ଗୋଟିଏ ଫୋନ କଲରେ ଆକାଉଣ୍ଟରୁ ୮୭,୦୦୦ ଟଙ୍କା ଗାୟବ

0
  • ସାବଧାନ !! ନୂଆ ଢଙ୍ଗରେ ମାତିଛନ୍ତି ସାଇବର ଅପରାଧୀ
  • ଭୁବନେଶ୍ୱର//TATKAL ODISHA//

ଆସିଲା ଗୋଟିଏ ଫୋନ କଲ ଓ ମାସେଜ I ଅନଲାଇନ ଜୋତା ଦେଵା ନାମରେ ଡେଲିଭରି ବୟ ଫୋନ କରିଛନ୍ତି ବୋଲି କହିଲେ I ଫୋନ ଧରି କଥା ହେବା ପରେ ଦୁଇ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା 87 ହଜାର ଟଙ୍କା I

ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଇ ଭିନ୍ନ ଢଙ୍ଗରେ ସାଇବର କ୍ରାଇମ I ପୋଲିସ ତଦନ୍ତ କରୁଛି I ହେଲେ ଆସିଥିବା ଫୋନ କଲରେ ଆଉ ସମ୍ପର୍କ ସ୍ଥାପନ ସମ୍ଭବ ହେଉନି I ତେଣୁ ପୋଲିସ ଚିନ୍ତାରେ ପଡ଼ିଛି I

ସାଇବର କ୍ରାଇମ

ଭାରତରେ କ୍ୟାସ୍ ଲେସ କାରବାର ବୃଦ୍ଧି ପାଉଛି ଓ ତା ସହ ବୃଦ୍ଧି ପାଉଛି ସାଇବର କ୍ରାଇମ। ଅନଲାଇନରେ କୋଟି କୋଟି ଟଙ୍କା ଠକେଇ ଚାଲିଛି ପ୍ରତ୍ୟେହ। କେବଳ ସାଧାରଣ ଜନତା ନୁହେଁ, ଉଚ୍ଚ ଶିକ୍ଷିତ ଯୁବ ବର୍ଗ ମଧ୍ୟ ଏହାର ଶିକାର ହେଉଛନ୍ତି।

ସାଇବର କ୍ରାଇମର ଶିକାର ହୋଇଛନ୍ତି ଭୁବନେଶ୍ବର ଝାରପଡା ନିବାସୀ ଶୁଭମ ତ୍ରିପାଠୀ। ତାଙ୍କର ଏଚ ଡି ଏଫ ସି ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ଆକାଉଣ୍ଟରୁ ଏକ ସମୟରେ ୮୭,୦୦୦ ଟଙ୍କା ଗାୟବ ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ ଶୁଭମ ଗତ ସପ୍ତାହରେ ପୂମା ୱେବ ସାଇଟ ରୁ ଏକ ଜୋତା ଅନ ଲାଇନରେ ବୁକିଂ କରିଥିଲେ। ଗତ ୬ ତାରିଖ ଅପରାହ୍ନ ୪ ଟା ସମୟରେ ତାଙ୍କ ମୋବାଇଲକୁ ଜଣେ ଯୁବକ ମୋବାଇଲ ନମ୍ବର -୦୮୨୪୦୭୦୨୪୩୭ରୁ ନିଜକୁ ଡେଲିଭରୀ ବଏର ପରିଚୟ ଦେଇ ହିନ୍ଦୀରେ କହିଥିଲେ ଯେ ଶୁଭମଙ୍କର ଲୋକେସନ ଓ ଅନ୍ୟାନ୍ୟ ସୂଚନା ପୂମା ୱେବସାଇଟରେ ଉପଲବ୍ଧ ହେଉନାହିଁ। ଯଦ୍ଵାରା କି ଜୋତା ଡେଲିଭାରୀ ହୋଇପାରୁନାହିଁ।

