ଅକ୍ଷୟ ତୃତୀୟା: ଶ୍ରୀମନ୍ଦିର ପରମ୍ପରାର ଅନନ୍ୟ ପର୍ବ

0
  • ଶ୍ରୀକାନ୍ତ ଦାଶ
  • TATKAL ODISHA //ଐତିହ୍ୟ ଖୋଜ//


ଓଡ଼ିଆ ଘରର ଅନନ୍ୟ ପର୍ବ ଅକ୍ଷୟ ତୃତୀୟା |ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ହେଉଛି ଅକ୍ଷୟ ତୃତୀୟା |

ଏ ବର୍ଷ ଏହା ସ୍ୱତନ୍ତ୍ର କାରଣ ଆଜି ହେଉଛି ଶ୍ରୀପର୍ଶୁରାମ ଓ ଶ୍ରୀଗୀତଗୋବିନ୍ଦ ରଚୟିତା ଭକ୍ତକବି ଶ୍ରୀ ଜୟଦେବଙ୍କ ଜୟନ୍ତୀ | ଶ୍ରୀଜଗନ୍ନାଥଙ୍କର ରଥ ଅନୁକୂଳ ଓ କୃଷକର ଅକ୍ଷି ମୁଠି ଅନୁକୂଳ ଦିନ |

ଜଗନ୍ନାଥ ସଂସ୍କୃତିରେ ମୁଖ୍ୟ ପର୍ବ ଗୁଡିକ ହେଲା ଦମନକ ଚତୁର୍ଦଶୀ, ଅକ୍ଷୟ ତୃତୀୟା, ସ୍ନାନ ଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ସଂକ୍ରାନ୍ତି, ଜନ୍ମାଷ୍ଟମୀ, ପାର୍ଶ୍ଵ ପରିବର୍ତ୍ତନ ଉତ୍ସବ, ଦେବ ଉଥାପନ ଏକାଦଶୀ, ପ୍ରାବରଣ ଵା ଓଢଣ ଷଷ୍ଠୀ, ଦେବାଭିଷେକ ପୁର୍ଣିମା, ମକର ସଂକ୍ରାନ୍ତି, ଦୋଳ ଯାତ୍ରା, ଏମିତି ବାର ମାସରେ ତେର ପର୍ବ |

ଆଜିର ପ୍ରତିଟି ମୁହୂର୍ତ୍ତ ଶୁଭ ମୁହୂର୍ତ୍ତ |ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ରଥ ଅନୁକୂଳ ଏହି ଦିନରୁ ହୁଏ, ଯଦିଓ ବସନ୍ତ ପଞ୍ଚମୀରେ ରଥ କାଠ ପୂଜା ହୋଇଥାଏ |ଅକ୍ଷୟ ତୃତୀୟା ପରି ବସନ୍ତ ପଞ୍ଚମୀର ପ୍ରତିଟି ମୁହୂର୍ତ୍ତ ଶୁଭଙ୍କର |

ଏହିଦିନରୁ ଶ୍ରୀଜଗନ୍ନାଥଙ୍କର ପ୍ରଥମ ଯାତ୍ରା ଚନ୍ଦନ ଯାତ୍ରା ଆରମ୍ଭ ହୁଏ ଓ ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ ପ୍ରଥମ ଏକୋଇଶି ଦିନ ବାହାର ଚନ୍ଦନ ଓ ତାପରେ ଏକୋଇଶି ଦିନ ଭିତର ଚନ୍ଦନ କୁହନ୍ତି |

ବାହାର ଚନ୍ଦନ ଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ରାମ, କୃଷ୍ଣ, ଭୁଦେବି, ଶ୍ରୀଦେବୀ, ଓ ପଞ୍ଚ ପାଣ୍ଡଵ (ପଞ୍ଚ ଶିବ ) ଅର୍ଥାତ ଲୋକନାଥ, ଯମେଶ୍ଵର, ମାର୍କଣ୍ଡେଶ୍ଵର, କପାଳ ମୋଚନ, ଓ ନୀଳକଣ୍ଠ, ମଣି ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ନୌବିହାର ଵା ଚାପ ଖେଳିବାକୁ ଯା’ନ୍ତି |ଏହି ସମୟରେ ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦ ଗାନ କରାଯାଏ ଓ ଶ୍ରୀ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀ ଯାଏଁ ଭକ୍ତ ଗଣଙ୍କର ବସ୍ତ୍ର ଓ ହୃଦୟ ଚନ୍ଦନ ଛିଟା ଓ ସୁବାସିତ ଜଳରେ ଓଦା ହୋଇ ଥାଏ | ଏହିପରି ଏକ ଭକ୍ତିମୟ ପରିବେଶ ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ରହିଥାଏ |


ଓଡିଶାର ପୁରପଲ୍ଲୀରେ ଥିବା ମନ୍ଦିରମାନଙ୍କରେ ଯେମିତି ରଘୁନାଥ, ଲିଙ୍ଗରାଜ, ଗୋପୀନାଥ, ନୃସିଂହ, ଓ ଅନ୍ୟ ମନ୍ଦିର ମାନଙ୍କରେ ମଧ୍ୟ ଏକୋଇଶି ଦିନ ବ୍ୟାପି ଚନ୍ଦନ ଯାତ୍ରା ଗ୍ରୀଷ୍ମପ୍ରଭାବରୁ ମୁକ୍ତି ପାଇଁ ଅନୁଷ୍ଠିତ ହୁଏ |

