ଅରବିନ୍ଦ ଦାସଙ୍କ ଗଳ୍ପ -‘ମଦର୍ସ ଡେ ପାଇଁ ବାର୍ତ୍ତା’
//Tatkal odisha//
★★★★★★★★★★★★★★★★★★
ଅରବିନ୍ଦ ଦାସ
ହାତରେ ଗୋଟିଏ ଖବରକାଗଜ ଧରି ପିଙ୍କୁ ଦୌଡିଯାଇ ଆଶୁତୋଷଙ୍କୁ କହିଲା,
-ପାପା,ମଦର୍ସ ଡେ ରେ ମମି ପାଇଁ ଗୋଟେ ବଢିଆ ଓଡ଼ିଆ ମେସଜ ଲେଖି ଦିଅ ଓ ତାକୁ ପଠାଇବାକୁ ମୋତେ ଟଙ୍କା ଦିଅ।”
ପୁଅ କଥା ଶୁଣି ଆବାକାବା ହୋଇ ଆଶୁତୋଷ କହିଲା,
-ମମିକୁ ମେସେଜ କାହିଁକି ପଠାଇବୁ ?ମମି ତ ଏଇଠି ଘରେ ଅଛି।ତାଛଡା ମୋବାଇଲରେ ମେସେଜ ପଠାଇବା ପାଇଁ ଟଙ୍କା କାହିଁକି ଦରକାର ?ମେସେଜ ତ ମାଗଣା।”
ଖବରକାଗଜର ଏକ ପୃଷ୍ଠା ଖୋଲି ପିଙ୍କୁ ଆଶୁତୋଷ କୁ ଦେଖାଇ କହିଲା,
-ମମିର ଫଟ ସହ,ପଚିଶ ଶବ୍ଦ ଭିତରେ ସ୍ପେଶାଲ ମେସେଜ ଏଇ ଖବରକାଗଜକୁ ପଠାଇ ମଦର୍ସ ଡେ ଦିନ ଛପାଇବାକୁ ହେଲେ ହେଲେ ଆଠଶ ଟଙ୍କା ଦେବାକୁ ପଡିବ।ଲକି ଡ୍ର ରେ ସବୁଠୁ ଭଲ ତିନି ମେସେଜ ପାଇଁ ଭଲ ପ୍ରାଇଜ ମିଳିବ।ତେବେ ସବୁ ମେସେଜ ପାଇଁ କିଛି ଲକି କୂପନ ଦେବେ।ମମି ପାଇଁ ଅନଲାଇନରେ ଗିଫ୍ଟ, କେକ ଓ ଖାଇବାଜିନିଷ ମଗାଇଦେବା।ତେବେ ଏଇ ମେସେଜ ତା ପାଇଁ ସରପ୍ରାଇଜ ହେବ।”
ଚିଡିଯାଇ ଆଶୁତୋଷ କହିଲା,
-ଏସବୁ ମଦର୍ସ ଡେ ନାଁରେ ଖବରକାଗଜ ବାଲାଙ୍କ ବେପାର ଚାଲାଖି।ହଇରେ ବୁଦ୍ଧୁ,ନିଜେ ଅଧିକ ଟଙ୍କା ଦେଇ କମ ଟଙ୍କାର କୂପନ ପାଇବୁ ବୋଲି ମେସେଜ ଜାଲରେ ପଡୁଛୁ ?ବାହାରୁ ଖାଇବା ମଗାଇଲେ ମମି କଣ ଖୁସି ହେବ ?ମିମି କୁ ନିଜ ହାତରେ କିଛି ଡ୍ରଇଂ କରି ଗିଫ୍ଟ ଦେ, ଆଉ କିଛି ଭଲ ଜିନିଷ ନିଜେ ତିଆରି କରି ଖୁଆଇଲେ ମମି ବହୁତ ଖୁସି ହେବ।”
