ଅରବିନ୍ଦ ଦାସଙ୍କ ନିଆରା ଗପ -‘କୋଳଥ ସ୍ମୃତି’
★★★★★★
(#ଅରବିନ୍ଦ ଦାସ)
**************
କୋଳଥ ଅନେକ କିଛି ମନେ ପକେଇ ଦିଏ…..
ଅଟୋରୁ ଓଲ୍ହାଇ ଘର ଭିତରେ ପଶିଲାବେଳେ
ମିସେସ ରାଓଙ୍କ ହାତରୁ ଅସାବଧାନତାବଶତଃ ବ୍ୟାଗଟି ଖସିପଡିବାରୁ ସେଥିରେ ଥିବା ଗୋଟିଏ କାଗଜ ଠୁଙ୍ଗା ଫାଟିଯାଇ ତା ଭିତରୁ କୋଳଥ ଡାଲି ତଳେ ବିଛୁଡ଼ି ହୋଇପଡିଯିବାରୁ ,ତାଙ୍କ ସାଙ୍ଗରେ ଥିବା ଅଟୋ ଡ୍ରାଇଭର ସୁବାଷ ସେଇ ଡାଲି ସବୁକୁ ଗୋଟାଇଲା ବେଳେ ତା ପାଟିରୁ ହଠାତ ବାହାରିପଡ଼ିଲା,
–ଆପଣ ବି ଏ ଡାଲି ଖାଆନ୍ତି ମାଉସୀ ?”
ମୃଦୁହସି ମିସେସ ରାଓ କହିଲେ,
-ହଁ, ସେଇଥିପାଇଁ ତ ଆଣିଛି।ଏ ଡାଲି ବହୁତ ସ୍ପେଶାଲ।ହେଲେ ଦୁର୍ଯୋଗକୁ ଏଇ ପ୍ୟାକେଟ ତଳେ ପଡିବାର ଥିଲା।”
ଘର ଭିତରେ ସୋଫାରେ ବସିଥିବା ମିଷ୍ଟର ରାଓ,ପଢ଼ୁଥିବା ଖବରକାଗଜଟିକୁ ଟି ପୟ ଉପରେ ଥୋଇ ଉଠୁ ଉଠୁ କହିଲେ,
-ବୁଢ଼ୀ ହେଲଣି,ଅଥଚ ତମ ଜିଦି ଛାଡିବନି।ମାର୍କେଟ, ହାଟରୁ ଜିନିଷ ବୋହିକି ଆଣିବାକୁ କଣ ତୁମର ବଳ ବୟସ ଅଛି ?ସେଇଥିପାଇଁ ମୁଁ କହୁଥିଲି ଫୋନ କରି ଦୋକାନୀକୁ କହିଦିଅ, ଅଥବା ଅନଲାଇନରେ ମଗାଇଦିଅ ବୋଲି,ହେଲେ ତୁମେ କଣ ମୋ କଥା ଶୁଣିବ ?”
ମୃଦୁହସି ମିସେସ ରାଓ କହିଲେ,
-ଏକୁଟିଆ ଆଉ କେଉଁଠି ?ସୁବାଷ ପରା ସାଙ୍ଗରେ ଥିଲା।ସେ କଣ ମୋତେ କିଛି ଧରିବାକୁ ଦେଉଛି ?ଚାରିଟା ବ୍ୟାଗ ଥିଲାବେଲି ମୁଁ ଜବରଦସ୍ତି ଏଇ ବ୍ୟାଗଟା ତା ହାତରୁ ନେଇ ଆସିଥିଲି।”
ବୟସ୍କ ରାଓ ଦମ୍ପତ୍ତି,ଶ୍ରୀନିବାସ ରାଓ ଏବଂ ଲଳିତା ରାଓ ଦୁହେଁ ,ନିଜ ଘର ପଛପଟେ ଥିବା ଆଉଟ ହାଉସରେ ଅଟୋ ଚାଳକ ସୁବାଷକୁ ରହିବାକୁ ମାଗଣାରେ ଦେଇଛନ୍ତି।