ଏହି ଯାତ୍ରା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ସ୍ନାନ ଯାତ୍ରାରେ ଶେଷ ହୁଏ |


ପ୍ରତିଟି କାର୍ଯ୍ୟ ଅନୁକୂଳର ମହାପର୍ବ ଅକ୍ଷୟ ତୃତୀୟା |ସୁଖ, ସମୃଦ୍ଧି, ଓ ସୌଭାଗ୍ୟ ସହିତ ଜଡିତ ଏହି ପର୍ବ | ବିଶେଷ କରି କୃଷି ଓ କୃଷକ ସହିତ ଏହି ତିଥିରବିଶେଷ ମାହାତ୍ମ୍ୟ ରହିଛି | କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ଏହାକୁ କୃଷକ ଦିବସ ଭାବେ ମଧ୍ୟ ପାଳନ କରାଯାଏ |ଏହି ଦିନରୁ କୃଷି ଭିତ୍ତିକ କାର୍ଯ୍ୟର ଅନୁକୂଳ ହୋଇଥାଏ | ଅକ୍ଷିମୁଠି ଅନୁକୂଳ ପୂର୍ବକ ଚାଷୀମାନେ ବିହନ ଧାନ ନେଇ କ୍ଷେତରେ ବୁଣି ହଳ କରିଥାନ୍ତି |ଏଥି ସହ ବସୁଧା ମା’ଓ ଭୂମିଜାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି |


ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ଯଥେଷ୍ଟ ଗୁରୁତ୍ୱ ରହିଛି |ମୁଖ୍ୟତଃ ଗୃହିଣୀ ମାନେ ଘରକୁ ଲିପି, ଚିତା ପକାଇ ସଜେଇ ଥା’ନ୍ତି | ହଳଦୀ, ଚନ୍ଦନ, ସିନ୍ଦୁର ଲଗାଇ ଧାନ ବିହନ ପୂର୍ଣ୍ଣ ନୂଆ ଗଉଣି ଓ ଟୋକେଇକୁ ପାଟ ବସ୍ତ୍ରରେ ସଜେଇ ଥାନ୍ତି |ସେହିଭଳି ଲଙ୍ଗଳକୁ ମଧ୍ୟ ଝୋଟିରେ ସଜେଇ ଥାନ୍ତି |ଏହାପରେ ହୁଳହୁଳି ଓ ଶଙ୍ଖ ବଜାଇ ଗୃହିଣୀମାନେ ଲଙ୍ଗଳ ଧରିଥିବା କୃଷକକୁ ଜମି ଅଭିମୁଖେ ପ୍ରେରିତ କରିଥାନ୍ତି |କୃଷକ ଜମିରେ ପହଞ୍ଚି ଧରିତ୍ରୀ ଦେବୀ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ |ମୁଠା ମୁଠା ହଳଦୀ ଚନ୍ଦନ ବୋଳା ଧାନ ବିହନକୁ ଜମିରେ ବୁଣେ |ଆଜିର ଅକ୍ଷିମୁଠି ଅନୁକୂଳପରେ ଆରମ୍ଭ ହୁଏ ଚାଷର ମହାପର୍ବ |


ସବୁ କାମରେ ଅନୁକୂଳ ପାଇଁ ଏହି ଦିନଟି ଶୁଭ ଅଟେ |ଗୃହ ନିର୍ମାଣ, ଗୃହ ପ୍ରବେଶ, ନିର୍ବନ୍ଧ, ବିବାହ ଆଦି ଶୁଭ କର୍ମ ଏହି ତିଥିରେ ଅନୁଷ୍ଠିତ ହୋଇଥାଏ | ଏହି ତିଥି କୃତିକା ଵା ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇ ଥିବାରୁ କୌଣସି କାମ ଆରମ୍ଭ କଲେ ସୁଫଳ ପ୍ରାପ୍ତି ହୁଏ | ଆଜିର ଦିନରେ ଦାନ କଲେ ମହାପୁଣ୍ୟ ମିଳେ ବୋଲି ଲୋକକଥା ରହିଛି |


ଆଗ୍ନେୟ ପୁରାଣ, ବିଷ୍ଣୁ ପୁରାଣ, ଓ ଭବିଷ୍ୟ ପୁରାଣ ଆଦିରେ ଅକ୍ଷୟ ତୃତୀୟାକୁ ଶୁଭ ଦିନ ରୂପେ ଗଣନା କରାଯାଏ |


ଏହି ଦିନ ମା ଲକ୍ଷ୍ମୀଙ୍କୁ ଓ ଷଷ୍ଠିଦେଵୀଙ୍କୁ ପୂଜା କରାଯାଏ |ଏହିଦିନ ଲୋକେ ସୁନା, ରୁପା ରେ ତିଆରି ଗହଣା କିଣିଥାନ୍ତି |


ସର୍ବୋପରି ଅକ୍ଷୟ ତୃତୀୟା ଓଡ଼ିଆ ଜନଜୀବନର ପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ 🙏


ଶ୍ରୀକାନ୍ତ ଦାଶ, ଓଡ଼ିଆ ଜାତୀୟ ସମ୍ମିଳନୀ,
ଦୂରଭାଷ :9238304919

Leave A Reply

Your email address will not be published.