ଅରବିନ୍ଦ ଦାସଙ୍କ ଆଉ ଏକ ମର୍ମସ୍ପର୍ଶୀ ଗଳ୍ପ-‘ରେଳ କବିତା’
//TATKAL ODISHA//
★★★★★★★★★★★★★★★★★★
ଅରବିନ୍ଦ ଦାସ
★★★★★★★★★★★★★★★★
ରେଳକବିତା….ରେଳ’ରେ ବସି ଲେଖା ହୋଇଥିବା ପ୍ରେମକବିତା ସବୁ ରେଳ’ର ଗତିଭଳି ଆପେକ୍ଷିକ….
ଟ୍ରେନରେ ବସି କବିତା ଲେଖିବାର ଅଦ୍ଭୁତ ଅଭ୍ୟାସ ଯୋଗୁଁ,ନିଜ କବିତା ସବୁକୁ ରେଳ କବିତା ବୋଲି ବର୍ଷାକୁ କହୁଥିଲା ପ୍ରଦୀପ।ନିଜ ବ୍ୟାଗରେ ରଖିଥିବା ଗୋଟେ ଡାଇରୀ ରେ ମନକୁ ମନ କଣ ସବୁ ଗାରେଇ ଦେଇ ପୁଣି ସେଇ ଡାଇରୀ ବ୍ୟାଗ ଭିତରେ ପୁରାଇଦିଏ।ବେଳେବେଳେ ମନହେଲେ ନିଜର କିଛି କବିତା ପ୍ରଦୀପ ଯଦିଓ ପଢିକି ଶୁଣାଏ,ତେବେ ନିଜ ଡାଇରୀ କେବେ ବି ଅନ୍ୟକୁ ଦେଖିବାକୁ ଦିଏନା ଓ ପଚାରିଲେ ହସିଦେଇ ଥରେ କହିଥିଲା,
-ବିଶ୍ବାସ କର,ତୁମ ସହ ଦେଖା ହେଲାପରେ ମୋର ଏଇ କବିତା ଲେଖା ନିଶା ଆରମ୍ଭ ହୋଇଛି।
ଏସବୁ ଅଧାଲେଖା କବିତା।ସମ୍ପୂର୍ଣ୍ଣ ହେଲେ,ତାକୁ ଛପାଇ ,ପ୍ରଥମ କପି ତୁମକୁ ଉପହାର ଦେବି।”
ବର୍ଷା ଚିଡିଯାଇ ସେଦିନ କହିଥିଲା,
-କବିମାନଙ୍କର ଟିକେ ଆଳୁଦୋଷ ପାଗଳାମୀ ଥାଏ।
କିଏ ଜାଣେ କେବେ ତୁମ କବିତା ବ ହି ପଢିବାକୁ ମିଳିବ।ସବୁବେଳେ ତ ଏମିତି କିଛି ଦୁଇପଦ ଗାରେଇ ଦେଇ ରଖି ଦେଉଛ,କେବେ ତାକୁ ସମ୍ପୂର୍ଣ୍ଣ କରିବ କିଏ ଜାଣେ ?”