ବଦଳରେ ଛୋଟ ମୋଟ ବୋଲହାକ ସହିତ,ବାହାର କାମ,ବିଭିନ୍ନ ବିଭାଗର ବିଲ ପେମେଣ୍ଟ ସହ କୁଆଡେ ଦୁହିଁଙ୍କୁ ଯିବାକୁ ପଡିଲେ ସୁବାଷ ସେମାନଙ୍କୁ ନେବା ଆଣିବା କରେ।ଶାନ୍ତ ଓ ସରଳ ସ୍ଵଭାବର, ବିଶ୍ବାସୀ ସୁବାଷକୁ ଭାରି ଭଲ ପାଆନ୍ତି ରାଓ ଦମ୍ପତ୍ତି।ଘରେ ବନେଇଥିବା ଭଲମନ୍ଦ ଜିନିଷ ସୁବାଷକୁ ଦିଅନ୍ତି ମିସେସ ରାଓ।ସ୍ନେହରେ ରଜ୍ଜୁରେ ଦୁହିଁଙ୍କୁ ସମ୍ମାନ ର ସହ ମଉସା,ମାଉସୀ ବୋଲି ସମ୍ବୋଧନ କରେ ସୁବାଷ।
ଡାଲି ତକ ପ୍ୟାକେଟରେ ପୁରାଇ ସୁବାଷ ଟିକେ ଅଭିମାନ ଭରା ସ୍ୱରରେ କହିଲା,
–ମୁଁ ସେଇଥିପାଇଁ ମାଉସୀଙ୍କୁ ବାରମ୍ବାର ମନା କରୁଥିଲି।ଦେଖନ୍ତୁ ଡାଲି ତଳେ ପଡ଼ିଗଲା।”
ମିଷ୍ଟର ରାଓ ପାଖକୁ ଆସି ଚିଡିଲା ସ୍ୱରରେ କହିଲେ,
- ଏ ଉଲୁବାଲୁ କାହିଁକି ଆଣିଛ ?”
ରୋଷେଇଘରୁ ପାଣି ଦୁଇ ଗ୍ଲାସ ଆଣି ଗୋଟିଏ ଗ୍ଲାସ
ବୋକାଙ୍କ ଭଳି ଅନେଇଥିବା ସୁବାଷ ହାତକୁ ବଢ଼ାଇଦେଇ ମିସେସ ରାଓ କହିଲେ,
-ତେଲୁଗୁ ଭାଷାରେ ଆମେ ଏ କୋଳଥ ଡାଲିକୁ ଉଲୁବାଲୁ ବୋଲି କହୁ।ତମେ ବି ତାହେଲେ ଏ ଡାଲି ଖାଅ?”
ଚଟାଣରେ ବସି ଥଣ୍ଡା ପାଣି ପିଉ ପିଉ ସୁବାଷ ହସିଦେଇକହିଲା,
-ଖାଏ ମାନେ ?ଏ ଡାଲି ମୋର ସବୁଠୁ ପ୍ରିୟ।ହେଲେ ୟାକୁ ବନେଇବା ବହୁତ ଝମେଲା।ବହୁତ ଡେରି ଲାଗେ ଏ ଡାଲିକୁ ସିଝିବାକୁ। ଦେହକୁ ଉଷୁମ ରଖିବା ସହ ଦେହପାଇଁ ଅନେକ ହିତକର ଜିନିଷ ଯେମିତି ଲୌହସାର,ଶ୍ଵେତସାର ଇତ୍ୟାଦି ଭିଟାମିନ ଏ ଡାଲିରେ ଥାଏ ବୋଲି ଶୀତ ଦିନେ ଗାଁରେ ଏହାକୁ ବନାଉଥିଲେ ମୋ ଜେଜେମା ଓ ବୋଉ।
ପିଲାଦିନେ ମୋ ଜେଜେମା ଏହାକୁ ଚୁଲି ଉପରେ ହାଣ୍ଡିରେ ବସାଇ ବହୁତ ସମୟ ସିଝାଉଥିଲା।ହାଣ୍ଡିରେ କାଳେ ବାସ୍ନା ଅଧିକ ହୁଏ।ମୁଁ ବଡ଼ ହେଲାପରେ ବୋଉ ୟାକୁ ପ୍ରେସର କୁକରରେ ଆଠ ଦଶ ହୁଇସିଲ ଦେଇ ସିଝାଇଲା ବେଳେ କୁହେ ଘୋଡାଡାନା ଏ ଡାଲି ଭାରି ମନମୋଟିଆ,ଜିଦିଆ।
