥାର କାହାଣୀ ତ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ରସାଳ କାହାଣୀର ସାବଲୀଳ ବର୍ଣ୍ଣନା | ରଙ୍ଗର ରଙ୍ଗୀନ ହୋଲି ଖେଳ ଓ ହୋଲିକା ଦହନର ଅଗ୍ନି ଔଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି | ଆଉ ଏକ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧ|ସୁରର ଦମନ କରି ଭଗବାନ ପୃଥିବୀରେ ଶାନ୍ତି ସ୍ଥାପନ କରିଥିଵା ଖୁସିରେ ଏହି ପର୍ବ ପାଳିତ ହୋଇଥିଲା ବୋଲି କୁହାଯାଏ | ନବ ବସନ୍ତର ଆଗମନ ଓ କୋକିଳର କୁହୁ ତାନ, ଆମ୍ର ବୃକ୍ଷରେ ନବ ମୁକୁଳ, ମୃଦୁ ମନ୍ଦ ଶୀତଳ ସମୀରଣ ଓ ଅନ୍ୟ ପକ୍ଷରେ ସତୀଙ୍କର ଅକାଳ ମୃତ୍ୟୁ ପରେ ଦେବ ଦେବ ମହାଦେବ ଶିବ ରୂପରେ ଧ୍ୟାନମଗ୍ନ | ତେଣେ ଦେବ ଗଣ ତାରକାସୁରର ଅତ୍ୟାଚାରରେ ଅତିଷ୍ଠ | ଶିବ ପାର୍ବତୀଙ୍କ ମିଳନରୁ କାର୍ତ୍ତିକେୟଙ୍କ ଜନ୍ମ ହେଲେ ସେ ଦେବ ସେନାପତି ରୂପେ ତାରକାସୁରକୁ ବଧ କରିବେ |ଏଥିପାଇଁ ଶିବଙ୍କର ଧ୍ୟାନ ଭଗ୍ନ କରିବାକୁ ଯାଇ ମଦନ ପଞ୍ଚଶର ପ୍ରୟୋଗ କରନ୍ତି, ଶିବଙ୍କ ଧ୍ୟାନ ଭଗ୍ନ ହୁଏ ଓ ତାଙ୍କ ତୃତୀୟ ନେତ୍ରର ଅଗ୍ନିରେ ମଦନ ଭସ୍ମ ହୁଅନ୍ତି | ମଦନଙ୍କ ପତ୍ନୀ ରତି ଦେବୀଙ୍କ ବିଳାପରେ ଶିବ ଶାନ୍ତ ହୁଅନ୍ତି ଓ ମଦନଙ୍କୁ ଶରୀର ବିନା ଜୀବନ୍ୟାସ ଦିଅନ୍ତି ଓ ସେ ଅନଙ୍ଗ ନାମରେ ନୂତନ ନାମ ଧାରଣ କରନ୍ତି | ସେ ଦିନ ନିଜର ସ୍ୱ -ଦେହ ଜ୍ୱଳନରେ ମଦନ କିନ୍ତୁ ଦେବତାଙ୍କ ସୁରକ୍ଷା ପାଇଁ ମହାଦେବଙ୍କ ମାଧ୍ୟମରେ ଏଜ ଇପ୍ସିତ ଲକ୍ଷ୍ୟ ସାଧନ କରିଦେଇଗଲେ | କେହି କେହି ମତ ଦିଅନ୍ତି ହୋଲିର ଦିବ୍ୟ ଦହନ କ୍ରିୟା ଏହି ଅନଙ୍ଗଙ୍କୁ ଅଗ୍ନି ରେ ଦାହ କରିବାର ପ୍ରତିଛବି ହୋଲି ଦହନ |
ରାକ୍ଷସ ରାଜ ହିରଣ୍ୟ କଶୀପୁ ନିଜର ବିଷ୍ଣୁଭକ୍ତ ପୁତ୍ର ପ୍ରହଲ୍ଲାଦକୁ ମାରିବାକୁ ଚିନ୍ତା କରି ଭଉଣୀ ହୋଲିକାର ସାହାଯ୍ୟ ନେଲା |ହୋଲିକା ଅଗ୍ନିରେ ଵା ଜଳରେ ମରିବ ନାହିଁ ବୋଲି ବର ପାଇଥିଲା |ଏଣୁ ସେ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନି ପ୍ରବେଶ କରନ୍ତେ ସେ ନିଜେ ବିଷ୍ଣୁ ମାୟାରେ ଭସ୍ମ ହୋଇଗଲା ଓ ପ୍ରହଲ୍ଲାଦ ଖୁସିରେ ଅଗ୍ନିରୁ ବାହାରି ଆସିଲେ | ଏବେ ମଧ୍ୟ ହୋଲିକା ଦହନ ପ୍ରଥା ପାଳିତ ହେଉଛି ସତ ମାତ୍ର ଅନ୍ୟାୟ ବିରୁଦ୍ଧରେ ନ୍ୟାୟ ଶକ୍ତିର ବିଜୟକୁ କେହି ଗୁରୁତ୍ୱ ଦେଉ ନାହାନ୍ତି |
ପୁତନା ଉପାଖ୍ୟାନ …..