ଉତ୍ତର ନଦେଇ,ଏକ ରହସ୍ୟମୟ ହସ ହସେ ପ୍ରଦୀପ।
ବର୍ଷା ସହ ପ୍ରଦୀପ ର ପ୍ରଥମ ଦେଖା ବି ଟ୍ରେନ ଭିତରେ ହୋଇଥିଲା,କଲେଜ ଯିବାର ପ୍ରଥମ ଦିନ।
ଦୁହେଁ ସହପାଠୀ ଥିଲେ ବୋଲି,ଧୀରେ ଧୀରେ ପରିଚୟ,ସମ୍ପର୍କ ବଢି ବଢି, କେତେବେଳେ ପ୍ରେମ ହୋଇଯାଇଥିଲା ତାହା ଦୁହେଁ ଜାଣି ପାରି ନଥିଲେ।
ଦୁହେଁ ସବୁଦିନ କଲେଜକୁ ଯିବା ଆସିବା ଟ୍ରେନରେ ହିଁ କରୁଥିଲେ।ବର୍ଷାର ବାପା ରେଳବାଇ କର୍ମଚାରୀ ବୋଲି ଷ୍ଟେସନ ପାଖରେ ଥିବା ରେଲୱେ କଲୋନୀ ରେ ରହୁଥିଲା ସେ।ପିଲାବେଳୁ ଅନାଥାଶ୍ରମରେ ବଢିଥିବା ପ୍ରଦୀପ ଏକ ଚ୍ୟାରିଟି ସଂସ୍ଥା ଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିଲା ।
ପ୍ରଦୀପ ଦୁଇ ଷ୍ଟେସନ ପୂର୍ବରୁ ଆସୁଥିଲା ବୋଲି,ବର୍ଷା ପାଇଁ ନିଜ ପାଖରେ ସିଟଟିଏ ରଖୁଥିଲା।ବେଶ ଭଦ୍ର ଓ ମାର୍ଜିତ ବ୍ୟବହାର ଥିଲା ପ୍ରଦୀପ ର ଓ ତାର ଯୁବତୀ ମନଲୋଭା ଚେହେରା ଓ ଗମ୍ଭୀର ବ୍ୟକ୍ତିତ୍ୱ ଅଧିକ ଆକର୍ଷିତ କରିଥିଲା ବର୍ଷାକୁ।ତା ଆଖିରେ ଏକ ଅଦ୍ଭୁତ ଆକର୍ଷଣ ଥିଲା ଯେମିତି।
ତେବେ ତାର ଡାଇରୀ ରେ ସେଇ ଲେଖିବା ଅଭ୍ୟାସ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ବର୍ଷା ଓ ହସିଦେଇ ପଚାରିଥିଲା,
-କବି,ଲେଖକ ମାନେ ଚୁପଚାପ,ନିରୋଳାରେ,ଶାନ୍ତ ପରିବେଶରେ ଅନେକ କିଛି ଭାବି ଲେଖାଲେଖି କରନ୍ତି।ଆଉ ତମେ ହେଉଛ,ପ୍ରଥମ ଲୋକ ଯିଏ ଲୋକଙ୍କ ଭିଡଭାଡ଼, ହୋ ହାଲ୍ଲାରେ ଭରି ହୋଇଥିବା ଟ୍ରେନ ବଗିରେ ବସି କବିତା ଲେଖୁଛି।କଣ ଲେଖୁଛ ଟିକେ ଦେଖାଇଲ।”
ମୃଦୁହସି ସେଦିନ ପ୍ରଦୀପ କହିଥିଲା,
-ଲେଖିବା ପାଇଁ ପରିବେଶ ନୁହେଁ, ବରଂ ଅନ୍ତର ଭିତରୁ ଏକ ଆହ୍ୱାନ ଆସିବା ନିହାତି ଜରୁରୀ।ସେଇ ମୁହୂର୍ତ୍ତରେ ଲେଖକ ଅସ୍ତବ୍ୟସ୍ତ ହୋଇପଡେ।ଟ୍ରେନ ରେ ବସିଲେ କାହିଁକି କେଜାଣି ବେଳେବେଳେ ମୋ ଅବସ୍ଥା ସେମିତି ହୁଏ।କାଳେ ଭୁଲିଯିବି ବୋଲି ଯାହା ମନକୁ ଆସିଥାଏ,ତାକୁ ଡାଈରୀରେ ଟିପିଦିଏ।ରଫ କପି ବୋଲି କହି ପାର।ସୁବିଧା ହେଲେ କେବେ ଫେଆର କପି କରିବି।”
