ସସ୍ମିତ,ଅମାତ,ମାନସଙ୍କୁ ରାଜ୍ୟସଭା ମୁକୁଟ ?

0

  • ଭୁବନେଶ୍ୱର,//TATKAL ODISHA//EXCLUSIVE//

 ଚାରି ରାଜ୍ୟସଭା ଆସନ ଏବେ ଖାଲି । ଜୁନ୍ ୧୦ ଓ ଜୁନ ୧୩ରେ ହେବ ନିର୍ବାଚନ । ହେଲେ ତିନୋଟି ଆସନ ହାତେଇବାକୁ ଶାସକ ବିଜେଡି ପାଇଁ କିଛି ସମସ୍ୟା ନାହିଁ । ବାକି ଗୋଟିଏ ଆସନ ପାଇଁ ଶାସକ ଦଳ ଲଢ଼େଇ କରିବାକୁ ପଡ଼ିବ । ବହୁ ଆଶାୟୀ ନେତା ଲବି ଆରମ୍ଭ କରିଦେଇଥିଲେ ହେଁ ଚର୍ଚ୍ଚାର ସର୍ବାଗ୍ରେ ତିନି ନେତାଙ୍କ ନାମ ରହିଛି । ସେମାନେ ହେଉଛନ୍ତି…

  • ଡ. ସସ୍ମିତ ପାତ୍ର
  • ସନ୍ତୋଷ ଅମାତ
  • ମାନସ ମଙ୍ଗରାଜ୍‌

  କାର୍ଯ୍ୟକାଳ ସରିଥିବା ଡ. ସସ୍ମିତ ପାତ୍ରଙ୍କୁ ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପଠାଇବାକୁ ମନ ବଳାଇଥିବା ଜଣାପଡ଼ିଛି I ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ୍‌ଙ୍କ ନାଁ ମଧ୍ୟ ଦ୍ଵିତୀୟରେ ରହିଛି I

ତୃତୀୟ ପ୍ରାର୍ଥୀ ଭାବେ ପଶ୍ଚିମ ଓଡ଼ିଶାର ଟାଣୁଆ ଯୁବନେତା ସନ୍ତୋଷ ଅମାତଙ୍କ ନାମ ଆଗରେ ରହିଛି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଆଇଆରଏସ୍ ଚାକିରି ଛାଡ଼ି ରାଜନୀତିରେ ପାଦଦେଇଥିବା ସଂତୋଷ ବାବୁ ପରେ ‘ସ୍ୱତନ୍ତ୍ର ବିକାଶ ପରିଷଦ’ର ପ୍ରଥମ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ସୁନ୍ଦରଗଡ଼ରେ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ଟକ୍କର ଦେବା ପାଇଁ ଆଦିବାସୀ ସମାଜର ଜନପ୍ରୀୟ ଓ ଶିକ୍ଷିତ ନେତା ଶ୍ରୀ ଅମାତଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନ୍ୟ ଚର୍ଚ୍ଚିତ ଚେହେରା ଭିତରେ ମୋ ସ୍ମୁଲ ଅଧ୍ୟକ୍ଷ ଡ. ସୁସ୍ମିତା ବାଗଚୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର,କଂଗ୍ରେସରୁ ବିଜେଡିକୁ ଲମ୍ଫମାରିଥିବା ପ୍ରଦୀପ ମାଝୀଙ୍କ ନାଁ ଆସୁଛି I

ଏଥିସହ ପୂର୍ବରୁ ବାରମ୍ବାର ପ୍ରତିଶ୍ରୂତି ପାଇ ଟିକଟ୍ ମିଳୁନଥିବା ନେତା ତ୍ରୟ ହେଉଛନ୍ତି ଡ. ପ୍ରସନ୍ନ କୁମାର ପାଟଶାଣୀ, ଡା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପଶ୍ଚିମ ଓଡ଼ିଶା ବରିଷ୍ଠ ନେତା ମଙ୍ଗଳା କିଷାନ । ଏମାନଙ୍କ ନାମ ନାମ ବି ଚର୍ଚ୍ଚାରେ ରହିଛି ।

  • ଜୁଲାଇରେ କାର୍ଯ୍ୟକାଳ ଶେଷ

     ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଓ ଡ. ସସ୍ମିତ୍ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆସନ୍ତା ଜୁଲାଇରେ ଶେଷ ହେଉଛି ।