  • କେତେକ ଅଞ୍ଚଳରେ ମଥୁରାରୁ ପ୍ରେରିତ ଛଦ୍ମ ନାୟିକା ପୁତନାର ଗୋପପୁର ପ୍ରବେଶ ଓ କୃଷ୍ଣଙ୍କ ସହିତ ଅନ୍ୟ ଶିଶୁଙ୍କ ହତ୍ୟା କରିବା ଅଭିପ୍ରାୟ କଥା ଏହି ପର୍ବ ସହିତ ଜଡିତ | ପୁତନା ନିଜ ସ୍ତନରେ ହଳାହଳ ବିଷ ପୂର୍ଣ୍ଣ କରି କ୍ଷୀର ରୂପେ ପାନ କରାଇ ଗୋପାଳ ଶିଶୁଙ୍କ ଜୀବନ ହରଣ କରିବାପାଇଁ ଆସିଥିଲା |କୃଷ୍ଣ ପୁତନାର ସ୍ତନ ପାନ କରିବାର ଛଳନା କରି ଛଳନାମୟୀ ସୁନ୍ଦରୀର ପଞ୍ଚପ୍ରାଣ ଶୋଷଣ କରିଥିଲେ | ଶ୍ରୀକୃଷ୍ଣ ସନ୍ଥ ପାଳନପାଇଁ ଦୁଷ୍ଟ ନିବାରଣ କରିଥିବାରୁ ହୋଲି ଵା ଦୋଳ ଉତ୍ସବ ପାଳିତ ହୁଏ ବୋଲି ଅନେକ ମତ ଦିଅନ୍ତି |
    ଶ୍ରୀମଦ ଭାଗବତର ଗୋପଲୀଳାର ବର୍ଣ୍ଣନା ଅନୁସାରେ କଂସ ପ୍ରେରିତ ଅସୁର ଅସୁରୁଣୀଙ୍କ ନିଧନ ସହିତ ଦୋଳ ଉତ୍ସବକୁ ସଂଯୁକ୍ତ କରାଯାଇଥାଏ | କିନ୍ତୁ ଗୋପଲୀଳାର ସର୍ବୋତ୍କୃଷ୍ଟ ଆଖ୍ୟାନ ରାଧାକୃଷ୍ଣ ଯୁଗଳ ମିଳନର ସର୍ବଶ୍ରେଷ୍ଠ ଦୃଶ୍ୟ ଦୋଳିରେ ରାଧାକୃଷ୍ଣ ଵା ଝୁଲଣରେ ଯୁଗଳ ମୂର୍ତ୍ତି ଏହି ପର୍ବର ପ୍ରଧାନ ଉପାସ୍ୟ |
    ହୋଲି ପର୍ବ ଓ ଓଡିଶା
    ଓଡିଆ ପାଞ୍ଜି ଅନୁସାରେ ଫଗୁଣ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଖ୍ୟାତ |ଫଗୁଣ ଶୁକ୍ଳ ଦଶମୀ ତିଥିଠାରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ | ଏହି ପର୍ବର ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହିଦିନ ଠାରୁ ଅବିର ଅର୍ପଣ କରାଯାଏ | ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ |ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ |ଏହି ଭୋଗକୁ ଦ୍ୱାରିଭୋଗ କୁହାଯାଏ ଓ ଯାତ୍ରାକୁ ଚାଚେରୀ ଯାତ୍ରା କୁହାଯାଏ |ପୂର୍ଣ୍ଣମୀ ଦିନ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣ -ପୁର୍ବ ଦିଗରେ ନିର୍ମିତ ମଣ୍ଡପକୁ ନିଆଯାଇଥାଏ | ଏହି ମଣ୍ଡପକୁ ଦୋଳ ମଣ୍ଡପ କୁହନ୍ତି |ସେଠାରେ ଠାକୁରମାନଙ୍କୁ ଅବିର ଅର୍ପଣ କରାଯାଏ ଓ ଦୋଳିରେ ଝୁଲାଯାଏ |