ଟ୍ରେନ ରେ ଗଲାବେଳେ ବଗି ଭିତରକୁ ବିକ୍ରି ଆସୁଥିବା ଖାଇବା ଜିନିଷ ସବୁ କିଣି ଖାଇବାକୁ ଭାରି ଭଲଲାଗେ ବର୍ଷାକୁ।ହେଲେ ପ୍ରଦୀପ ର ରୁଚି ସମ୍ପୂର୍ଣ୍ଣ ଅଲଗା।କଲେଜ କ୍ୟାଣ୍ଟିନ ଅଥବା ରାସ୍ତାକଡ଼ରେ ଠେଲା ବାଲାଙ୍କ ପାଖରୁ କିଣି ଖାଇବ ସିନା,ହେଲେ ଟ୍ରେନ ଭିତରେ ବିକ୍ରି ଆସୁଥିବା ଜିନିଷ ଖାଏନା।
ପଚାରିଲେ କୁହେ,
-ଟ୍ରେନରେ ମୋତେ ସହଯାତ୍ରୀ ତଥା ବାହାର ଦୃଶ୍ୟ ଦେଖିବାକୁ ଭଲ ଲାଗେ,ଖାଇବାକୁ ନୁହେଁ।”
ବର୍ଷା ଦେଖେ, ଟ୍ରେନରେ ବସି ସବୁବେଳେ ଅନ୍ୟମନସ୍କ ଭାବେ ଝରକା ବାଟେ ବାହାରକୁ ଅନାଏ ପ୍ରଦୀପ ଓ ଅନେକ ସମୟରେ ରେଳ ଧାରଣା କଡ଼ରେ ଥିବା ଇଲେକ୍ଟ୍ରିକଖୁଣ୍ଟ ଅଥବା ପାଖ ଟ୍ରାକରେ ଗତି କରୁଥିବା ଅଥବା ଅଟକିଥିବା ଟ୍ରେନର ବଗି ସବୁକୁ ଗଣିବାକୁ ଚେଷ୍ଟା କରେ।
ହସିଦେଇ ବର୍ଷା ଥରେ ପଚାରିଥିଲା,
-ଛୋଟ ପିଲାଙ୍କ ଭଳି ଏବେ ବି ତମେ ଏସବୁ ଗଣୁଛ?
ପିଲାବେଳେ ମୋର ବି ଏମିତି ଅଭ୍ୟାସ ଥିଲା,ହେଲେ ଗଣିବାରେ ସବୁବେଳେ ଭୁଲ ହେଉଥିଲା।ତେବେ ମଜାଲାଗେ,ଯେତେବେଳେ ପାଖ ରେଳ ଧାରଣାର ଟ୍ରେନ ଗତି କରେ,ଆମକୁ ଲାଗେ ଆମ ଟ୍ରେନ ଗତି କରୁଛି ବୋଲି।ଆଉ ରାସ୍ତା କଡ଼ର ସେଇ ବତୀ ଖୁଣ୍ଟ,ବିଲରେ ଚରୁଥିବା ଗାଈଗୋରୁ, ସାଇକେଲରେ ଯାଉଥିବା ମଣିଷମାନେ ଓଲଟା ଦିଗରେ ଗତି କଲାଭଳି ଲାଗନ୍ତି ବୋଲି ସେତେବେଳେ ଆଶ୍ଚର୍ଯ୍ୟ ହେଉଥିଲି।ବଡ଼ ହେଲାପରେ ବିଜ୍ଞାନ ବହିରୁ ଜାଣିଲି ଏସବୁ ଆପେକ୍ଷିକ ବେଗ।”
ସେଦିନ ପ୍ରଦୀପ ନିଜ ଡାଇରୀ ରୁ ପଢି ଶୁଣାଇଥିଲା,
-“କବିତା ବି ପ୍ରେମ ଭଳି ଛଳଛଳ,
ଭାବନା ଓ ଆବେଗରେ ଜୁଡୁବୁଡୁ,
ମନର ଓଦା ସିଲଟରେ ଲେଖା କିଛି ଧାଡି
ଲାଗେ ଅଧାଲେଖା କବିତା ଭଳି,
ପ୍ରେମ ତ ସବୁବେଳେ ଏକ ଆପେକ୍ଷିକ ଅନୁଭବ।”
କବିତା ପଦଟି ପଢି ପ୍ରଦୀପ କହିଥିଲା,