ଡାଲି ସିଝାଇ ତାକୁ କାଠ ଘୋରାଣାରେ ହାତରେ ବୁଲାଇ ଘାଣ୍ଟି, ସେଥିରେ ଟିକେ ଖଟା ତୋରାଣି ବା ଆମ୍ବୁଲ ଓ ଅଳ୍ପ ଚିନି କି ଗୁଡ଼ ମିଶାଇ,ରସୁଣ, ସୋରିଷ,ହେଙ୍ଗୁ ଭ୍ରୁଶଙ୍ଗ ପତ୍ର ଦେଇ ବଘାରେ।ଆଃ କି ବାସ୍ନା,ଖଣ୍ଡମଣ୍ଡଳ କମ୍ପେ ;ମୁଁ ତ ଦୁଇଗୁଣା ଭାତ ଖାଇଦିଏ ଏ ଡାଲି ଲଗାଇ।ହେଲେ ମୁଁ ଭାବୁଥିଲି କେବଳ ଆମ ଭଳି ଗରିବ ମଣିଷ ଏଇ ଡାଲି ଖାଆନ୍ତି ବୋଲି।ହେଲେ ଆପଣ…”
ହୋ ହୋ ହୋଇ ହସି ମିଷ୍ଟର କହିଲେ,
-କାହିଁକି ଘୋଡା କଣ ଗରିବ ?ଇୟେ ପରା ଘୋଡା ଡାଲି,ହର୍ସଗ୍ରାମ।ଧନୀ ବି ଖାଆନ୍ତି।”
ମିସେସ ରାଓ କହିଲେ, - ସମସ୍ତେ ୟାକୁ ଖାଇବାକୁ ଭଲ ଖାଆନ୍ତି।ହେଲେ ଧୀରେ ଧୀରେ ପାରମ୍ପରିକ ଜିନିଷ ବନେଇବାର ଆଗ୍ରହ କମିଯାଉଛି ଓ ଲୋକେ ଅନଲାଇନରେ ସବୁଜିନିଷ ମଗାଇବାକୁ ପସନ୍ଦ କରୁଛନ୍ତି।ଆମ ତେଲୁଗୁ ଲୋକେ ଏଇ ଡାଲିକୁ ଗୁଣ୍ଡ କରି,ସେଥିରେ ରେ ତେନ୍ତୁଳି ଖଟା,ଗୁଡ଼ ମିଠା ଦେଇ,ରସୁଣ,ହେଙ୍ଗୁ, ଭୃସଙ୍ଗ ପତ୍ର ବଘରା ଦେଇ ‘ଉଲୁଭାଚାରୁ’ ବନାନ୍ତି।କେହିକେହି ବଘାରିଲା ବେଳେ ଅଳ୍ପ ପିଆଜ ଓ ଧନିଆ ଗୁଣ୍ଡ ବି ଦିଅନ୍ତି।ଖାଇଲା ବେଳେ ତୁମ ଆଡେ ଭାତରେ ଘିଅ ପକାନ୍ତି,ଆମ ପଟେ ଫ୍ରେସ କ୍ରିମ ବା ଲହୁଣୀ ପକାଇ ଗରମ ଭାତ ସହ ଖାଇବାକୁ ଦିଆଯାଏ।ଆଛା,ସୁବାଷ ତୁମେ ତାହେଲ ମଝିରେ ମଝିରେ ଏ କୋଳଥ ଡାଲି ଖାଉଥିବ।”
ଦୀର୍ଘନିଶ୍ବାସ ଛାଡି ସୁବାଷ କହିଲା,
-ଆଗରୁ ଖାଉଥିଲି,ଏବେ ସମ୍ଭବ ନୁହେଁ।ମୋ ବୋଉ ଏ ଦୁନିଆରେ ନାହିଁ,କିଏ ବନେଇକି ଦେବ ?କୋଳଥ ଡାଲି ଅନେକ କଥା ମନେ ପକାଇଦିଏ।”
ଟିକେ ରହି ସୁବାଷ ଆଖି ପୋଛି ପୁଣି କହିଲା,
