ଅରବିନ୍ଦ ଦାସଙ୍କ ତତ୍କାଳ ଗଳ୍ପ-ରାବଣପୋଡ଼ି
//TATKAL ODISHA// ରାଵଣପୋଡି//
★★★★★++++++++++++++++
ଅରବିନ୍ଦ ଦାସ
ଏବର୍ଷ ପ୍ରଥମଥର ପାଇଁ ଗାଁରେ ରାଵଣପୋଡି ହେବ ବୋଲି ଗାଁ ଲୋକେ ନିଷ୍ପତ୍ତି ନେଇଥିଲେ।ବିରାଟ ବଡ଼ ଆୟୋଜନ କରାଯାଉଥିଲା।
ଟଙ୍କା ଉଡୁଥିଲା ସେଇ ଗାଁ ଓ ଆଖପାଖ ଅଞ୍ଚଳରେ।
ଗାଁ ଲୋକେ ତିନି ଭାଗରେ ବିଭକ୍ତ ହୋଇଥିଲେ।
୧)ସ୍ଥାନୀୟ ଲୋକସଭା ସାଂସଦଙ୍କ ସମର୍ଥକ,୨)ସ୍ଥାନୀୟ ବିଧାୟକଙ୍କ ସମର୍ଥକ, ୩)ଗତ ଇଲେକ୍ସନରେ ହାରିଥିବା ପୂର୍ବତନ ବିଧାୟକ(ଏବେର ବିରୋଧୀ ନେତା)ଙ୍କ ସମର୍ଥକ ।
- ଏବର୍ଷ ଦଶହରାରେ ଏଠି ପ୍ରଥମଥର ପାଇଁ ରାବଣ ପୋଡି ହେବ, ଯେମିତି ପାଖ ସହର ରେ ହେଉଛି।ଅତି ଯାକଜମକରେ ପୂଜା ହେବ। ସବୁ ଖର୍ଚ୍ଚ ମୋ ସାଂସଦ ଫଣ୍ଡ ରୁ ହେବ। ତା ଛଡ଼ା ଘର ପିଛା ଲୁଗାପଟା ଓ ଅନ୍ୟ ଜିନିଷ ବି ଦିଆଯିବ।ରାବଣ ପୋଡି ମୋ ହାତରେ ହେବ ।” ଘୋଷଣା କଲେ ସାଂସଦ ଦୁର୍ଯ୍ୟୋଧନ ବାବୁ।
ବିରୋଧୀ ଦଳର ନେତା ସନ୍ତୋଷ ବାବୁ ବି ଗର୍ଜିଲେ,
-ଏସବୁ ସରକାରଙ୍କର ଚାଲାଖି।ଏତେ ବର୍ଷ ହେଲାଣି ପୂଜା ପେଣ୍ଡାଲ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମୁଁ କେତେ ଯେ ଟଙ୍କା ଖର୍ଚ୍ଚ କରିଛି,ତା ର ହିସାବ ରଖିନି।ଆଜି ଇଲେକ୍ସନ ହାରିଗଲି ବୋଲି କଣ ରାବଣପୋଡି ଅନ୍ୟ ଜଣେ କରିବ ? ଏ ଗାଁ ପାଇଁ ସେ କଣ କରିଛି ?ପାଞ୍ଚଥର ମୁଁ ନିର୍ବାଚନ ଜିତିଛି।ମୁଁ ସିନିଅର। ରାବଣ ମୁଁ ପୋଡିବି ।”
ସମସ୍ତେ ଜାଣନ୍ତି, ସ୍ଥାନୀୟ ବିଧାୟକ ଦୁଃଶାସନ ବାବୁ ,ସାଂସଦ ଦୁର୍ଯ୍ୟୋଧନ ବାବୁଙ୍କର ଘୋର ବିରୋଧୀ।ଗତ ମିଟିଙ୍ଗ ରେ ତାଙ୍କ ସପକ୍ଷବାଦୀ ,ଦୁର୍ଯ୍ୟୋଧନ ବାବୁଙ୍କ ସଭାକୁ ଭଣ୍ଡୁର କରିଥିଲେ।