-ଟ୍ରେନ ଗତି କଲାବେଳେ, ଟ୍ରେନ ଭିତରେ ରେ ବସିଥିବା ଲୋକଟିକୁ ଲାଗେ ,ଟ୍ରେନ ବାହାରେ ଥିବା ଲୋକଟି ଗତି କରୁଛି ଓ ଟ୍ରେନ ବାହାରେ ପ୍ଲାଟଫର୍ମ ଅଥବା ଘରେ ବସିଥିବା ଲୋକଟିକୁ ବି ଅବିକଳ ଲାଗେ ଯେ ଟ୍ରେନ ଭିତରେ ଥିବା ଲୋକ ଗତି କରୁଛି ବୋଲି।କିନ୍ତୁ ସତ କଥା ହେଲା ଦୁହେଁ କେହି ଗତି କରନ୍ତିନି,ଗତି କରୁଥାଏ କେବଳ ଟ୍ରେନ।ଟ୍ରେନ ଓ ଜୀବନ ଦୁହେଁ,ଗତିଶୀଳ;ସମୟ ସହ ତାଳ ଦେଇ ଆମେ ଆଗକୁ ବଢୁ ବୋଲି ଭାବୁ,ହେଲେ ଅସଲରେ କେବଳ ଆମ ବୟସ ବଢେ।ଆମ ଗତି ବି ଆପେକ୍ଷିକ।”
ତାଳି ମାରି ବର୍ଷା କହିଥିଲା,
-ଆରେ ବାଃ, ବହୁତ ସୁନ୍ଦର ହୋଇଛି। ତମେ ତ ଜଣେ ବଡ କବି ଓ ଦାର୍ଶନିକ ବି।ନିଜ କବିତା ସବୁ ଖବରକାଗଜ ଓ ପତ୍ରିକାକୁ କାହିଁକି ପଠାଉନ ?”
ଧୀର ସ୍ୱରରେ ପ୍ରଦୀପ କହିଥିଲା,
-ପ୍ରେମ ସବୁବେଳେ ବ୍ୟକ୍ତିଗତ,ଏକାନ୍ତ ସ୍ୱର୍ଗୀୟ ପୁଲକର ଅନୁଭବ।ତାକୁ କଣ ସର୍ବସାଧାରଣ କରାଯାଏ ?ଏ କବିତା ଗୁଚ୍ଛ କେବଳ ଆମ ଦୁହିଁଙ୍କ ପାଇଁ।ବହିଟିଏ ଛାପି କେବଳ ତୁମକୁ ଉତ୍ସର୍ଗ କରିବି।”
ଫିକ କିନା ହସି ସେଦିନ ବର୍ଷା କହିଥିଲା,
-କେବେ ସମ୍ପୂର୍ଣ୍ଣ କରିବ ଏ କବିତା ?ଆମ ଦୁହିଁଙ୍କ ପିଜି ସାରିବାକୁ ବସିଲାଣି।ହେଲେ କବିତା ସବୁ ସେମିତି ଅସମ୍ପୂର୍ଣ୍ଣ।”
ତା ଗାଲକୁ ନିଜ ଦୁଇ ପାପୁଲିରେ ଧରି ପ୍ରଦୀପ ନିଜ ଡାଇରୀ ରୁ ଆଉ ଗୋଟେ କବିତା ପଢିଥିଲା,
“ଜଳଚକ୍ରରେ ବାଷ୍ପୀଭୁତ ହୋଇ
ଆକାଶକୁ ଚାଲିଯାଇଥିବା ଜଳବିନ୍ଦୁ ସବୁ
ମେଘାଛନ୍ନ ଆକାଶରେ ବାଦଲ ଭିତରେ
ଲୁଚିଥିବା ଜଳକଣା ବର୍ଷାରେ ଖସିଆସେ
ପୁଣିଥରେ ପ୍ରେମରେ ଦ୍ରବୀଭୁତ ହୋଇ।”
-ବୁଝିଲ ବର୍ଷା,ଅସମ୍ପୂର୍ଣ୍ଣତାରେ ବି ସମ୍ପୂର୍ଣ୍ଣତା ଥାଏ।ଦେଖିବାକୁ ଆଖି ନୁହେଁ ମନ,ବିଶ୍ବାସ ଦରକାର ।କାଳିଆ ସାଆନ୍ତେ ଅଧାଗଢା ବୋଲି ଲୋକେ କୁହନ୍ତି,ହେଲେ ଅସଲରେ ସେ ତ ସମ୍ପୂର୍ଣ୍ଣ।”
–ତୁମକୁ ଜମା ପାରି ହେବନି।ତେବେ ଏ ରେଳ କବିତା ଡାଏରି ମୋତେ ଦେଖିବାକୁ ଦେଉନ,ଯଦି ଏହା ଆଉ କାହା ହାତରେ ପଡ଼ିଯାଏ ?