-କୋଳଥ ରୁ କୋଳ…ଛୋଟ ବେଳେ ଜେଜେମା କୋଳରେ ଓ ପରେ ବୋଉ କୋଳରେ ବସି, ଗରମ ଗରମ ବାମ୍ଫ ଉଠା ଭାତ ଉପରେ ଦୁଇ ଠୋପା ଘର ତିଆରି ଖରମରା ଗୁଆ ଘିଅ ପକେଇ,ତା ସହିତ କୋଳଥ ଡାଲି ଖାଇବାର ସ୍ମୃତି ଆଜି ବି ତାଜା ହୋଇଯାଏ।ତେବେ ଆପଣଙ୍କର ଏଠି ଏ ଡାଲିକୁ ଗୁଣ୍ଡ କରି ବନାଇଛନ୍ତି ବୋଲି ଅଳ୍ପ ସମୟ ଲାଗୁଥିବ।”
ମିଷ୍ଟର ରାଓ କହିଲେ,
-ହେଲେ ଝଂଝଟ ସମାନ।ଏଇ ଡାଲିରେ ତିଆରି ଆମ ଉଲୁଭା ଚାରୁ ପାଇଁ ସେଇ ଡାଲି ଗୁଣ୍ଡକୁ ଭିଜେଇ,ଧିମା ଆଞ୍ଚରେ ସିଝାଇ ଯତ୍ନରେ ତିଆରି କର।ମୁଁ ମନା କରିବା ସତ୍ତ୍ୱେ ତୋ ମାଉସୀ ଏତେଦିନ ପରେ ପୁଣି ୟାକୁ ଆଣିଛି। “
ସୁବାଷ ପଚାରିଲା,
-କିଛି ସ୍ପେଶାଲ ଦିନ ବା ପର୍ବ ଆସୁଛି କି ?”
ମୃଦୁ ହସି ଡାଲି ପ୍ୟାକେଟ ତା ହାତରୁ ନେଉ ନେଉ
ମିସେସ ରାଓ କହିଲେ,
-ଆମ ପୁଅ ଭେଙ୍କଟ ଆସନ୍ତାକାଲି ତାର ଗୋଟେ କନ୍ଫରେନ୍ସ ପାଇଁ ଏଠି ଆସି ପହଁଚିବ।ସେ ବହୁତ ଭଲପାଏ ଏ କୋଳଥ ଡାଲିରୁ ତିଆରି, ଉଲୁଭା ଚାରୁ।ମାଛ,ମାଂସ ଛାଡି ୟାକୁ ଖାଏ।ଅନ୍ୟ କିଏ ତିଆରି କଲେ ସେ ଛୁଏନା।କେବଳ ମୋ ହାତ ତିଆରି ଉଲୁଭା ଚାରୁ ସେ ଚାଟି ଚୁଟି ଖାଏ।କେତେବର୍ଷ ହେଲାଣି ତା ପାଟିରେ ବାଜି ନଥିବ ଏଇ ଡାଲି।ଖାସ ତାରି ପାଇଁ କାଲି ବନେଇବି।”
ଏତେଦିନ ପରେ ଲଳିତା ଙ୍କ ମୁହଁରେ ଏଭଳି ଉଜ୍ଵଳ ହସ ଦେଖି ଆଚମ୍ବିତ ହେଲା ସୁବାଷ।ବହୁତ ଦିନ ପରେ ଅନ୍ୟ ଗୋଟେ ବଡ଼ ସହରରେ ରହୁଥିବା ପୁଅ ବୋଧେ ଘରକୁ ଆସୁଛନ୍ତି ବୋଲି ମା ଏତେ ଖୁସି।ଅବଶ୍ୟ ଏହା ସ୍ୱାଭାବିକ।ସୁବାଷର ମନେ ଅଛି,ବୋଉ ବଞ୍ଚିଥିଲା ବେଳେ ସେ ବି ଗାଁକୁ ଗଲେ ବୋଉ ଖୁସିରେ ଉଛୁଳି ପଡେ।କେତେ ରକମର ଖାଇବା ଜିନିଷ ବନେଇ ପକାଏ।ମା ମନ ପରା…
ସୁବାଷ ଗଲାବେଳେ ପଚାରିଲା,
-ସାନବାବୁ ଟ୍ରେନ ନା ପ୍ଲେନରେ ଆସିବେ ?ତାଙ୍କୁ
ଆଣିବାପାଇଁ ଆପଣ ମୋ ଅଟୋରେ ଯିବେ ନା ଟ୍ୟାକ୍ସି ଠିକ କରିଦେବି ?”