    ଭାଇଚାରାର ଏ ପର୍ବରେ ସମସ୍ତେ ଯୋଗ ଦିଅନ୍ତି |ଏମିତିକି ଖୋର୍ଦ୍ଧା ନିକଟସ୍ଥ କେତେକ ଗ୍ରାମରେ ଯଥା :-ଗଡ଼ବାଣୀ, ମାଣିକ ଗୋଡ଼ାରେ ଯେଉଁଠି ମୁସଲମାନ ଦଳ ବେହେରା ରାଜାଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ ଵା ହିନ୍ଦୁ ଦଳ ବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ସେମାନଙ୍କ ଦ୍ୱାରରୁ ମଧ୍ୟ ପ୍ରଭୁ ଭୋଗ ଖାଇଥାନ୍ତି |
    ଶ୍ରୀମନ୍ଦିର ଓ ଦୋଳ ଯାତ୍ରା…
    ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାକୁ ଛାଡିଲେ ଦୋଯାତ୍ରା ଶ୍ରୀମନ୍ଦିରର ଏକ ବିଶିଷ୍ଟ ପର୍ବ |କଥାରେ ଅଛି ଦୋଳରେ ଦୋଳଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ, ଓ ରଥଯାତ୍ରାରେ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ |
    ବୈଷ୍ଣବ ଧର୍ମର ପ୍ରସିଦ୍ଧ ରଚନା ଶ୍ରୀଜୟଦେବ ବିରଚିତ ଶ୍ରୀଗୀତଗୋବିନ୍ଦରେ ବସନ୍ତରାସରେ ଏହା ବର୍ଣ୍ଣିତ ହୋଇଛି |
    ଦୋଳ ଓ ହୋଲି ଓଡିଶାର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ଜୀବନକୁ ବହୁ ଭାବେ ପ୍ରଭାବିତ କରିଛି |ଏ ପର୍ବରେ ଠାକୁର ମାନେ ବାହାରେ ପୂଜାପା’ନ୍ତି | ଯାହା ଅନ୍ୟତ୍ର ଦେଖା ଯାଏନି | ଭୋଗ ମଧ୍ୟ ଅନନ୍ୟ | ଗଜା, ଖଜା, ଖୁରୁମା, ଗୁଡ଼ ଶାକର, ଶାକର, ଠୁସି, ଖୋଡିଆ ଚଣା, ଉଖୁଡା ଆଦି ଠାକୁରଙ୍କୁ ଭୋଗ ଲାଗେ | ଏହା ଅନନ୍ୟ ଓ ସ୍ୱତନ୍ତ୍ର | ଓଡ଼ିଆ ଜନ ଜୀବନରେ ପ୍ରଚଳିତ ଅନେକ ରୀତି ନୀତିରେ ଦୋଳକୁ ନେଇ ଅନେକ ଶବ୍ଦ ପ୍ରଚଳିତ |ସେସବୁ ହେଲା ଦୋଳ ବେଦି, ଦୋଳ ମଣ୍ଡପ, ଦୋଳ ମେଳଣ, ଦୋଳ ଘଡି, ଦୋଳ ଦଣ୍ଡି, ଦୋଳ ତୋରଣ, ଦୋଳ ଯାତରା, ଦୋଳ ମୁକୁଟ, ଇତ୍ୟାଦି |
    ବାସ୍ତବରେ ଦୋଳ ଓ ହୋଲି ଆମ ଜନଜୀବନରେ ମାଧୁର୍ଯ୍ୟ ଭରିଦିଏ |ଆସ୍ଥା ବିଶ୍ୱାସ, ସ୍ନେହ, ସମ୍ପର୍କର ଏ ପର୍ବପାଳନ କରିବା ସହିତ ଗ୍ରାମ୍ୟ ଜୀବନକୁ ଶାନ୍ତିପ୍ରଦ କରିପାରିଲେ ଏ ପର୍ବର ମହତ୍ତ୍ୱ ରହିବ |

ଶ୍ରୀକାନ୍ତ ଦାଶ, ସଭାପତି “ଅବି “ଓ ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ, 🙏.
ଦୂରଭାଷ – 9238304919

Leave A Reply

Your email address will not be published.