ଅନ୍ୟମାନେ ପଢିଦେଲେ ତୁମ ଗୋପନୀୟ,ଏକାନ୍ତ ନିଜସ୍ୱ ପ୍ରେମ କବିତା ସବୁ ସର୍ବସାଧାରଣ ହୋଇଯିବନି ତ ?ତେବେ କବିତାରେ କେଉଁଠି ମୋ ନାଁ ଲେଖୁନ କି ଡାଇରୀ ଅଥବା କବିତା ତଳେ ତମ ନାଁ ବି ଲେଖୁନ।କିଏ କେମିତି ଜାଣିବ ଯେ ଏ କବିତା ତୁମର ବୋଲି ?ଯଦି ଡାଇରୀ ହଜିଯାଏ ?”
ଟିକେ ଚିନ୍ତାକରି ଦୀର୍ଘନିଶ୍ବାସ ଛାଡି ପ୍ରଦୀପ କହିଥିଲା,
–ପ୍ରେମକୁ ସବୁଦିନ ଲୁଚାଇ ହୁଏନା,ଦିନେ ନା ଦିନେ ଦୁନିଆକୁ ଜଣାଇବାକୁ ପଡେ।ତୁମ ଘର ଲୋକ ତ ମୁଁ ଅନାଥ ବୋଲି ଆମ ଦୁହିଁଙ୍କ ସମ୍ପର୍କ ପାଇଁ ରାଜି ହେବେନି।ତେଣୁ ଆଗେ ଗୋଟେ ଭଲ ଚାକିରୀ ଯୋଗାଡ଼ କରିନିଏ,ତାପରେ ତୁମ ଘରକୁ ଯାଇ ତୁମ ବାପା ମାଙ୍କ ପାଖରୁ ତୁମ ହାତ ମାଗିବି।ସେଦିନ ଆମ ପ୍ରେମ ସର୍ବସାଧାରଣ କରିବି।ଆଉ ହଁ,ଡାଏରିର ସବୁ କବିତା ମୋ ମନରେ ଛପା ହୋଇ ରହିଯାଇଛି,ଏକଦମ ମୁଖସ୍ଥ।ଯେବେ ଇଛା,ପୁଣି ଲେଖି ପାରିବି,ମୋ ସ୍ମରଣଶକ୍ତି ଏବେ ବଢି ଗଲାଣି।”
ଥରେ ଏମିତି କଥାଛଳରେ ବର୍ଷା ,ପ୍ରଦୀପକୁ ପଚାରିଥିଲା,
- ମୁଁ ଲକ୍ଷ କରିଛି, ଟ୍ରେନରେ ବସିଲାବେଳେ ତୁମେ ସବୁବେଳେ ଏତେ ଅନ୍ୟମନସ୍କ କାହିଁକି ହୋଇଯାଅ।”
ଦୀର୍ଘନିଶ୍ବାସ ଛାଡି ଆକାଶକୁ ଅନାଇ ପ୍ରଦୀପ କହିଥିଲା,
-ଗୋଟେ ଟ୍ରେନ ଆକ୍ସିଡେଣ୍ଟରେ ମୋ ବାପା,ମା ପ୍ରାଣ ହରାଇଥିଲେ।ଟ୍ରେନ ଆକ୍ସିଡେଣ୍ଟ ସତରେ ଜୀବନର ଗତିପଥ ବଦଳାଇ ଦିଏ।ସେଥିପାଇଁ ବୋଧେ ଟ୍ରେନରେ ବସିଲେ ମୁଁ ଅନ୍ୟମନସ୍କ ହୋଇଯାଏ।”
ନିଜ ଆଖି ପୋଛୁଥିଲା ପ୍ରଦୀପ।ତାକୁ ସାନ୍ତ୍ୱନା ଦେବାକୁ ବର୍ଷା ପାଖରେ ଭାଷା ନଥିଲା ବୋଧେ।ଅଜଣାତରେ ତା ଆଖିରେ ବି ଜକେଇ ଆସିଥିଲା ଲୁହ।
ସମୟ ଗଡି ଚାଲିଥିଲା।