ଢେଲା ପଥର ମାଡ଼,ପୋଲିସ ଲାଠିଚାର୍ଜ ଯାଏଁ କଥା ଯାଇଥିଲା। - “ସାର୍,ଆପଣ ସ୍ଥାନୀୟ ବିଧାୟକ ଥାଉ ଥାଉ, ସାଂସଦ ବା ବିରୋଧୀ ନେତା କେମିତି ରାବଣପୋଡି କରିବେ ?ଇୟେ ଇଲାକା ତ ଆପଣଙ୍କର।ରାବଣ ବି ଆପଣଙ୍କର।ଇୟେ ତ ଦିଲ୍ଲୀ ହୋଇନି ଯେ,ସାଂସଦ ଏଠି ମନମୁଖୀ କାମ କରିବେ।ଆପଣ ସି.ଏମ ଙ୍କୁ ଅଭିଯୋଗ କରନ୍ତୁ।ସି.ଏମ ଙ୍କର ସାଂସଦ’ଙ୍କ ସହ ଏବେ ମନୋମାଳିନ୍ୟ ହୋଇଛି।”
ଚିନ୍ତାରେ ପଡିଲେ ଦୁଃଶାସନ ବାବୁ।ଏହା ତାଙ୍କ ସମ୍ମାନ ର ପ୍ରଶ୍ନ।ରାବଣ ପୋଡି ତାଙ୍କ ହାତରେ ହିଁ ହେବ।ତେବେ ଟିକେ ରାଜନୀତି କଲେ କ୍ଷତି କଣ ?
ଦୁଃଶାସନ ବାବୁ ପ୍ରସ୍ତାବ ରଖିଲେ,
-“ପ୍ରଥମ ଥର ରାବଣପୋଡି ହେବ।ତେଣୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏ ଶୁଭ କାମ ହେଉ।”
ସମସ୍ତେ ଆଶ୍ଚର୍ଯ୍ୟ ଏହି ମାଷ୍ଟର ଷ୍ଟ୍ରୋକ ପାଇଁ।ସିଧା ସି.ଏମ !
ଦୁଃଶାସନ ବାବୁ ଭଲ ଭାବେ ଜାଣିଥିଲେ,
ରାଜଧାନୀରେ ଏତେ ରାବଣପୋଡି ଛାଡି ମୁଖ୍ୟମନ୍ତ୍ରୀ କଦାପି ଏ ଅଞ୍ଚଳକୁ ଆସିବେ ନାହିଁ।
ସି ଏମ ,ଦୁଃଶାସନ ବାବୁଙ୍କ ନାଁରେ ମୋହର ମାରିଲେ।ତେଲ ମାରିବାରେ କିଛି ଫାଇଦା ନିଶ୍ଚେ ଥାଏ ବୋଧେ। - ପ୍ରଶାସନ ତରଫରୁ କୁହାଗଲା ଯେ,ରାବଣ ପୋଡି ଦୁଃଶାସନ ବାବୁ କରିବେ।ସେ ଆଗୁଆ ପରମିସନ ନେଇଛନ୍ତି।”
- ଏହା ସମ୍ପୂର୍ଣ୍ଣ ଅନ୍ୟାୟ। ଏ ଅଞ୍ଚଳର ମୁଁ ପୁରୁଣା ବାସିନ୍ଦାମୁଁ ସାଂସଦ।ପୂଜା ଖର୍ଛ ମୋ ପାଣ୍ଠିରୁ ଏତେ ବର୍ଷ ହେଲା ଦେଉଛି।ଦେଖିବି ମୁଁ, କେମିତି ଦୁଃଶାସନ ପୋଡିବ ରାବଣ କୁ।”
ବରୋଧୀ ନେତା ସନ୍ତୋଷ ବାବୁ ବି ଉତ୍ତକ୍ଷିପ୍ତ ଥିଲେ।ପ୍ରେଷ୍ଟିଜ୍ ଇସୁ ଯାହାହେଲେ।ନିଜ ସମର୍ଥକଙ୍କୁ ସେ ବି ଜୁଟାଇଲେ।
ଗାଁ ଓ ପୂଜା କମିଟିର ପୁରୁଖା ଲୋକେ ପ୍ରମାଦ ଗଣିଲେ।ହାତୀମାନେ ଜନବସ୍ତିରେ ପରସ୍ପର ମଧ୍ୟରେ ଲଢେ଼ଇ କଲେ କ୍ଷତି, ସାଧାରଣ ଲୋକର ଜମି, ଘର ର ହିଁ ହୁଏ।ଏବେ ଠିକ୍ ସେଇ ଅବସ୍ଥା।