ଲଳିତା ରାଓ ଚୁପ ରହି ସ୍ବାମୀଙ୍କ ଆଡ଼କୁ ଅନାଇବାରୁ,ଶ୍ରୀନିବାସ ରାଓ ଦାଣ୍ଡ ବାରଣ୍ଡାକୁ ବାହାରି ଆସି ସୁବାଷକୁ ଧୀର ସ୍ୱରରେ କହିଲେ,
-ଭେଙ୍କଟ ଆସୁଛି ବୋଲି ଆମକୁ ଜଣାଇନାହିଁ।ମିଟିଙ୍ଗ ପୋଷ୍ଟର ରେ ତା ନାଁ ଦେଖି ଦୁଇ ତିନିଜଣ ବନ୍ଧୁବାନ୍ଧବ ଆମକୁ ଫୋନରେ କହିଲା ପରେ ଆମେ ଜାଣିଲୁ।କିଛି ବର୍ଷ ହେଲାଣି ସେ ଘରକୁ ଆସୁନି।ଛୁଟିରେ ତା ଶଶୁର ଘରକୁ ଯାଏ।ଆମେ ଥରେ ଦୁଇଥର ତା ପାଖକୁ ଯିବାକୁ ବାହାରିଲା ବେଳେ,ସେ ଅନ୍ୟ ସହରକୁ ଟୁର ରେ ଯିବ ବୋଲି ମିଛରେ ବାହାନା କରେ।ଏ ଘର ଓ ଜାଗା ତା ନାଁରେ କଲେ,ସେ ଏଠାରେ ଗୋଟେ ବଡ଼ ମାର୍କେଟ କମ୍ପ୍ଲେକ୍ସ କରିବ ବୋଲି ଜିଦି ଧରିଛି।ହେଲେ ଏତେ କଷ୍ଟରେ ବନାଇଥିବା ନିଜ ଘରକୁ କିଏ ନିଜ ଆଖି ସାମ୍ନାରେ ଭାଙ୍ଗିବାକୁ ଚାହେଁ ?କଣ ହେବ ଆମର ଅଧିକ ଟଙ୍କା,ପଇସା ?ମୋତେ ଜିଦିଆ ବାପା ବୋଲି କହି ଅଭିମାନ କରେ ଲଳିତା,ହେଲେ ମୁଁ ଜାଣେ ଏ ଘର ଭାଙ୍ଗିଗଲେ ତାର ଆଗେ ହାର୍ଟ ଆଟାକ ହେବ।ଅବୁଝା ପୁଅକୁ ବୁଝାଇବାର ସାମର୍ଥ୍ୟ ଆମର ନାହିଁ।”
ଟିକେ ନିଶ୍ବାସ ନେଇ ମିଷ୍ଟର ରାଓ ପୁଣି କହିଲେ,
-ହେଲେ ତମ ମାଉସୀ ଭାବୁଛି,ଏଇ ଉଲୁଭା ଚାରୁ ପୁଅକୁ ଖୁଆଇ ତାକୁ ବଶ କରି ବୁଝେଇବ ବୋଲି।ସତରେ କଣ ଏଇ କୋଳଥ ଡାଲି ଖାଇଲେ କିଏ ଭାବପ୍ରବଣ ହୁଏ ?”