ଘରେ ଅବଶ୍ୟ ପ୍ରଦୀପ ସହ ତାର ସମ୍ପର୍କ ବିଷୟରେ ଟିକେ ଆଭାସ ମିଳିଥିଲା।ବାହାଘର ପାଇଁ ଅନେକ ପ୍ରସ୍ତାବ ଆସୁଥିବାରୁ ଘରେ ବର୍ଷାକୁ ବାଧ୍ୟ କରୁଥିଲେ ଆସୁଥିବା ପ୍ରସ୍ତାବରୁ ଗୋଟିଏ ଉପଯୁକ୍ତ ପ୍ରସ୍ତାବ ବାଛିବା ପାଇଁ।ବର୍ଷା କିଛି ବାହାନା ଦେଖାଇ ଆଡେଇ ଯାଉଥିଲା।ସେ ଅପେକ୍ଷା କରିଥିଲା ପ୍ରଦୀପ କେଉଁଦିନ ପ୍ରସ୍ତାବ ନେଇ ଘରକୁ ଆସିବ।
ସେ ଶୁଭଦିନ ଆସି ପହଁଚି ଯାଇଥିଲା।ପ୍ରଦୀପକୁ ଗୋଟେ ଭଲ ଚାକିରୀ ମିଳିଯାଇଥିଲା।ଖୁସିରେ ସେଦିନ ଉଛୁଳି ପଡିଥିଲା ବର୍ଷା।
ଚାକିରୀରେ ଜଏନ କରିବା ପୂର୍ବରୁ ନିଜ ନିଯୁକ୍ତି ପତ୍ର ଧରି ପ୍ରଦୀପ ,ବର୍ଷା ଘରକୁ ଆସି ବିବାହ ପ୍ରସ୍ତାବ ବିଷୟରେ କଥାବାର୍ତ୍ତା କରିବାକୁ ଆସୁଛି ବୋଲି ଜଣାଇଥିଲା ଓ କହିଥିଲା,
-ଆମ ବାହାଘର ସହ,ରେଳ କବିତା ଏଥର ସମ୍ପୂର୍ଣ୍ଣ ହେବ।”
ଘରେ ସବୁକଥା ଜଣାଇଥିଲା ବର୍ଷା ଓ ଅପେକ୍ଷା କରିଥିଲା ପ୍ରଦୀପ ର ଆସିବା ବାଟକୁ।
ଟ୍ରେନ ଆକ୍ସିଡେଣ୍ଟ ଖବର ଶୁଣି ମୁଣ୍ଡଟା ବୁଲେଇ ଦେଇଥିଲା ବର୍ଷାର।ପ୍ରଦୀପ ସେଇ ଟ୍ରେନରେ ହିଁ ଥିଲା।ଟିଭିରେ ଦେଖାଉଥିବା ଭୟଙ୍କର ଦୃଶ୍ୟ ଦେଖି ହେଉନଥାଏ। - ହେ ଭଗବାନ !ପ୍ରଦୀପ ର କିଛି ହୋଇ ନଥାଉ।ନିଜ ବାପା ମାଙ୍କ ଭଳି ସେ….ନା ନା ଭଲରେ ଥାଉ ପ୍ରଦୀପ।
ତା ଫୋନ ଲାଗୁନଥିଲା।ସାରା ରାତି ଶୋଇ ପାରି ନଥିଲା ବର୍ଷା।ପ୍ରଦୀପ ବି ଫୋନ କରୁ ନଥିଲା।କାନ୍ଦି କାନ୍ଦି ଆଖି ଫୁଲିଯାଇଥିଲା ବର୍ଷାର।
ପରଦିନ ଖବରକାଗଜରେ ଛାପା ହୋଇଥିବା ଗୋଟିଏ ଖବର ବର୍ଷା ଆଖିରେ ପଡିଥିଲା।