ମିଟିଙ୍ଗ ହେଲା।ପୁଲିସ ,ପ୍ରଶାସନ ମିଶି ଶାନ୍ତି କମିଟି ନିଷ୍ପତ୍ତି ନେଲେ ଯେ,
-“ଏଥର ମଞ୍ଚ ଉପରେ ତିନି ନେତା ରହିବେ।ସମସ୍ତେ ମିଶି ରାବଣ ପୋଡ଼ିରେ ଭାଗ ନେବେ।ରାବଣ,କୁମ୍ଭକର୍ଣ୍ଣ,ମେଘନାଦ ପ୍ରତିମାରେ ଭାଗ ହୋଇ ଅଗ୍ନି ସଂଯୋଗ କରିବେ।”
ପୁଣି ତିନିଜଣ ଯାକ ଅଡିବସିଲେ,”ମୁଁ ରାବଣ ପୋଡିବି।”
ବିରକ୍ତ ହୋଇ ପ୍ରଶାସନ ରାବଣ ପୋଡି ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଠିକ୍ କଲା।
ଶେଷରେ ନିଷ୍ପତ୍ତି ନିଆଗଲାଯେ ଧର୍ମଗୁଳା ପଡିବ,ଯାହା ଭାଗ୍ୟରେ ଯିଏ ପଡିବ।
ସବୁ ନେତାଙ୍କ ମନକୁ କଥା ପାଇଲା।
ବିଜୟାଦଶମୀ ସନ୍ଧ୍ୟାରେ ପ୍ରବଳ ଭିଡ଼।ସମସ୍ତେ ଅପେକ୍ଷା କରିଛନ୍ତି କିଏ ଶର ମାରି ଜଳାଇବ ରାବଣକୁ।ତା ପରେ ଆରମ୍ଭ ହେବ ଆତାସବାଜି।
ସଭା ଆରମ୍ଭ ହେଲା।ମଞ୍ଚ ଉପରେ ତିନି ନେତାଙ୍କ ସମର୍ଥକ।ହାଠାତ୍ ମଡ ମଡ଼ ହୋଇ ଭୁଶୁଡ଼ି ପଡ଼ିଲା ମଞ୍ଚ।ଅତ୍ୟଧିକ ଓଜନ ସଂଭାଳି ପାରିନଥିଲା ମଞ୍ଚ।
ଖଣ୍ଡିଆ ଖାଵରା ହେଲେ ନେତାମାନେ।ଝାଡ଼ିଝୁଡ଼ି ହୋଇ ଉଥିଲାବେଳକୁ ପୁଣି ଅଘଟଣ।
ଭିଡ଼ ଭିତରେ ଠିଆ ହୋଇଥିବା ରାମ ମଉସା ଅନ୍ୟମନସ୍କ ଭାବେ ଅଧାଜଳା ବିଡିକୁ ପଡିଆ ଭିତରକୁ ଫୋପାଡ଼ି ଦେଇଥିଲେ।ପାଖରେ ଥିବା ବାଣରେ ସେଇ ନିଆଁ ଝୁଲ ପଡି ସାଇଁ ସାଇଁ ଛୁଟିଗଲା ରକେଟ ଓ ହାବେଳି।ହାଉଳି ଖାଇ ଲୋକେ ଦୌଡା ଦୌଡ଼ି ହେଲେ।
ଭଙ୍ଗା ମଞ୍ଚରେ ନିଜକୁ ସଜାଡି ଭାଷଣ ଦେବାକୁ ଚେଷ୍ଟା କରୁଥଲେ ନେତା।କିଛି ରକେଟ ସିଧା ଯାଇଁ ରାବଣ,କୁମ୍ଭକର୍ଣ୍ଣ,ମେଘନାଦ ଙ୍କ ଦେହରେ ବାଜିଥିଲା ବୋଧେ।କେହି କିଛି ବୁଝିବା ଆଗରୁ ରାବଣପୋଡି ଆରମ୍ଭ ହୋଇଯାଇଥିଲା। - (©ଅରବିନ୍ଦ ଦାସ)
- ++++++++++++++++++++++++++++++++++