ଟେନସନରେ ଜଙ୍ଗଲ ମନ୍ତ୍ରୀ ଆରୁଖ?

0
  • ପୂର୍ବତନ ପିଏସଙ୍କୁ କ୍ରାଇମ ବ୍ରାଞ୍ଚ ଜେରା କରିପାରେ 

    ଭୁବନେଶ୍ୱର,//TATKAL ODISHA//

ଦୀର୍ଘ 21 ଦିନ ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପିଏସ ଵା ବ୍ୟକ୍ତିଗତ ସଚିବ ମିଳିଲା, ତଥାପି ସେ ଟେନସନରେ?

କାହିଁକି??   

  ବରିଷ୍ଠ ଓଏଏସ୍ ଦୀନକୃଷ୍ଣ କର ପିଏସ୍ ପଦବୀରେ ସୋମବାର ନିଯୁକ୍ତି ହୋଇଛନ୍ତି I ତଥାପି ମନ୍ତ୍ରୀଙ୍କ ମନ ଆଉଟୁ ପାଉଟୁ ! ଏହାକୁ ନେଇ ସବୁଠି ଢେର ଗୁଞ୍ଜରଣ  I କାରଣ ତାଙ୍କ ପ୍ରଥମ ପିଏସ ଦୀପ୍ତି ରଞ୍ଜନ ବେହେରା ଗୋଟିଏ ‘ରାମାୟଣ ଯୁଗ’ ଵା 12 ବର୍ଷ ଧରି ତାଙ୍କ ସହ ଜଡ଼ିତ ଥିଲେ I ଅଗଷ୍ଟ ୨ରେ ଅଚାନକ ତାଙ୍କୁ କୋରାପୁଟ ବଦଳି କରାଗଲା ।  ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଦୀପ୍ତିରଞ୍ଜନଙ୍କ ସନ୍ଦେହଜନକ ଭୂମିକା ଥିଲା ବୋଲି ଅଭିଯୋଗ ଉଠିବାରୁ ସରକାର ତାଙ୍କୁ ତୁରନ୍ତ ପିଏସ ପଦରୁ ହଟାଇଲେ I ସେ ବି କୋରାପୁଟ ଯିବାକୁ ବାଧ୍ୟ ହେଲେ I ଏହି ବଦଳି ନିର୍ଦେଶନାମା ପ୍ରକାଶ ପାଇବା ପରେ ପ୍ରାୟ ସବୁ ଗଣ ମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ ହୋଇଥିଲା I ସୌମ୍ୟଙ୍କ ପରିବାର, ଓ ରାଜ୍ୟର ଅଧିକାଂଶ ଲୋକ ଏହି କାର୍ଯ୍ୟାନୁଷ୍ଠାନରେ ଖୁସି ଥିଲେ I  

ହେଲେ ମନ୍ତ୍ରୀ ମହୋଦୟ ମନ ଉଣା ସହ ଭୟ ଘାରୁଛି କଣ ପାଇଁ ?


  କାରଣ ଅନେକ I ଗଜପତି ଡିଏଫ୍‌ଓଙ୍କୁ ମନ୍ତ୍ରୀଙ୍କ ପୂର୍ବତନ ପିଏସ ସୁରକ୍ଷା ଦେଇଥିବା କାରଣରୁ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଡାକି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଦୀପ୍ତିରଞ୍ଜନ ବେହେରାଙ୍କ ବଦଳିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ ଓ ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ।


ଏବେ ବୁଲୁଛି  ସୁପ୍ରିମୋଙ୍କ ଡେମୋକ୍ଲିଶ ଖଣ୍ଡା I କେତେବେଳେ କାହା ମୁଣ୍ଡ କଟିବ କହିହେବ ନାହିଁ I  ତେଣୁ “ବିରି ମାଡ଼ରେ କୋଳଥ ଚୋପା” ଭଳି ମନ୍ତ୍ରୀଙ୍କୁ  ଏଇ ଚିନ୍ତା ଘାରୁଥିବା ଚର୍ଚ୍ଚା ଜୋର ଧରିଛି Iଆଗାମୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ମନ୍ତ୍ରୀ ଆରୁଖଙ୍କ ମୁଣ୍ଡ କାଳେ ଗଡ଼ିବ ସେଥିପାଇଁ ସେ ଚିନ୍ତାରେ… I

ଯଦି ତାହା ସତ, ତାହାଲେ ମନ୍ତ୍ରୀ ଟେନସନରେ ରହିବା  ସ୍ୱାଭାବିକ I ତେବେ ସେ ସାମ୍ବାଦିକଙ୍କ ସମ୍ମୁଖରେ କିଛି ପ୍ରତିକ୍ରିୟା ରଖୁ ନ ଥିବାରୁ ତାଙ୍କ ମନର କଥା ଜାଣିବା ମୁସ୍କିଲ ହେଉଛି I

     ଉଲ୍ଲେଖନିୟ ଯେ, ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା  ବିଜ୍ଞପ୍ତି I ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଓଏସ୍‌ଡି ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଦୀନକୃଷ୍ଣ କରଙ୍କୁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଥିଲା । 

Leave A Reply

Your email address will not be published.