” ଦୁର୍ଘଟଣା ସ୍ଥଳରେ ରେଳ ଲାଇନ କଡ଼ରେ ପଡିଛି, ପ୍ରେମ କବିତାରେ ଭରି ହୋଇଥିବା ଗୋଟେ ଡାଇରୀ।ଡାଇରୀରେ କାହା ନାଁ, ଠିକଣା ନଥିବାରୁ କବିଙ୍କ ନାଁ,ପରିଚିତି ଜଣା ପଡୁନି।ଡାଇରୀ ଟି ଛିଣ୍ଡିଯାଇ କିଛି କବିତା ପୃଷ୍ଠା ସବୁ ଆଖ ପାଖରେ ବିଛାଡି ହୋଇ ପଡିଛି।ସବୁତକ ଅଧାଲେଖା କବିତା।କବି ଜୀବିତ କି ମୃତ ତାହା ଜଣା ପଡୁନି।”
ପ୍ରଦୀପର ହାତ ଲେଖା ଚିହ୍ନି ପାରି ଚମକି ପଡିଥିଲା ବର୍ଷା।ଦୁର୍ଘଟଣାସ୍ଥଳକୁ ଯାଇ, ପହଁଚି ଥିଲା ରେଲ ଲାଇନ ପାଖରେ ପଡିଥିବା ଡାଇରୀ ପାଖରେ।ପାଗଳୀଙ୍କ ଭଳି ଗୋଟାଇ ବାରେ ଲାଗିଲା ଛିଣ୍ଡା ପୃଷ୍ଠା ସବୁକୁ ଓ ଯତ୍ନର ସହ ସାଉଁଟି ନେଲା ରକ୍ତ ଛିଟା ଲାଗିଥିବା ସେଇ ଡାଇରୀ କୁ।ତା ପ୍ରଦୀପ ର ଡାଇରୀ।ପ୍ରଦୀପ ନିଶ୍ଚେ ବଞ୍ଚିଥିବ।
ଲୋକେ ତାକୁ ଆଶ୍ଚର୍ଯ୍ୟ ହୋଇ ଅନେଇଥିଲେ।
ହେଲେ କେଉଁ ହସ୍ପିଟାଲରେ ଥିବ ପ୍ରଦୀପ !ଫୋନ କାହିଁକି କରୁନି ???
ଶେଷରେ ପ୍ରଦୀପର ଖବର ମିଳିଥିଲା।ତରବର ହୋଇ ସେଇ ହସ୍ପିଟାଲରେ ପହଞ୍ଚି ଥିଲା ବର୍ଷା ଟ୍ରମା ସେଣ୍ଟରର ଆଇ.ସି. ୟୁ ରେ ଭର୍ତ୍ତି ହୋଇଥିବାରୁ ତା ପାଖକୁ କାହାକୁ ଛାଡୁ ନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ବାହାର କରିଡରରେ ବସି,ପ୍ରଦୀପର ଡାଇରୀର କବିତା ସବୁକୁ ପଢୁଥିଲା ବର୍ଷା।ଓଃ ଏତେ ଆବେଗର ସ୍ପର୍ଶ ପ୍ରତିଟି କବିତାରେ ?ଅଧାଲେଖା ହେଲେ ବି ସମ୍ପୂର୍ଣ୍ଣ ଲାଗୁଥିଲା।
ସପ୍ତାହକ ପରେ ରୁମକୁ ଶିଫ୍ଟ ହୋଇଥିଲା ପ୍ରଦୀପ।
ବର୍ଷାର ଖୁସି କାହିଁରେ କଣ।ଘର ଲୋକଙ୍କ ସହ ସେ ପହଞ୍ଚି ଥିଲା ପ୍ରଦୀପ ରହୁଥିବା ରୁମରେ।
ପ୍ରଦୀପ କୁ ସରପ୍ରାଇଜ ଦେବାକୁ ସେଇ ଡାଇରୀ ଟି ସାଙ୍ଗରେ ନେଇଯାଇଥିଲା ବର୍ଷା ।