ଏସବୁ ଆସନଗୁଡ଼ିକରେ ବିଜେଡିର ବିଧାୟକ ସଂଖ୍ୟା ଦୃଷ୍ଟିରୁ କିଛି ସମସ୍ୟା ନାହିଁ । ଦଳ ଯାହାଙ୍କୁ ପ୍ରାର୍ଥୀ କରିବ ସେମାନେ ହିଁ ନିର୍ବାଚିତ ହେବେ । ସୁତରାଂ ବିରୋଧୀ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଦେବାର ଅବକାଶ ନାହିଁ । ତେଣୁ ଭୋଟ୍ ଗ୍ରହଣର ଆବଶ୍ୟକ ପଡ଼ିବନି ।

ଅନ୍ୟପକ୍ଷରେ ବାକି ଗୋଟିଏ ଆସନ ପାଇଁ ଜୁନ୍ ୧୩ରେ ଭୋଟ୍ ହେବ । ସୁବାସ ସିଂହଙ୍କ ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୦ ମାର୍ଚ୍ଚ ୨୪ରେ ସୁବାସବାବୁ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ଗତ ଏପ୍ରିଲ୍ ୨୧ରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ରାଜ୍ୟସଭାକୁ ନିର୍ବାଚିତ ବ୍ୟକ୍ତିଙ୍କ କାର୍ଯ୍ୟକାଳ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ । ସେଥିପାଇଁ ମେ’ ୨୬ରୁ ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ଜୁନ୍ ୩ରେ ନାମାଙ୍କନପତ୍ର ଯାଞ୍ଚ ହେବ । ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ହେଉଛି ଜୁନ୍ ୬ । ଆବଶ୍ୟକ ହେଲେ ଜୁନ୍ ୧୩ରେ ପୂର୍ବାହ୍ନ ୯ରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ ଏବଂ ସେହିଦିନ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ ।

  • ରାଜ୍ୟସଭା ଗଣିତ କ’ଣ କହୁଛି?

ରାଜ୍ୟସଭା ନିର୍ବାଚନ ପୂର୍ବରୁ ସଂଖ୍ୟା ଗଣିତ ସବୁ ହିସାବ ବିଗାଡ଼ି ଦେଇଛି । ବିଶେଷଜ୍ଞଙ୍କ ମତାନୁସାରେ ଭୋଟ୍ ପାଇଁ ପ୍ରଥମ ପସନ୍ଦ ୩୭ ବିଧାୟକଙ୍କ ମତ ଜରୁରୀ । ଏଣୁ ପ୍ରଥମ ତିନୋଟି ରାଜ୍ୟସଭା ଆସନକୁ ବିଜେଡି ଅକ୍ଲେସରେ ଅକ୍ତିଆର କରିନେବ । କାରଣ ବିଜେଡି ପାଖରେ ରହିଛି ଆବଶ୍ୟକ ପ୍ରଥମ ପସନ୍ଦ ୧୧୧ ବିଧାୟକ । ତେବେ କିିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବିଧାନସଭାରେ ଏବେ ମୋଟ୍ ସଭ୍ୟଙ୍କ ସଂଖ୍ୟା ରହିଛି ୧୪୬ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଆସନ ଏବେ ଖାଲିପଡ଼ିଛି । ମେ’ ୩୧ରେ ସେଠାରେ ଉପନିର୍ବାଚନ ହେଉଥିଲେ ହେଁ ତା’ପୂର୍ବରୁ ରାଜ୍ୟସଭା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ । ତେଣୁ ଜଣଙ୍କୁ ଛାଡ଼ି ବାକି ୧୪୬ ବିଧାୟକ ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ପାଇବେ । ସେମାନଙ୍କ ମଧ୍ୟରୁ ୧୧୩ ବିଜେଡି, ୨୨ ବିଜେପି, ୯ କଂଗ୍ରେସ ଏବଂ ଜଣେ ସିପିଆଇଏମ୍ ଓ ଅନ୍ୟ ଜଣେ ସ୍ୱାଧୀନ ବିଧାୟକ ଭୋଟ୍ ଦେଇପାରିବେ । ହେଲେ ବିଜେଡିରୁ କଣଠେସା ହୋଇଥବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ କଥା ବର୍ତ୍ତମାନସୁଦ୍ଧା କାହାକୁ ଭୋଟ୍ ଦେବେ ତାହା ସ୍ପଷ୍ଟ ହୋଇନାହିଁ ।

ଏଭଳି ସ୍ଥିତିରେ ଚତୁର୍ଥ ଆସନ କାହା ସପକ୍ଷରେ ଯିବ ତାକୁ ନେଇ ଉଠିଛି ପ୍ରଶ୍ନ I ଯଦି କଂଗ୍ରେସ ବିଜେଡିକୁ ସମର୍ଥନ କରେ ତାହାଲେ ବି ସମ୍ଭବ ନୁହେଁ । ମାତ୍ର ବିଜେପି ସହ ବିଜେଡି ମିଶିଲେ ଉକ୍ତ ଆସନରେ ମିଳିତ ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.