ଶୁଭମଙ୍କ ମୋବାଇଲକୁ ପଠାଯାଇଥିବା ମେସେଜକୁ ଫରୱାର୍ଡ କରିଦେବା ପାଇଁ ସେ ଅନୁରୋଧ କରିଥିଲେ ଓ ଗୋଟିଏ ମୋବାଇଲ ନମ୍ବର ଦେଇଥିଲେ। ତୁରନ୍ତ ଜୋତା ମିଳିବା ଆଶାରେ ଶୁଭମ ସେଇ ମେସେଜକୁ ଫରୱାର୍ଡ କରିଦେଇଥିଲେ। ଏହାର ମାତ୍ର ୧୦ ମିନିଟ ଭିତରେ ତାଙ୍କର ଏଚ ଡି ଏଫ ସି ବ୍ୟାଙ୍କ ଓ ପରେ ପରେ ୟୁକୋ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଉଠାଣ ହୋଇଯାଇଥିଲା। ସେ ତୁରନ୍ତ ଏଚ ଡି ଏଫ ସି ବ୍ୟାଙ୍କ କୁ ଯାଇ ଆକାଉଣ୍ଟ ବ୍ଲକ କରିଦେଇଥିଲେ ଓ ବାଣୀବିହାର ନିକଟସ୍ଥ ଡିସିପି ଅଫିସ ରେ ଚାଲୁଥିବା ସାଇବର କ୍ରାଇମ ଥାନା ଓ ଲକ୍ଷ୍ମୀସାଗର ଥାନାରେ ଏତଲା ଦାଖଲ କରିଛନ୍ତି।

ଘଟଣା ଘଟିବାର ମାତ୍ର ଅଧ ଘଣ୍ଟା ମଧ୍ୟରେ ଶୁଭମ ଉଭୟ ବ୍ୟାଙ୍କ ଓ ସାଇବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। । ବ୍ୟାଙ୍କ ଷ୍ଟେଟମେଂଟ ରୁ ଜଣା ପଡିଛି ଯେ ଅପରାଧୀ ୟୁକୋ ବ୍ୟାଙ୍କ ଆକାଉଣ୍ଟ ରୁ ଓ ଏଚ ଡି ଏଫ ସି ବ୍ୟାଙ୍କ ଆକାଉଣ୍ଟ ରୁ ଅନ ଲାଇନରେ ଟଙ୍କା ଉଠାଇ ଯଥାକ୍ରମେ ଫ୍ଲିପକାର୍ଟ ଓ ଆମାଜନ ରେ ବୁକିଂ କରିଛି।

ସରକାର କ୍ୟାସଲେସ୍ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଛନ୍ତି। ଜନସାଧାରଣ ଦୋକାନ ବଜାରକୁ ନଯାଇ ଘରେ ବସି ଅନ ଲାଇନରେ କିଣା ବିକା କରୁଛନ୍ତି। ଅନ ଲାଇନରେ ଟଙ୍କା ଆଦାନ ପ୍ରଦାନ ହେଉଛି । ଏହାର ସୁଯୋଗ ନେଉଛନ୍ତି ସାଇବର ଅପରାଧୀ।

ସେମାନଙ୍କ ସୂକ୍ଷ୍ମ ଚକ୍ରବ୍ୟୁହରୁ ବାହାରି ପାରୁନାହାନ୍ତି ଓ ସର୍ବସ୍ଵାନ୍ତ ହେଉଛନ୍ତି ଜନସାଧାରଣ ।

ଅନଲାଇନରେ କଳାକନା ବୁଲାଇଦେଉଛନ୍ତି। କ୍ୟାସଲେସ୍ ଯୋଜନାରେ ସାମିଲ ହୋଇ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବି ଶୂନ ହୋଇଯାଉଛି। କ୍ୟାସଲେସ୍ ପଦ୍ଧତି ରେ ସତର୍କତା ଅବଲମ୍ବନ ଅତି ଜରୁରୀ ହେଲାଣି।

Leave A Reply

Your email address will not be published.