ହାତରେ ଫୁଲ ତୋଡା ଓ ସେଇ ଡାଇରୀଟି ଧରି ବର୍ଷା,ବେଡ଼ରେ ଅର୍ଦ୍ଧ ଶାୟିତ ଅବସ୍ଥାରେ ଶୋଇଥିବା ପ୍ରଦୀପ ପାଖକୁ ଯାଇ,ତା ମୁଣ୍ଡରେ ଚୁମାଟିଏ ଦେଇ କହିଲା,
-ମୁଁ ତ ପୁରା ଡରି ଯାଇଥିଲି।ଭଗବାନଙ୍କ କୃପାରୁ ଯା ହେଉ ତୁମେ ସୁସ୍ଥ ହୋଇଗଲ।ହେଇ ଦେଖ,ମୁଁ କଣ ଆଣିଛି, ତୁମ ରେଳ କବିତା ଡାଏରି।ଜାଣିଛ, ତୁମ କବିତା ଡାଏରି ଓ କବିତା ସବୁ ଏବେ ଭାଇରାଲ।ତେବେ ମଜା କଥା ହେଉଛି,କବିଙ୍କ ନାଁ ମୋ ଛଡା କେହି ଜାଣି ନାହାନ୍ତି।ଛାଡ଼ ସେକଥା ,ଆମ ବାହାଘର ଡେଟ କେବେ ବୋଲି ଠିକ କରିଛ ପ୍ରଦୀପ ?”
ଜୁଳୁଜୁଳୁ କରି ପ୍ରଦୀପ ଅନେଇଥିଲା ବର୍ଷାକୁ।ଧୀର ସ୍ୱରରେ କହିଲା,
-ଆପଣ କିଏ ?ପ୍ରଦୀପ କିଏ ?”
ଭୁତ ଦେଖିଲା ଭଳି ଚମକିପଡି ବର୍ଷା କହିଲା,
-କଣ ଏମିତି କହୁଛ ?ମୁଁ କିଏ ତମେ ଜାଣିନ ଅଥବା ଡ୍ରାମା କରୁଛ ?ନିଜ କବିତା ଡାଇରୀ କୁ ଚିହ୍ନୁଛ ନା ନାହିଁ ?”
-ପ୍ଲିଜ ଦେଖନ୍ତୁ,ମୁଁ ଜାଣେନା ଆପଣ କିଏ ?”
ରାଉଣ୍ଡରେ ଥିବା ଡାକ୍ତର ଓ ନର୍ସ ରୁମ ଭିତରକୁ ପଶି ଆସି ,ବର୍ଷାକୁ ଟିକେ ଦୂରକୁ ଡାକିନେଇ କହିଲେ,
-ଦେଖନ୍ତୁ,ଆକ୍ସିଡେଣ୍ଟ ଯୋଗୁଁ ଶକ୍ତ ଆଘାତ ତାଙ୍କ ମୁଣ୍ଡରେ ଲାଗିଥିଲା ତୁରନ୍ତ ତାଙ୍କ ବ୍ରେନ ସର୍ଜରୀ ହୋଇଥିଲା ବୋଲି ସେ ବଞ୍ଚିଗଲେ। ହେଲେ ରୋଗୀ ସମ୍ପୂର୍ଣ୍ଣ ଭାବେ ନିଜ ସ୍ମରଣ ଶକ୍ତି ହରାଇଛନ୍ତି।
ଟ୍ରମା କେସରେ ଶକ ଯୋଗୁଁ ଏଭଳି ହୋଇଥାଏ।ହୁଏତ ପୁରୁଣା ସ୍ମୃତି ଫେରିବାକୁ ସମୟ ଲାଗିପାରେ,ଫେରିବ ବୋଲି ଗ୍ୟାରେଣ୍ଟି ବି ନାହିଁ।”
ବର୍ଷା ହାତରୁ ତଳେ ଖସି ପଡିଲା ସେଇ ଡାଏରି।ଇତସ୍ତତ ହୋଇ ଉଡୁଥିଲା ରେଳ କବିତା ଡାଏରିର ପୃଷ୍ଠା କିଛି।
(©️ଅରବିନ୍ଦ ଦାସ)