ନିରାଶ ହୋଇ ପିଙ୍କୁ ରୋଷେଇ ଘରକୁ ଯାଇ ସ୍ନିଗ୍ଧାକୁ ପୁଣି ସବୁକଥା ଆମୁଳଚୁଳ ବର୍ଣ୍ଣନା କରି,ପାପା କିପରି ତାକୁ ବୁଦ୍ଧୁ କହି ଟଙ୍କା ଦେଲେନି ବୋଲି କହିଲା ପରେ ,ମୃଦୁହସି ପୁଅ ମୁଣ୍ଡକୁ ସ୍ନେହରେ ସାଉଁଳେଇ ଦେଇ ସ୍ନିଗ୍ଧା କହିଲା,
-ମୁଁ ଜାଣେ ମୋ ପୁଅ ମୋତେ କେତେ ଭଲ ପାଏ।ତୋ ପାପା ସିନା ମୋତେ ଭଲ ପାଉଥିଲେ ମେସେଜ ପଠାନ୍ତେ।ହେଲେ ଆଠଶ ଟଙ୍କା ମେସେଜ ପାଇଁ ଖର୍ଚ୍ଚ କରିବା ଅପେକ୍ଷା ସେଇ ଟଙ୍କାରେ ଅନେକ ଜିନିଷ ଆମେ କିଣି ପାରିବା।ଯେମିତିକି ତୋ ବହି ଖାତା,ଡ୍ରେସ ଇତ୍ୟାଦି।”
-ଓହୋ ମମି,ତୁମେ ବି ସବୁବେଳେ ଖାଲି ମୋତେ କିଣିକି ଦେବ ?ମୁଁ ସେଇଥିପାଇଁ ଭାବୁଥିଲି ତୁମ ପାଇଁ ଏଭଳି ମେସେଜ କଲେ ଅନ୍ୟ ସମସ୍ତେ ଦେଖିବେ,ଜାଣିବେ।”
ପୁଅକୁ ବୁଝାଇଲା ଢଙ୍ଗରେ ସ୍ନିଗ୍ଧା କହିଲା
-ମମିକୁ ଭଲପାଇବାକୁ ହେଲେ ଅନ୍ୟଙ୍କୁ ଦେଖେଇହେବା କଣ ନିହାତି ଦରକାର ?ମା ଓ ପିଲାଙ୍କ ଭଲ ପାଇବା ହେଉଛି ଅସୀମ/ଅନନ୍ତ।ମା କାହାଠାରୁ କେବେ କିଛି ଆଶା ରଖେନା,ତେବେ ପିଲାଙ୍କ ଠାରୁ ସ୍ନେହ ପାଇଲେ ସେ ବହୁତ ଖୁସି ହୁଏ।ତେଣୁ ଜୀବନରେ କେବେ ମାକୁ ଭୁଲିବୁନି ;ଆଉ ହଁ ମୁଁ ବୁଢ଼ୀ ହୋଇଗଲା ପରେ ମେସେଜ ନୁହେଁ,ମୋ ପାଖେ ପାଖେ ରହି କଥା କହିବୁ,ଅଧିକ ଭଲ ପାଇବୁ,ଯେମିତି ତୋ ପାପା ଜେଜେମାଙ୍କୁ ….।”
ହଠାତ ରୋଷେଇଘର କବାଟ ପାଖରେ ଆଶୁତୋଷ କୁ ଦେଖି ଚୁପ ହୋଇଗଲା ସ୍ନିଗ୍ଧା।ଚଟକିନା ଚାଲିଗଲା ଆଶୁତୋଷ।
ପିଙ୍କୁ ଧୀର ସ୍ୱରରେ ପଚାରିଲା,
-ଆଛା ମମି,ଜେଜେମା ତ ଏବେ ଦୁନିଆରେ ନାହାନ୍ତି।ମଦର୍ସ ଡେ ରେ ପାପା କେମିତି ଉଇସ କରିବେ ?”