ସୁବାଷ ପାଟିରୁ ଫସ କିନା ବାହାରି ପଡ଼ିଲା,
-ହୁଏତ ଅସମ୍ଭବ ସମ୍ଭବ ହୋଇପାରେ।ମା ହାତ ତିଆରି କୋଳଥ ଡାଲି ଭାଗ୍ୟରେ ମିଳେ।”
ସୁବାଷ ଦେଖିଲା ପରଦା ଆଢୁଆଳରେ ଲୁହ ପୋଛୁଥିଲେ ମିସେସ ରାଓ।
ପରଦିନ ସୁବାଷ କୁ ସକାଳୁ ଫୋନ କରି ଡକାଇ ମିସେସ ରାଓ କହିଲେ,
-ଭେଙ୍କଟ ସିଧା ହୋଟେଲ କୁ ଯାଇଛି।ତମ ମଉସା ଓ ମୋତେ ସେଇ ହୋଟେଲ କୁ ଟିକେ ନେଇଚାଲ।ଉଲୁଭା ଚାରୁ ତା ପାଇଁ ମୁଁ ବନେଇଛି।”
ହୋଟେଲରେ ପହଞ୍ଚି ବାହାରେ ଅପେକ୍ଷା କଲା ସୁବାଷ।ବାହାରେ ମରାଯାଇଥିବା ପୋଷ୍ଟରରେ ରାଓ ଦମ୍ପତ୍ତିଙ୍କ ପୁଅ ଭେଙ୍କଟ ର ଫଟକୁ ଦେଖି,ସେମାନଙ୍କ ଘରେ ମରା ହୋଇଥିବା ଫଟକୁ ମନେ ପକାଉଥିଲା ସୁବାଷ।ଆଜି ମା,ପୁଅଙ୍କ ମେଳଣ, ସାଙ୍ଗରେ ଛୁଙ୍କ ଦିଆ କୋଳଥ ଡାଲି।ଗୋଟେ ପଟେ ପୁଅର ଜିଦି,ଅନ୍ୟପଟେ ମା’ର ମମତା।କିଏ ଜିତିବ ଦେଖାଯାଉ।
କିଛି ସମୟ ପରେ ମୁହଁକୁ ପୋତି ରାଓ ଦମ୍ପତ୍ତି ଙ୍କୁ ହୋଟେଲ ବାହାରକୁ ଆସୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲା ସୁବାଷ।ସାଙ୍ଗରେ ପୁଅ ନାହାନ୍ତି ଯେ….
ଅଟୋରେ ବସି ଧୀର ସ୍ୱରରେ ମିଷ୍ଟର ରାଓ କହିଲେ,
-ଘରକୁ ଚାଲ।”
ବାଟ ସାରା ସମସ୍ତେ ଚୁପ ଥିଲେ।ସାମ୍ନା ଦର୍ପଣ ରେ ସୁବାଷ ଦେଖୁଥିଲା ମିସେସ ରାଓ,ନିଜ ହାତରେ କୋଳଥ ଡାଲି ଥିବା ପ୍ୟାକେଟ କୁ କୋଳ ରେ ଧରି, ଖାଲି ନିଜ ଆଖିକୁ ପୋଛୁଥାନ୍ତି।
ଘରେ ପହଞ୍ଚିଲା ପରେ ରାଓ ବାବୁ ବିରକ୍ତିଭାରା ସ୍ୱରରେ କହିଲେ,
-ମୁଁ ତୁମକୁ ବାରମ୍ବାର କହୁଥିଲି, ସେଠିକୁ ନଯିବା ପାଇଁ।କେମିତି ବ୍ୟବହାର ପାଇଲ ଦେଖିଲ ତ ?ଶାନ୍ତି ହେଲା ମନ ?”
-ସାନବାବୁ କଣ ମାଉସୀ ଙ୍କ ହାତ ତିଆରି ଏଇ ଅମୃତ କୋଳଥ ଡାଲିର ଉଲୁଭା ଚାରୁ ଖାଇବାକୁ ମନାକଲେ ?”
ରାଗିଲା ସ୍ୱରରେ ମିଷ୍ଟର ରାଓ କହିଲେ, - ସେ ଅପଦାର୍ଥ ଖାଲି ମନା କଲାନି,କହିଲା ଆଜିକାଲି ରେଡ଼ିମେଡ ଉଲୁଭା ଚାରୁ ବିକ୍ରି ହେଉଛି।ହୋଟେଲର ବଫେ ଟିଫିନ ଖାଇ,ତା ପେଟ କାଳେ ପୁରି ଯାଇଛି।ଫେରାଇଦେଲା ତା ମା ହାତ ରନ୍ଧା ଜିନିଷ।”
କୋହଭରା ସ୍ୱରରେ ମିସେସ ରାଓ କହିଲେ,
-ମା ହାତ ତିଆରି ଓ କିଣା ଜିନିଷ କଣ ସମାନ !କେମିତି ଏତେ ନିଷ୍ଠୁର ହୋଇପାରିଲା ଭେଙ୍କଟ।ଆଛା ସୁବାଷ,ତମେ ଚାଖି କି କୁହ ତ ମୋ ଉଲୁଭା ଚାରୁ କେମିତି ହୋଇଛି ?”