ନିଜ ଆଖିର ଲୁହକୁ ପୁଅକୁ ଲୁଚାଇ ପୋଛି ସ୍ନିଗ୍ଧା କହିଲା,
-ତୋ ଜେଜେମାଙ୍କ ପ୍ରତି ତୋ ପାପାଙ୍କ ସ୍ନେହ ଓ ଭକ୍ତି ଦେଖି ମୋତେ ବହୁତ ମଧୁର ଈର୍ଷା ହୁଏ।ତୋ ପାପା କୁହନ୍ତି,ବୋଉ ପାଇଁ ପୁଣି ଏଇ ଗୋଟିଏ ଦିନ ମଦର୍ସ ଡେ ବୋଲି କାହିଁକି ପାଳିବା ?ବର୍ଷକ ୩୬୫ ଦିନ ତ ମା ପାଇଁ।”
ଛେପ ଢ଼ୋକି ପିଙ୍କୁ ପଚାରିଲା,
-ତେବେ ମଦର୍ସ ଡେ ଦିନ ପାପା କବାଟ ବନ୍ଦ କରି ଜେଜେମା ରୁମରେ କାହିଁକି ପଶନ୍ତି ?”
ଛଳଛଳ ଆଖିରେ ସ୍ନିଗ୍ଧା କହିଲା,
-ଉପରକୁ ଟାଣ ପଣ ଦେଖାଉଥିବା ତୋ ପାପା,ନିଜ ମାଙ୍କ କଥା ପଡିଲେ ତୁଳା ଭଳି ନରମ ହୋଇ ଯାଆନ୍ତି।ବୋଉଙ୍କ ରୁମରେ ପଶି କବାଟ କିଳି ତୋ ଜେଜେମା ଫଟକୁ ଧରି ସେ ଲୁଚେଇ କାନ୍ଦନ୍ତି ।”
ରୁମ ଭିତରକୁ ପଶିଆସି ଆଶୁତୋଷ ,ସ୍ନିଗ୍ଧା ଓ ପିଙ୍କୁକୁ କୁଣ୍ଢାଇ ଧରି କହିଲା,
-ମା/ମମି/ବୋଉଙ୍କ ପାଇଁ,ପିଲାଙ୍କ ମେସଜ/ବାର୍ତ୍ତା ଖବରକାଗଜ ବା ମୋବାଇଲ ଅଥବା ସୋସିଆଲ ମିଡିଆ ଦ୍ୱାରା ପଠାଇବା ଅପେକ୍ଷା,ବରଂ ନିଜେ ମା ପାଖକୁ ଆସି କିମ୍ବା ଭିଡିଓ କଲ କରି ବି ମା’ର ଭଲ ମନ୍ଦ ବୁଝିଲେ ଖୁସି ହୁଏ ମା।ଖାଇଲା ପିଇଲା ବେଳେ ନିଜ ତଣ୍ଟି ରେ ଲାଗିଲେ,ମା କହେ ତା ପିଲେ ମନେ ପକାଉଛନ୍ତି ବୋଲି,ଯେମିତି ବୋଉ ମୋତେ କହୁଥିଲା।ମୁଁ ଦେଉଥିବା ପ୍ରତ୍ୟେକଛୋଟ ଛୋଟ ଜିନିଷ ସେ ଯତ୍ନରେ ସାଇତି ରଖୁଥିଲା,ଯେମିତିକି ତାକୁ ଲେଖିଥିବା ମୋ ସ୍କୁଲ କଲେଜ ବେଳର ଚିଠି ସବୁ।ଏ ଜନ୍ମରେ ଆମେ କେବେ ମା’ର ଋଣ ଶୁଝି ପାରିବା ନାହିଁ।ଲୋକ ଦେଖାଣିଆ ବାର୍ତ୍ତା ଅପେକ୍ଷା,ହୃଦୟରୁ ସଂଚରିଥିବା ପିଲାଙ୍କ କାଣିଚାଏ ଭଲ ପାଇବା ହେଉଛି ମା ପାଇଁ ଅସଲ ଆନ୍ତରିକ ସମ୍ମାନ;ତାହାହିଁ ସର୍ବଶ୍ରେଷ୍ଠ ବାର୍ତ୍ତା।”
(©ଅରବିନ୍ଦଦାସ)