ଟିଫିନ ଓ ଚାମୁଚ ତାକୁ ବଢ଼ାଇଦେଲେ ଲଳିତା ଦେବୀ।
ସୁବାଷ ଜାଣିପାରୁ ନଥିଲା କଣ କରିବ।ଟିଫିନ ଖୋଲିଲା ପରେ ମହମହ ବାସ୍ନା ତାକୁ ଉଛନ୍ନ କରିପକାଇଲା।ଅୟୁତ ବର୍ଷର ଭୋକ ରେ ସେ ଯେମିତି ଆତୁର ହୋଇଉଠିଲା।”
ତରବର ହୋଇ ଚାମୁଚ ବଦଳରେ ଖାଲି ହାତରେ ହାମ୍ପୁଡି ପକାଇଲା ସେ ଉଲୁଭା ଚାରୁ କୁ।ଆଃ,ବିଲକୁଲ ଓଡ଼ିଆ ଘର କୋଳଥ ଡାଲି ର ମଜା।ଚାଟିଚୁଟି ଟିଫିନ ସଫା କରିଦେଇ
ହସିଦେଇ ସେ କହିଲା,
-ସକାଳେ ପେଟେ ଚୁଡ଼ା କଦଳୀ ଖାଇ ସୁଦ୍ଧା ଏତେ ଭୋକ କୁଆଡେ ଆସିଲା କେଜାଣି ?ମା ହେଉକି ମାଉସୀ,ସେମାନଙ୍କ ହାତରେ ଗୋଟେ ଜାଦୁ ଥାଏ।ଆମ କୋଳଥ ଡାଲି ଓ ଏଇ ଉଲୁଭା ଚାରୁ ସ୍ୱାଦରେ ଏକଦମ ସମାନ ଓ ଅଦ୍ଵିତୀୟ।ଏଥିରେ ଅନେକ ସ୍ମୃତି ଗୁନ୍ଥି ହୋଇଥାଏ।କୋଳଥ ଡାଲି ଅନେକ କିଛି ମନେ ପକାଇଦିଏ।ଏ ଡାଲି ଖାଇଲେ ସବୁ ପୁଅଙ୍କର ବୋଉ କଥା ନିଶ୍ଚେ ମନେପଡିଯିବ।”
ସୁବାଷ ମୁଣ୍ଡକୁ ସ୍ନେହରେ ଆଉଁଶି ଦେଇ,କାନ୍ଥରେ ଟଙ୍ଗା ଭେଙ୍କଟର ଫଟକୁ ଅନେଇ ମିସେସ ରାଓ କହିଲେ, - ସବୁ ପୁଅ ତୁମ ଭଳି ଆବେଗ ଓ ସମ୍ପର୍କ କୁ ବୁଝନ୍ତିନି।ସତ କହିବାକୁ ଗଲେ କୋଳଥ ଖାଲି ଗୋଟେ ଡାଲି ନୁହେଁ,ବରଂ ସ୍ନେହର ବାମ୍ଫରେ ସିଝି, ଖଟାମିଠା ସ୍ନେହସାରରେ ଜୁଡୁବୁଡୁ ଗୋଟେ ସମ୍ପର୍କରସ୍ମୃତି।ଏଇ ଡାଲି ଦେଖି ଖାଲି ପୁଅମାନେ ନିଜ ମା’କୁ ମନେ ପକାନ୍ତିନି, ବରଂ ଅନେକ ଅଭାଗା ମା ନିଜ ପୁଅଙ୍କୁ ବି ଝୁରି ହୁଅନ୍ତି,ମୋ ଭଳି।”
ମିଷ୍ଟର ରାଓ ମୁହଁ ଲୁଚାଇ ନିଜ ଆଖି ପୋଛୁଥିଲେ।
ଡାଲି ଟିଫିନରେ ସୁବାଷ ଓ ମିସେସ ରାଓଙ୍କ ଲୁହ ଥପ ଥପ ହୋଇ ପଡୁଥିଲା। - ©ଅରବିନ୍ଦ ଦାସ